ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ସମୟରେ ଆମେ ରାସ୍ତାରେ ମଟର ସାଇକେଲ ଚାଳକଙ୍କୁ ବିନା ହେଲମେଟ୍‍ରେ ଦେଖିଥାଉ। ବେଳେ ବେଳେ ଆମେ ବିନା ହେଲମେଟ୍‍ରେ ମଟର ସାଇକେଲ ଚାଳାଉଥାଉ। କେବଳ ଟ୍ରାଫିକ୍‍ ପୋଲିସଙ୍କ ଭୟରେ ହେଲମେଟ୍‍ର ଉପଯୋଗ କରିଥାନ୍ତି ଗାଡ଼ି ଚାଳକ। କିନ୍ତୁ ଆମେ ବୁଝିବା ଦରକାର ଯେ, ଆମେ କାହିଁକି ହେଲମେଟ ପିନ୍ଧିବା ଆବଶ୍ୟକ?

ଆମ ମୁଣ୍ଡ ବା ଖପୁରୀ ଗୋଟିଏ ନଡ଼ିଆ ସହିତ ସମାନ। ନଡ଼ିଆଟିକୁ ଭାଙ୍ଗିବାକୁ ଯେତିକି ଶକ୍ତି ଲାଗିଥାଏ ସେତିକି ପ୍ରହାରରେ ଆମ ଖପୁରୀ ନଷ୍ଟ ହୋଇପାରେ। ହେଡ୍‍ ଇଞ୍ଜୁରି ବା ପ୍ରଗାଢ଼ ମସ୍ତିଷ୍କ କ୍ଷତ ବହୁ ସମୟରେ ଆମର ଅସାବଧାନତାରୁ ହୋଇଥାଏ। ଦୁର୍ଘଟଣାରେ ମୁଣ୍ଡରେ ଆଘାତ ଲାଗିଲେ ଆମ ଖପୁରିରେ କିମ୍ବା ମସ୍ତିଷ୍କରେ କ୍ଷତି ହୋଇଥାଏ। ହାତ ବା ଗୋଡ଼ ଭାଙ୍ଗିବା ଓ ଖପୁରୀ ଭାଙ୍ଗିବା ଦୁଇଟି ସଂପୂର୍ଣ୍ଣ ଅଲଗା ବିଷୟ। ହାତ ଗୋଡ଼କୁ ଯୋଡା ଯାଇପାରିବ। ଖପୁରୀକୁ ମଧ୍ୟ ଯୋଡ଼ାଯାଇପାରିବ। କିନ୍ତୁ ଯଦି ମସ୍ତିଷ୍କରେ ଆଘାତ ଲାଗିଥିବ ତାହେଲେ ମଣିଷର ଜୀବନହାନୀର ସମ୍ଭାବନା ବହୁତ ବଢ଼ିଯାଏ।

ରାସ୍ତା ଦୁର୍ଘଟଣା ବା କୌଣସି କାରଣବଶତଃ ଆପଣ କାହାର ଖପୁରୀରେ ଆଘାତ ଲାଗିଥିବାର ଦେଖନ୍ତି ତାହେଲେ କିଛି ପ୍ରାଥମିକ ଅନୁସନ୍ଧାନ ନିଜେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ କରିପାରିବେ। ଯଦି ମସ୍ତିଷ୍କରେ ଆଘାତ ଲାଗିଥିବ, ତାହେଲେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଅସ୍ୱାଭାବିକ ବ୍ୟବହାର କରିପାରନ୍ତି। ଅଚେତ ହୋଇପାରନ୍ତି କିମ୍ବା ବାରମ୍ବାର ଅଚେତ ଅବସ୍ଥାକୁ ଚାଲିଯାଇପାରନ୍ତି, ବାନ୍ତି କରିପାରନ୍ତି। ତାଙ୍କର ଆଖିପିତୁଳା ଅମେଳ ଖାଇପାରେ। ଅତ୍ୟଧିକ ମୁଣ୍ଡବ୍ୟଥାର ଅଭିଯୋଗ କରିପାରନ୍ତି କିମ୍ବା ଶରୀରର କୌଣସି ଭାଗକୁ ସଂଚାଳନାରେ ଅସମର୍ଥ ଅନୁଭବ କରିପାରନ୍ତି। ଯଦି ଆପଣ ଏହିପରି କୌଣସି ଲକ୍ଷଣ ଦେଖନ୍ତି ତାହେଲେ ତୁରନ୍ତ ନିକଟସ୍ଥ ସ୍ନାୟୁ ଚିକିତ୍ସା କେନ୍ଦ୍ରକୁ ସଂପର୍କ କରନ୍ତୁ।

ପ୍ରାଥମିକ ଚିକିତ୍ସା

୧. ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ହେଲମେଟକୁ ବଳପୂର୍ବକ କାଢ଼ିବାକୁ ଚେଷ୍ଟା କରନ୍ତୁ ନାହିଁ।

୨. ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ବାନ୍ତି କରୁଥାନ୍ତି ତେବେ ତାଙ୍କୁ ଗୋଟିଏ ପାଶ୍ୱର୍କୁ ଶୁଆଇ ଦିଅନ୍ତୁ।

୩. ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ବେକକୁ ସିଧାସଳଖ ରଖନ୍ତୁ, କଦାପି ହଲାନ୍ତୁ ନାହିଁ।

୪. ଯଦି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଫିଡ୍‍ସ ହେଉଥାଏ ତାହେଲେ ତାଙ୍କୁ କୌଣସି ଖାଦ୍ୟ ବା ପାନୀୟ ଦିଅନ୍ତୁ ନାହିଁ।

ମନେ ରଖନ୍ତୁ, ଆମ ଖପୁରୀ ଆମ ମସ୍ତିଷ୍କର ସୁରକ୍ଷା କବଚ। ମସ୍ତିଷ୍କ ଆମ ଶରୀରର ସବୁଠାରୁ ଜଟିଳ ଅଙ୍ଗ ଏବଂ ଏହା ଆମ ଶରୀରକୁ ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିଥାଏ। ମସ୍ତିଷ୍କରେ ଯଦି ଅଧିକ କ୍ଷତି ହୁଏ ତାହେଲେ ଆଘାତପ୍ରାପ୍ତ ବ୍ୟକ୍ତି ଜୀବନସାରା ପାଇଁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଜୀବନ ରକ୍ଷା ପାଇଯାଇପାରେ। କିନ୍ତୁ ସେ ଜୀବନର ମୂଲ୍ୟ କ’ଣ?

ହେଲମେଟ୍‍ ପିନ୍ଧିଥିବା ଆରୋହୀଙ୍କର ଦୁର୍ଘଟଣାରେ ମସ୍ତିଷ୍କରେ ଆଘାତ ଲାଗିବାର ସମ୍ଭାବନା ବହୁତ କମ୍‍ ହୋଇଥାଏ। ହେଲ୍‍ମେଟ ଆମ ମସ୍ତିଷ୍କର ଏକ ସୁରକ୍ଷା କବଚ। ମନେରଖନ୍ତୁ ଆପଣଙ୍କୁ ଆପଣଙ୍କର ପରିବାର ଅପେକ୍ଷା କରିଛନ୍ତି। ସେଥିପାଇଁ ହେଲମେଟ ପିନ୍ଧିବା ଆପଣଙ୍କର ଏକ ଦାୟିତ୍ୱ।

(ଡାକ୍ତର ମୋହିତ ସିଧୋରେ ହେଉଛନ୍ତି ଭୁବନେଶ୍ୱର ଟ୍ରିନିଟି ନ୍ୟୁରୋ ହସ୍‍ପିଟାଲର ସ୍ନାୟୁ, ଶଲ୍ୟ ବିଶେଷଜ୍ଞ)

Comment