ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଝୁରୁଛନ୍ତି ଓଡ଼ିଶାବାସୀ। ଓଡ଼ିଶାରେ ଆଇଓସିଏଲ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନ ସ୍ଥାପନ କରି ସେ ଚିରସ୍ମରଣୀୟ ହୋଇ ରହିଛନ୍ତି।
ତାଙ୍କୁ କିଏ କହେ ମହାନ ରାଜନେତା ତ ସେ କାହା ପାଇଁ ଥିଲେ ଆଦର୍ଶ ପୁରୁଷ। ତାଙ୍କୁ କିଏ ରାଷ୍ଟ୍ରନୀତିଜ୍ଞ କହେ ତ ପୁଣି କିଏ ରାଜନୀତିର ଉତୁଙ୍ଗ ବ୍ୟକ୍ତି ଭାବେ ବିବଚେନା କରିଥାଏ। ହେଲେ ଏସବୁ ପ୍ରଶଂସା ଏବଂ ପ୍ରଶଂସକଙ୍କୁ ପର କରି ଦିଲ୍ଲୀ ଏମ୍ସରେ ଆଜି ଅଟଳ ବିହାରୀ ବାଜପେୟୀ ଆଖିବୁଜିଛନ୍ତି।
ତାଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଭିନ୍ନ ରାଜ୍ୟରୁ ରାଜନେତାମାନେ ବାଜପେୟୀଙ୍କ ଶେଷ ଦର୍ଶନ କରିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବାଜପେୟୀଙ୍କ ଅବର୍ତ୍ତମାନରେ ସେ କରିଯାଇଥିବା କାମ ଏବଂ ଦେଖାଇଥିବା ମାର୍ଗଦର୍ଶନକୁ ସମସ୍ତେ ଝୁରୁଛନ୍ତି। ଓଡ଼ିଶାବାସୀ ମଧ୍ୟ ବାଜପେୟୀଙ୍କୁ ମନେପକାଉଛନ୍ତି।
ପ୍ରଧାନମନ୍ତ୍ରୀ ଥିବା ବେଳେ ଏବଂ ପୂର୍ବରୁ ବାଜପେୟୀ ଅନେକ ଥର ଓଡ଼ିଶା ଆସିଛନ୍ତି। ଓଡ଼ିଶା ସହ ବାଜପେୟୀଙ୍କର ଥିବା ଅଭୁଲା ସମ୍ପର୍କକୁ ଆଜି ଦଳମତ ନିର୍ବିଶେଷରେ ସମସ୍ତେ ଝୁରୁଛନ୍ତି।
ବିଜେପି ପ୍ରତିଷ୍ଠା ହେବା ପରେ ବାଜପେୟୀ ଆସିଥିଲେ ଓଡ଼ିଶା
୧୯୮୦ରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି। ୧୯୮୧ରେ ଓଡ଼ିଶାର ରାଉରକେଲାରେ ଅନୁଷ୍ଠିତ ପ୍ରାନ୍ତୀୟ ଅଧିବେଶନରେ କର୍ମକର୍ତ୍ତାମାନଙ୍କୁ ମାର୍ଗ ଦର୍ଶନ କରିବାକୁ ଆସିଥିଲେ ବାଜପେୟୀ। ସେହିଦିନରୁ ଓଡ଼ିଶା ସହ ବାଜପେୟୀଙ୍କର ନିଆରା ସମ୍ପର୍କ ରହି ଆସିଛି।
୧୯୮୨ରେ ଭୁବନେଶ୍ୱରର କସ୍ତୁରବା ନାରୀ ମହଲରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ଉଦବୋଧନ ଦେଇଥିଲେ ବାଜପେୟୀ। ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ। ପୁଣି ୧୯୮୪ରେ ବାଜପେୟୀ ଆସିଥିଲେ ଓଡ଼ିଶା। ଖୋର୍ଦ୍ଧା, ଜଟଣୀ, ବ୍ରହ୍ମପୁର, ଫୁଲବାଣୀ ଆଦି ଅଞ୍ଚଳ ଗସ୍ତ କରି ଦଳ ପାଇଁ ପ୍ରଚାର କରିଥିଲେ।
ବିଜେଡି ଓ ବାଜପେୟୀଙ୍କ ସମ୍ପର୍କ
ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶାରେ ଗଢ଼ା ହୋଇଥିଲା ବିଜୁ ଜନତା ଦଳ। ୧୯୯୭ରୁ ଆଜି ପର୍ଯ୍ୟନ୍ତ ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ଏହି ଦଳର ନେତୃତ୍ୱ ନେଇ ଆସୁଛନ୍ତି। ନବୀନ ପଟ୍ଟନାୟକ ଚାରି ଚାରି ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। ହେଲେ ନବୀନ ଯେତେବେଳେ ରାଜନୀତିରେ ପ୍ରବେଶ କରିଥିଲେ ସେତେବେଳେ ବାଜପେୟୀଙ୍କ ନେତୃତ୍ୱାଧୀନ ବିଜେପି ସହ ହିଁ ମେଣ୍ଟ କରିଥିଲେ।
୧୯୯୭ରେ ନବୀନ ଆସ୍କା ଲୋକସଭାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ବାଜପେୟୀଙ୍କ ସରକାରରେ କେନ୍ଦ୍ର ଶିଳ୍ପ, ଖଣି ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୦ରେ ବିଜେଡି ବିଧାନସଭା ନିର୍ବାଚନ ଲଢ଼ିଥିଲା। ବାଜପେୟୀଙ୍କ ଉଦାରବାଦୀ ନୀତି ଯୋଗୁଁ ବିଜେଡି ବିଜେପି ସହ ମେଣ୍ଟ କରିଥିଲା। ଦିଲ୍ଲୀ ଏମ୍ସରେ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବା ପରେ ନବୀନ ତାଙ୍କ ପୁରୁଣା ସ୍ମୃତିକୁ ମନେପକାଇଥିଲେ।
“ମୁଁ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ଦୁଇ ବର୍ଷ କେନ୍ଦ୍ର ମନ୍ତ୍ରୀ ରହିବାର ସୁଯୋଗ ପାଇଛି। କେନ୍ଦ୍ର ମନ୍ତ୍ରୀ ରହିବା ବେଳେ ବାଜପେୟୀଙ୍କୁ ଅତି ନିକଟରୁ ଦେଖିଛି। ବାଜପେୟୀ ଜଣେ ମହାନ ନେତା ଥିଲେ। ତାଙ୍କ ନେତୃତ୍ୱରେ କାମ କରି ମୁଁ ଭଲ ଅଭିଜ୍ଞତା ହାସଲ କରିଛି”, କହିଛନ୍ତି ନବୀନ ପଟ୍ଟନାୟକ।
ଓଡ଼ିଶା ପାଇଁ ବାଜପେୟୀଙ୍କ ବଡ଼ ଅବଦାନ
ପାରାଦୀପସ୍ଥିତ ତୈଳ ବିଶୋଧନାଗାର (ଆଇଓସିଏଲ୍) ଏବଂ ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠା ଦିଗରେ ଅଟଳ ବିହାରୀ ବାଜପେୟୀଙ୍କର ବଡ଼ ଅବଦାନ ରହିଛି। ପାରାଦୀପରେ ତୈଳ ବିଶୋଧନାଗାର ସ୍ଥାପନ ପାଇଁ ବାଜପେୟୀ ୨୦୦୦ ମସିହା ମେ ୨୪ ତାରିଖରେ ବାଜପେୟୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ୨୦୧୬ରେ ଏହି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ଫେବ୍ରୁଆରୀ ୭ରେ ପ୍ରକଳ୍ପ ଲୋକାର୍ପଣ କରିଥିଲେ।
ବାଜେପେୟୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ୨୦୦୩ରେ ଦେଶରେ ୬ଟି ନୂଆ ଏମ୍ସ ହସ୍ପିଟାଲ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ। ସେଥିମଧ୍ୟରେ ଥିଲା ଓଡ଼ିଶାର ଭୁବନେଶ୍ୱର। ଭୁବନେଶ୍ୱର ଏମ୍ସ ପ୍ରତିଷ୍ଠା ହେବା ପଛରେ ବାଜପେୟୀଙ୍କ ଅବଦାନକୁ ଓଡ଼ିଶାବାସୀ ଭୁଲି ପାରିବେ ନାହିଁ। ବାଜପେୟୀ ୨୦୦୩ ଜୁଲାଇ ୧୫ରେ ଭୁବନେଶ୍ୱର ଏମ୍ସ ପାଇଁ ଶିଳାନ୍ୟାସ କରିଥିଲେ।
ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ହିଁ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ସ୍ଥାପନ ହୋଇଥିଲା। ୧୯୯୯ ମହାବାତ୍ୟା ବେଳେ ଓଡ଼ିଶା ଛାରଖାର ହୋଇଯାଇଥିଲା। ବାଜପେୟୀ ହିଁ ଓଡ଼ିଶାକୁ ନୂଆ ରୂପରେଖ ଦେବା ପାଇଁ ଉଦ୍ୟମ କରିଥିଲେ।
ବାଜପେୟୀଙ୍କ ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଓଡ଼ିଶା ବିଶେଷ ଭାବେ ଉପକୃତ ହୋଇଛି। ଓଡ଼ିଶାରେ ୪୦ କିଲୋମିଟର ପର୍ଯ୍ୟନ୍ତ ଜାତୀୟ ରାଜପଥର ଉନ୍ନତୀକରଣ ହୋଇପାରିଥିଲା।








ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଝୁରୁଛନ୍ତି ଓଡ଼ିଶାବାସୀ। ଓଡ଼ିଶାରେ ଆଇଓସିଏଲ୍ ଏବଂ ଏମ୍ସ ଭଳି ପ୍ରତିଷ୍ଠାନ ସ୍ଥାପନ କରି ସେ ଚିରସ୍ମରଣୀୟ ହୋଇ ରହିଛନ୍ତି।





