ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। ୧୯୨୪ ମସିହାରେ ଆଜିର ଦିନରେ ଜନ୍ମ ନେଇଥିଲେ ଏହି ମହାନ ରାଷ୍ଟ୍ରନେତା। ଆଜି ତାଙ୍କ ୯୯ତମ ଜନ୍ମ ଜୟନ୍ତୀରେ ସାରା ଦେଶ ତାଙ୍କୁ ମନେ ପକାଉଛି।

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଢ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ରାଜନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସବୁ ରାଜନେତା ନୂଆଦିଲ୍ଲୀର ‘ସଦୈବ ଅଟଳ’ ମେମୋରିଆଲ ସ୍ଥିତ ବାଜପେୟୀଙ୍କ ସମାଧିରେ ପୁଷ୍ପ ଅର୍ପଣ କରିଥିଲେ।   

ଜଣେ ରାଷ୍ଟ୍ରନେତା ଭାବେ ଅଟଳ ବିହାରୀ ବାଜପେୟୀଙ୍କ ଦେଶ ପାଇଁ ଅନେକ ଅବଦାନ ରହିଛି। ୧୯୫୭ ମସିହା ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ବଳରାମପୁର ଅସନରୁ ଭାରତୀୟ ଜନସଂଘ ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ ସେ ପ୍ରଥମଥର ପାଇଁ ଲୋକସଭାରେ ପାଦ ରଖିଥିଲେ। ସଂସଦରେ ଜଣେ ଯୁବ ନେତା ହୋଇ ମଧ୍ୟ ତାଙ୍କର ଓଜସ୍ଵୀ ଭାଷଣ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବେଶ୍ ପ୍ରଭାବିତ କରୁଥିଲା।

୧୯୬୭ ମସିହାରେ ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନସଂଘର ଅଧ୍ୟକ୍ଷ ହୋଇଥିଲେ। ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀ ଲଗାଇଥିବା ‘ଇମରଜେନ୍ସି’ର ବିରୋଧ କରି ସେ ଜେଲ୍ ଯାଇଥିଲେ। ପରେ ୧୯୭୭ ମସିହାରେ ଜନତା ପାର୍ଟି ସରକାରରେ ସେ ଭାରତର ବିଦେଶ ମନ୍ତ୍ରୀ ରହିଥିଲେ। ଏହାପରେ ୬ ଏପ୍ରିଲ ୧୯୮୦ ମସିହାର ସେ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ମିଶି ଭାରତୀୟ ଜନତା ପାର୍ଟିର (ବିଜେପି) ପ୍ରତିଷ୍ଠା କରିଥିଲେ।    

ଭାରତର ପରମାଣୁ ଶକ୍ତିକୁ ଆଉ ପାଦେ ଆଗକୁ ନେବାରେ ବାଜପେୟୀଙ୍କ ଅବଦାନ ଥିଲା ଅତୁଳନୀୟ। ୧୯୭୪ରେ ଭାରତର ପ୍ରଥମ ପରମାଣୁ ପରିକ୍ଷଣ ପରେ ପରବର୍ତ୍ତୀ ପରୀକ୍ଷାଗୁଡ଼ିକର ପ୍ରୟାସକୁ ଅନେକ ଦେଶ ରୋକ ଲଗାଇଥିଲେ। ଫଳରେ ଭାରତ ଏକ ପୂର୍ଣ୍ଣ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହେବାରୁ ବଞ୍ଚିତ ରହିଥିଲା। ମାତ୍ର ବାଜପେୟୀ ତାଙ୍କ ଶାସନ କାଳରେ ସଭିଁଙ୍କୁ ଚକ୍‌ମା ଦେଇ ଦେଶର ପରମାଣୁ ଶକ୍ତି ପରୀକ୍ଷାକୁ ସଫଳ କରିଥିଲେ।

୧୯୯୮ ମସିହା ମେ’ ୧୧ ତାରିଖରେ ରାଜସ୍ଥାନର ପୋଖରଣଠାରେ ପରମାଣୁ ପରୀକ୍ଷଣ ହୋଇଥିଲା। ଏହି ପରୀକ୍ଷଣ ପରେ ସାରା ବିଶ୍ଵରେ ଭାରତ ଏକ ପରମାଣୁ ଶକ୍ତି ଯୁକ୍ତ ରାଷ୍ଟ୍ରରେ ପରିଣତ ହୋଇଥିଲା। ପରମାଣୁ ଶକ୍ତି ଭାରତର ସାମରିକ କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା।

କେବଳ ଉଦାରବାଦ ହିଁ ନୁହେଁ ପରାକ୍ରମରେ ମଧ୍ୟ ବାଜପେୟୀଙ୍କ ଜବାବ ନଥିଲା। ସେ ପ୍ରଧାନମନ୍ତ୍ରୀ ହେବାପରେ ପାକିସ୍ତାନ ସହ ସମ୍ପର୍କ ସୁଦୃଢ଼ କରିବା ଲାଗି ଅନେକ ପ୍ରୟାସ କରିଥିଲେ। ନିଜ ଦଳର ଅନେକ ନେତାଙ୍କ ଦ୍ଵାରା ବିରୋଧର ଶିକାର ହେବା ସତ୍ତ୍ଵେ ସେ ପାକିସ୍ତାନକୁ ଯାତ୍ରା କରିଥିଲେ।

ହେଲେ ଏହାପରେ ୧୯୯୯ ମସିହାରେ ପାକିସ୍ତାନ କାରଗିଲ ଯୁଦ୍ଧ ଆରମ୍ଭ କରି ବିଶ୍ଵାସଘାତ କରିଥିଲା। ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା। ଯୁଦ୍ଧରେ ଭାରତର ବିଜୟ ପାଇଁ ଭାରତୀୟ ସେନାର ପରାକ୍ରମ ସହ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵକୁ ସାରା ବିଶ୍ଵ ପ୍ରଶଂସା କରିଥିଲା।    

ବାଜପେୟୀ ମିଳିତ ଜାତିସଂଘର ସାଧାରଣ ସଭାରେ ହିନ୍ଦୀରେ ଭାଷଣ ଦେବାରେ ଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଜଣେ ରାଜନେତା ସହ ସେ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡ଼ି ସ୍ଲୋଗାନକୁ ଆହୁରି ଲୋକଭିମୁଖୀ କରିଥିଲେ।

Tags: #AtalBihariVajpayee #FormerPrimeMinisterofIndia #BharatRatna #ଅଟଳବିହାରୀବାଜପେୟୀ

Comment