ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ କିଏ ଅବା ନଜାଣେ। ଜଣେ ପ୍ରବୀଣ ବକ୍ତା ଓ ଚତ୍ମକାର ନେତା ଭାବେ ସେ ସମସ୍ତଙ୍କ ପାଖରେ ପରିଚିତ। ହେଲେ ଭାରତର ଏହି ନେତା ଦିନେ ପ୍ରେମରେ ପଡ଼ିଥିଲେ ବୋଲି ବହୁତ କମ ଲୋକ ଜାଣିଥିବେ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜୀବନ ବିବାହ କରି ନଥିଲେ, ହେଲେ ଗ୍ୱାଲିୟରରେ ପଢୁଥିବା ସମୟରେ ସେ ତାଙ୍କର ସହପାଠିନୀ ରାଜକୁମାରୀ କୌଲଙ୍କ ପ୍ରେମରେ ପଡ଼ିଯାଇଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଆରଏସ୍ଏସ୍ ଓ ବାଜପେୟୀଙ୍କ ସମ୍ପର୍କ ମଧ୍ୟ ଖରାପ ହୋଇଥିଲା, ଯାହା ବୋଧହୁଏ ଆଜି ବି ଅନେକ ଲୋକ ଜାଣିନଥିବେ।

ବାଜପେୟୀଙ୍କ ଏହି ପ୍ରେମ କାହାଣୀକୁ ପଦାକୁ ଆଣିଛନ୍ତି ରାଜନୀତି ବିଜ୍ଞାନୀ ତଥା ଲେଖକ ବିନୟ ସୀତାପତି। ସେ ତାଙ୍କର ଲିଖିତ ପୁସ୍ତକ ‘ଯୁବଳବନ୍ଦୀ- ଦ ବିଜେପି ବିଫୋର ମୋଦୀ’ରେ ଏହି କଥାକୁ ଉଲ୍ଲେଖ କରିଛନ୍ତି।ତାଙ୍କ ଲିଖିତ ପୁସ୍ତକ ଅନୁସାରେ, ୧୯୪୧ ମସିହାରେ ବାଜପେୟୀ ଓ ରାଜକୁମାରୀ କୌଲ ଏକାଠି ହୋଇ ଗ୍ୱାଲିୟରର ଭିକ୍ଟୋରିଆ କଲେଜରେ ପାଠ ପଢୁଥିଲେ। ସେହି ସମୟରେ କୌଲଙ୍କ ପ୍ରେମରେ ପଡ଼ିଯାଇଥିଲେ ବାଜପେୟୀ,କିନ୍ତୁ କେବେ ବି ସେ ତାଙ୍କର ମନର କଥା ତାଙ୍କୁ ଖୋଲିକି କହିପାରିନଥିଲେ। ମନକଥା ଖୋଲିକି ନକହି ପାରିବା କାରଣରୁ ବାଜପେୟୀଙ୍କ ଏହି ପ୍ରେମ କାହାଣୀ ସେଇଠି ହିଁ ଅଟକି ଯାଇଥିଲା। ଏହାପରେ ବାଜପେୟୀ ଜନତା ଦଳର ନେତା ହେବା ସହ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଲୋକସଭାକୁ ନିର୍ବାଚିତ ହେବା ପରେ ବାଜପେୟୀ ଦିନେ ଏକ ସଭାରେ ଯୋଗଦେବା ପାଇଁ ଦିଲ୍ଲୀର ରାମଦାସ କଲେଜ ଯାଇଥିଲେ। ଯେଉଁଠି ଅଚାନକ ଭାବେ ସେ ଭେଟିଥିଲେ ତାଙ୍କ କଲେଜ ଜୀବନର ବାନ୍ଧବୀ ରାଜକୁମାରୀ କୌଲଙ୍କୁ। ଏହି ୧୬ ବର୍ଷ ଭିତରେ ରାଜକୁମାରୀ କୌଲଙ୍କ ବିବାହ ମଧ୍ୟ ହୋଇସାରିଥିଲା। ରାଜକୁମାରୀ କୌଲ ଓ ବାଜପେୟୀ କେବେ ବି ଏହି ୧୬ ବର୍ଷ ଭିତରେ କାହାକୁ ଦେଖାସାକ୍ଷାତ କରିନଥିଲେ।

୧୬ ବର୍ଷପରେ ଭେଟାଭେଟି ହେବା ପରେ ବାଜପେୟୀ ଏବଂ କୌଲଙ୍କ ଭିତରେ ପୁଣି ସମ୍ପର୍କ ନିବିଡ଼ ହୋଇଥିଲା। ସେହି ସମୟରେ ବାଜପେୟୀ ବାରମ୍ବାର କୌଲଙ୍କ ଘରକୁ ଯାଇ ତାଙ୍କୁ ଦେଖାକରିବା ସହିତ ବିଭିନ୍ନ ବିଷୟରେ ତାଙ୍କ ସହ ଆଲୋଚନା କରୁଥିଲେ। କୌଲଙ୍କ ସ୍ୱାମୀ ବ୍ରିଜନାଥ ମଧ୍ୟ ବାଜପେୟୀଙ୍କୁ କେବେ ବି ଏଥିପାଇଁ ବାରଣ କରିନଥିଲେ।

ବାରମ୍ବାର କୌଲଙ୍କ ଘରକୁ ଯିବା ପରେ ତାଙ୍କ ପିଲାମାନଙ୍କ ପ୍ରତି ବା‌ଜପେୟୀଙ୍କ ଶ୍ରଦ୍ଧା ବଢ଼ିବାରେ ଲାଗିଥିଲା। ବିଶେଷକରି ତାଙ୍କ ସାନ ଝିଅ ନମିତାଙ୍କ ପ୍ରତି ବାଜପେୟୀଙ୍କ ସ୍ୱତନ୍ତ୍ର ଭଲପାଇବା ଥିଲା, ଯାହାଙ୍କୁ ପରେ ସେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ।ସୀତାପତି ତାଙ୍କ ପୁସ୍ତକରେ ଆହୁରି ଲେଖିଛନ୍ତି ଯେ, ବାଜପେୟୀ-କୌଲଙ୍କ ଏହି ସମ୍ପର୍କକୁ ନେଇ ଆରଏସ୍ଏସ୍ ଶିବିରରେ ବି ଚର୍ଚ୍ଚା ଆରମ୍ଭ ହେଇଥିଲା। ବାଜପେୟୀ ସେତେବେଳେ ଆରଏସ୍‌ଏସ୍‌ର ପ୍ରମୁଖ ଯୁବ ଚେହେରା ଥିଲେ, କିନ୍ତୁ ରାଜକୁମାରୀଙ୍କ ସହିତ ସଂପର୍କ ବଢ଼ିବା ପରେ ସେ ଅଧିକ ନରମ, ଧର୍ମନିରପେକ୍ଷ ହେବାକୁ ଲାଗିଥିଲେ। ଯାହା ଆରଏସ୍ଏସ୍ ପାଇଁ ଚିନ୍ତାଜନକ ଥିଲା।

ଏହାପରେ ସଂଘର ମୁଖ୍ୟ ଏମ୍‌ଏସ୍‌ ଗୋଲୱାଲକର ଅନ୍ୟ ନେତାଙ୍କ ସହ ଆଲୋଚନା ପାଇଁ ୧୯୬୫ରେ ଟ୍ରେନରେ ନାଗପୁରରୁ ଦିଲ୍ଲୀ ଆସିଥିଲେ। ଏଥିରେ ଉତ୍ତରପ୍ରଦେଶ ପ୍ରାନ୍ତ ପ୍ରଚାରକ ଭାଉସାହେବ ଦେଓରାସ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ବାଜପେୟୀ ଓ କୌଲଙ୍କ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।ସେଷରେ ବାଜପେୟୀଙ୍କୁ ଆରଏସ୍ଏସର ଘନିଷ୍ଠ ମହଲରୁ ବାଦ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ବୋଲି ସୀତାପତିଙ୍କ ପୁସ୍ତକରେ ଉଲ୍ଲେଖ ରହିଛି।

୨୦୦୪ ମସିହା ମେ ମାସ ୨ ତାରିଖରେ ରାଜକୁମାରୀ କୌଲଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କ ଝିଅ ନମିତାକୁ ବାଜପେୟୀ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଥିଲେ। ବାଜପେୟୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ନମିତା ତାଙ୍କ ସହ ରହିଥିଲେ।

Comment