ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତି, ବୀର ଗାଥା କାହାକୁ ଅଛପା ନାହିଁ। ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତା ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ। ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତାବ ଯାଇଛି। ଏହା ସତ୍ତ୍ଵେ ଦେଶ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ । ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି ।

ଏବେ ଜେଡି (ୟୁ) ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ। ସ୍ୱତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି। ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି। ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ।

ସୋମବାର ଜେଡିୟୁ ନେତା କେ ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି।

“ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ରାଷ୍ଟ୍ରପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା। ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ। ଉତ୍ତରଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ। ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା। ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର”, କହିଛନ୍ତି ଜେଡିୟୁ ନେତା କେ ସି ତ୍ୟାଗୀ।

ବିଜୁ ପଟ୍ଟନାୟକ ପାଇଁ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତତ୍କାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା କେ ସି ତ୍ୟାଗୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀକାନ୍ତ ଜେନା ମଧ୍ୟ କେ ସି ତ୍ୟାଗୀଙ୍କ ଦାବିକୁ ସମର୍ଥନ କରିଛନ୍ତି।

Tags: #BijuPatnaik #BharatRatna #JDU #KCTyagi #SrikantJena #Odisha #NaveenPatnaik

Comment