ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ରତ୍ନ ପାଇଁ ଏକା ସାଙ୍ଗରେ ତିନିଜଣଙ୍କ ନାଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଏବଂ ପିଭି ନରସିଂହ ରାଓ ଓ ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯିବ। ଏ ନେଇ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ଆମ ସରକାର ପାଇଁ ସୌଭାଗ୍ୟର କଥା। ଏହି ସମ୍ମାନ ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସମର୍ପିତ। ସେ ଚାଷୀମାନଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ସେ ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ବିଧାୟକ ହେବାଠାରୁ ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେ ସର୍ବଦା ରାଷ୍ଟ୍ର ଗଠନ ଉଦ୍ୟମ କରିଛନ୍ତି।

ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଭାରତକୁ ଆର୍ଥିକ ଦୃଷ୍ଟିରୁ ଉନ୍ନତ କରିବା ତଥା ଦେଶର ସମୃଦ୍ଧି କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 

ବୈଜ୍ଞାନିକ ଡକ୍ଟର ଏମଏସ ସ୍ୱାମୀନାଥନଙ୍କ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହେବା ଗୌରବର ବିଷୟ। ଦେଶର କୃଷି ଓ କୃଷକଙ୍କ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେ ଦେଶର ଆହ୍ୱାନପୂର୍ଣ୍ଣ ସମୟରେ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଭାରତୀୟ କୃଷିକୁ ଆଧୁନିକୀକରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଉଦ୍ୟମ କରିଥିଲେ।

ଡକ୍ଟର ଏମଏସ ସ୍ୱାମୀନାଥନଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ କେବଳ ଭାରତୀୟ କୃଷିକୁ ପରିବର୍ତ୍ତନ କରିନାହିଁ, ବରଂ ଦେଶର ଖାଦ୍ୟ ନିରାପତ୍ତା ତଥା ସମୃଦ୍ଧତାକୁ ମଧ୍ୟ ସୁଦୃଢ଼ କରିପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଡକ୍ଟର ଏମଏସ ସ୍ୱାମୀନାଥନଙ୍କୁ ଅତି ନିକଟରୁ ଜାଣିଥିଲେ ଏବଂ ସର୍ବଦା ତାଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଉଥିଲେ।

Tags: #BharatRatna #FormerPMChoudhuryCharanSing #PVNarasimhaRao #MSSwaminathan #India

Comment