ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ସନ୍ଧ୍ୟାରେ ଘୋଷଣା ହେବ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍। ଶକ୍ରବାର ସନ୍ଧ୍ୟା ୭ଟାରେ ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯିବ। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ କମିଟି ଏହି ନିଷ୍ପତି ନେବେ। ଏହି ଚୟନ ପକ୍ରିୟାରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ସହ ବ୍ୟାଟିଂ କୋଚ୍, ବୋଲିଂ କୋଚ୍ ଏବଂ ଫିଲଡିଂ କୋଚ୍ ମଧ୍ୟ ଚୟନ କରାଯିବ।

ମୁଖ୍ୟ କୋଚ୍ ଦୌଡ଼ରେ ୬ ଜଣ :

ମାଇକ ହେସନ

ନ୍ୟୁଜିଲାଣ୍ଡର ପୂର୍ବତନ କୋଚ୍ ମାଇକ ହେସନ ଭାରତୀୟ କ୍ରିକେଟ୍ ଦଳର ଆଗାମୀ କୋଚ୍ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମାଇକ କୋଚ୍ ଥିବା ସମୟରେ ନ୍ୟୁଜିଲାଣ୍ଡ ପ୍ରଥମ କରି ୨୦୧୫ ଆଇସିସି ୱାର୍ଲ୍ଡକପ୍ ଫାଇନାଲରେ ପ୍ରବେଶ କରିପାରିଥିଲା। ଏଥିସହ ଆଇପିଏଲରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର କୋଚ୍ ରହି ମାଇକ ହେସନ ନିଜ କମାଲ ଦେଖାଇସାରିଛନ୍ତି।

ଟମ୍ ମୁଡି

ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ଟମ୍ ମୁଡି ମଧ୍ୟ ଭାରତୀୟ କୋଚ୍‌ ଦୌଡ଼ର ଆଗରେ ଅଛନ୍ତି। ମୁଡିଙ୍କ ପ୍ରଶିକ୍ଷଣରେ ୨୦୦୭ ମସିହାରେ ଶ୍ରୀଲଙ୍କା ଦଳ ଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା। ସେ ମଧ୍ୟ ଆଇପିଏଲ୍ ଟିମ୍ ସନରାଇଜର୍ସ ହାଇଦ୍ରାବାଦ ଦଳର ମୁଖ୍ୟ କୋଚ୍‌ ଅଛନ୍ତି। ଆଇପିଏଲର ୬ଟି ସିଜିନରେ ଖେଳିଥିବା ସନରାଇଜର୍ସ ଦଳ ମୁଡିଙ୍କ ନେତୃତ୍ୱରେ ୪ଥର ପ୍ଲେ-ଅଫ୍‌ରେ ପହଞ୍ଚିଥିବା ବେଳେ ଥରେ ଟାଇଟଲ ମଧ୍ୟ ଜିତିଥିଲା।

ଫିଲ୍ ସିମନ୍‌ସ

ୱେଷ୍ଟଇଣ୍ଡିଜ ଦଳର ପୂର୍ବତନ ଅଲରାଉଣ୍ଡର ଫିଲ୍ ସିମନ୍‌ସ ପୂର୍ବରୁ ଜିମ୍ବାୱେ, ଆୟରଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଆଫଗାନସ୍ତାନ ଦଳର କୋଚ ପଦବୀରେ ରହିସାରିଛନ୍ତି। ସିମନ୍‌ସଙ୍କ କୋଚିଂ ସମୟରେ ୱେଷ୍ଟଇଣ୍ଡିଜ୍ ୨୦୧୬ରେ ଟି-୨୦ ବିଶ୍ୱକପ୍ ଜିତିପାରିଥିଲା।

ରବିନ୍ ସିଂ

ଭାରତୀୟ କ୍ରିକେଟ୍ ଟିମ୍‌ର କୋଚ୍‌ ଦୌଡ଼ରେ ଅଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳୀ ରବିନ୍ ସିଂହ। ସେ ଅଣ୍ଡର ୧୯ ଭାରତୀୟ କ୍ରିକେଟ୍ ଟିମ୍ ଓ ହଂକଂ ଦଳକୁ କୋଚିଂ ଦେଇସାରିଛନ୍ତି।  ୨୦୦୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରବିନ୍ ସିଂହ ଭାରତୀୟ ଦଳର ଫିଲଡିଂ କୋଚ୍ ମଧ୍ୟ ରହିସାରିଛନ୍ତି। ଏଥିସହ ଆଇପିଏଲ୍‌ରେ ମୁମ୍ବାଇ, ଡେକାନ ଚାର୍ଜର୍ସ ଟିମକୁ କୋଚିଂ ଦେବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି।

ଲାଲଚାନ୍ଦ ରାଜପୁତ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମ୍ୟାନେଜର ଲାଲଚାନ୍ଦ ରାଜପୁତ ମଧ୍ୟ ଏହି କୋଚ୍ ଦୌଡ଼ରେ ଅଛନ୍ତି। ସେ ପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ଦଳର କୋଚ୍ ରହିସାରିଛନ୍ତି। ୨୦୦୭ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଯେବେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ୍ ଜିତିଥିଲା, ସେ ସମୟରେ ଲାଲଚାନ୍ଦ ଭାରତୀୟ ଦଳର ମ୍ୟାନେଜର ପଦରେ ଥିଲେ। ଏଥିସହ ୨୦୧୮ ମସିହାରେ ସେ ଜିମ୍ବାୱେ ଦଳର ଅନ୍ତରୀଣ କୋଚ୍ ପଦବୀ ସମ୍ଭାଳିଥିଲା।

ରବି ଶାସ୍ତ୍ରୀ

ଏହି ପାଞ୍ଚଜଣଙ୍କ ପରେ କୋଚ୍ ପଦକୁ ନେଇ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ଅଧିନାୟକ ବିରାଟ କୋହଲି ମଧ୍ୟ ରବି ଶାସ୍ତ୍ରୀଙ୍କ କୋଚ୍ ହେବା ସପକ୍ଷରେ ଅଛନ୍ତି। ତେଣୁ ପୁର୍ନବାର ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି।

Comment