ଓଡ଼ିଶାଲାଇଭ୍ ବ୍ୟୁରୋ

  • ୬ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର
  • ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏଁ ହଟିବ ଜବରଦଖଲ
  • କ୍ଷତିଗ୍ରସ୍ତଙ୍କୁ ମିଳିବ ଆର୍ଥିକ ସହାୟତା
  • ଓଡ଼ିଶା ମାରିଟାଇମ ବୋର୍ଡ ଗଠନ ବିଲକୁ ମଞ୍ଜୁରୀ

ଭକ୍ତ ଓ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷପ ନେବାକୁ ଯାଉଛନ୍ତି। ଶ୍ରୀମନ୍ଦିର ଚାରିପଟୁ ଜବରଦଖଲ ହଟାଇବାକୁ ଆଜି କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଛି।

ଆଜି ଲୋକସେବା ଭବନରେ ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ନୂଆ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ବୈଠକରେ ଉପସ୍ଥିତ ଥିଲେ। କ୍ୟାବିନେଟ୍‌ ବୈଠକରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା।

ଶ୍ରୀମନ୍ଦିର ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଯାଏଁ ଜବରଦଖଲ ହଟାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଜବରଦଖଲ ହଟାଇବା ବେଳେ ଯେଉଁମାନେ କ୍ଷତିଗ୍ରସ୍ତ ହେବେ ସେମାନଙ୍କୁ ଆର୍ଥିକ ଅନୁଦାନ ଦେବା ପାଇଁ ବ୍ୟବସ୍ଥା ରହିବ। କ୍ଷତିଗ୍ରସ୍ତମାନଙ୍କୁ ଅବଢ଼ା ଯୋଜନାରୁ ପାଣ୍ଠି ଦିଆଯିବ।

ଜଷ୍ଟିସ୍ ବି ପି ଦାସ କମିସନଙ୍କ ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯିବ ବୋଲି କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ଏହାସହ କ୍ୟାବିନେଟରେ ଓଡ଼ିଶା ମାରିଟାଇମ ବୋର୍ଡ ଗଠନ ବିଲକୁ ମଞ୍ଜୁରୀ ମିଳିଛି। ଏହି ବୋର୍ଡର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ। ବୋର୍ଡରେ ୧୨ ଜଣ ସଦସ୍ୟ ରହିବେ।

କ୍ଷତିରେ ଚାଲୁଥିବା ଓଏସ୍‌ଆର୍‌ଟିସି ନିଗମର ଆର୍ଥିକ ପୁନର୍ବିନ୍ୟାସ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି।

Comment