ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିବାଦରେ ଫସିଛନ୍ତି ଓଲିଉଡ୍‌ର କମେଡିଆନ୍‌ ତତ୍ତ୍ୱ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌। ପପୁ ଏବେ ତାଙ୍କର ଅପକମିଂ ଫିଲ୍ମର ପୋଷ୍ଟର ମିଷ୍ଟର କହ୍ନେୟାକୁ ନେଇ ବିବାଦଘେରକୁ ଆସିଛନ୍ତି।

ଗଣେଶ ପୂଜାରେ ମୁକ୍ତିଲାଭ କରିବାକୁ ଥିବା ପପୁଙ୍କର ଏକ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଛି। ଯେଉଁ ପୋଷ୍ଟରଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ପୋଷ୍ଟରକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଏହି ପୋଷ୍ଟରରେ ୭ ଜଣ ମହିଳାଙ୍କ ବେକରେ ରସି ବନ୍ଧା ଯାଇଛି। ଯେଉଁ ରସିକୁ ନିୟନ୍ତ୍ରଣ କରୁଛନ୍ତି ପପୁ। ପୋଷ୍ଟରରେ ପପୁଙ୍କୁ ଏକ ରଥର ସାରଥୀ ଭଳି ଚିତ୍ରଣ କରାଯାଇଛି।

ଏଥିରେ ମହିଳାଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅନ୍ୟପଟେ ମିଷ୍ଟର କହ୍ନେୟା ପୋଷ୍ଟରକୁ ନେଇ କ୍ରୀଡ଼ାବିତ୍ ଦୂତୀ ଚାନ୍ଦ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦୂତୀ ନିଜ ଫେସବୁକ୍‌ରେ ଲେଖିଛନ୍ତି, ‘‘ମୁଁ ଏ ପୋଷ୍ଟରକୁ ବିରୋଧ କରୁଛି। ନାରୀମାନଙ୍କ ଏ କି ସମ୍ମାନ? ନାରୀମାନେ କ’ଣ ପୁରୁଷଙ୍କ ପାଇଁ କୁକୁର?’’

ଦୂତୀ ଏହି ଫିଲ୍ମର ପ୍ରଯୋଜନା ସଂସ୍ଥାକୁ ଏହି ପୋଷ୍ଟରକୁ ହଟାଇବାକୁ ଅନୁରୋଧ କରିଛନ୍ତି।

ପୂର୍ବରୁ କାଷ୍ଟିଂ କାଉଚ୍‌ରେ ଅଡ଼ୁଆରେ ପଡ଼ିଥିବା ପପୁ ପୁଣି ଏବେ ବିବାଦ ଘେରରେ।

ନିକଟରେ ସ୍ଵାସ୍ଥ୍ୟଗତ କାରଣରୁ ଫିଲ୍ମ ଜଗତରୁ ଦୂରେଇ ରହିଥିଲେ ପପୁ। ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ ତମ ଚଳଚ୍ଚିତ୍ର ମିଷ୍ଟର୍ କହ୍ନେୟାରେ ଅଭିନୟ କରିଛନ୍ତି ପପୁ ପମ୍‌ ପମ୍‌। ଫିଲ୍ମର ନିର୍ଦ୍ଦେଶନା ରମେଶ ରାଉତ ଦେଇଥିବା ବେଳେ ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲଙ୍କ ପ୍ରଯୋଜନା ଦେଇଛନ୍ତି। ପପୁଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ ଝିଲିକ୍‌।

ଏହି ପୋଷ୍ଟରକୁ ନେଇ ଦୂତୀ ଚାନ୍ଦ ସୋସିଆଲ୍‌ ମିଡିଆରେ ପ୍ରତିକ୍ରିୟା ବେଳେ ସ୍ୱେଚ୍ଛାସେବୀ ଲିଙ୍କନ୍‌ ସୁବୁଦ୍ଧି ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି।

Comment