ଓଡ଼ିଶାଲାଇଭ୍ ବ୍ୟୁରୋ

ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ମାମଲା ରୁଜୁ କରିଛି ହେମଗିରି ଥାନା ପୋଲିସ। ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଛି।

ଏସ୍‌ପିଙ୍କ ବିରୋଧରେ ଦଫା ୪୨୭, ୩୪୧, ୫୦୬, ୪୫୭, ୩୨୩, ୨୯୪, ୩୪୨, ୩୧୩, ୧୬୬, ୧୬୭, ୫୦୩ ଓ ୫୦୪ରେ ମାମଲା ରୁଜୁ ହୋଇଛି।

ଜୁଲାଇ ୩ ତାରିଖ ରାତିରେ ସୁନ୍ଦରଗଡ଼ କନିକା ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରି କନିକା ଫାଣ୍ଡି ଜିମା ଦେଇଥିଲେ। ହେମଗିରି ଥାନା ପୋଲିସ ପରେ କନିକା ଫାଣ୍ଡିରୁ ଗାଡ଼ିଟିକୁ ନେଇ ଯାଇଥିଲା।

ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଲିସ ଛାଡ଼ି ଦେଇଥିବା ପ୍ରଚାର ହୋଇଥିଲା। ଲୋକେ ରାସ୍ତାରୋକ କରିବା ସହ ଥାନା ଟେକା ପଥର ମାଡ଼ କରିଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାରୁ ଲୋକେ ଛତ୍ରଭଙ୍ଗ ଦେଇଥିଲେ।

ସେହି ରାତିରେ ଏସ୍‌ପି ସୌମ୍ୟା ମିଶ୍ର ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଗାଁରେ ଚଢ଼ାଉ କରିଥିଲେ। ପୋଲିସ କନିକା ଗାଁର ପ୍ରିୟା ଦେଙ୍କ ଘରେ ଚଢ଼ାଉ କରିଥିଲା। ପ୍ରିୟାଙ୍କ ସ୍ୱାମୀଙ୍କୁ ପୋଲିସ ଧରିବାକୁ ଯାଇଥିଲା। ହେଲେ ସେ ନଥିବାରୁ ପୋଲିସ ପ୍ରିୟାଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ମାଡ଼ରେ ପ୍ରିୟାଙ୍କ ଗର୍ଭ ନଷ୍ଟ ହୋଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଅଗଷ୍ଟ ୫ରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ନାଁରେ ଏସ୍‌ଡିଜେଏମ୍‌ କୋଟରେ ପିଟିସନ ଦାଖଲ ହୋଇଥିଲା।

Comment