ଓଡ଼ିଶାଲାଇଭ୍ ବ୍ୟୁରୋ

  • ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ ଅଭିଯାନ
  • ଭଙ୍ଗାଗଲା ବେଆଇନ୍ କୋଠା
  • ସ୍ଥାନାନ୍ତର ହେଲା ସିଂହଦ୍ୱାର ଫାଣ୍ଡି
  • ପଶ୍ଚିମଦ୍ୱାରରୁ ହଟିଲା ବିଦ୍ୟୁତ ଦେୟ କେନ୍ଦ୍ର
  • ସୂଚନାକେନ୍ଦ୍ର ଓ ଦୁଇ ଜୋତା ଷ୍ଟାଣ୍ଡ ବି ସ୍ଥାନାନ୍ତର

ପୁରୀ: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁସାରେ ଆଜିଠୁ ଶ୍ରୀମନ୍ଦିର ଚାରପଟୁ ଜବରଦଖଲ ଉଛେଦ ଆରମ୍ଭ ହୋଇଛି। ମେଘନାଦ ପାଚେରୀ କଡ଼ରୁ ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଆଜି ସକାଳୁ ବୁଲ୍‌ଡୋଜର ସହାୟତାରେ ଜବରଦଖଲ ହଟାଯାଇଥିଲା।

ମେଘନାଦ ପାଚେରୀକୁ ଜବରଦଖଲମୁକ୍ତ କରିବା ପାଇଁ ପ୍ରଶାସନ ଆରମ୍ଭ କରିଛି ଉଦ୍ୟମ। ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ ଏବଂ ବେସରକାରୀ କୋଠାକୁ ଉଛେଦ କରାଯାଇଛି। ଏହାପରେ ପ୍ରଶାସନ ଅନ୍ୟ ସ୍ଥାନରୁ ଜବରଦଖଲ ହଟାଇବ।

ପୁରୀ ଜିଲ୍ଲାପାଙ୍କ ଉପସ୍ଥିତିରେ ଆଜି ଆରମ୍ଭ ହୋଇଥିଲା ଜବରଦଖଲ ହଟାଇବା ଅଭିଯାନ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁରୀ ସହରରେ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ମେଘନାଦ ପାଚେରିକୁ ଲାଗିଥିବା ବହୁ ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି। ରବିବାର ରାତିରେ ସିଂହଦ୍ୱାର ସମ୍ମୁଖ ଫାଣ୍ଡିକୁ ଘୁଞ୍ଚାଇ ଦିଆଯାଇଥିଲା। ଏଠାରେ ଥିବା ଦରକାରୀ କାଗଜପତ୍ର ସହ ଅନ୍ୟାନ୍ୟ ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ସିଂହଦ୍ୱାର ଓ ଉତ୍ତରଦ୍ୱାର ମଝିରେ ରହିଥିବା ଦୁଇ ଜୋତାଷ୍ଟାଣ୍ଡ, ଦୁଇ ମୋବାଇଲ୍ ଷ୍ଟାଣ୍ଡ୍, ଦିବ୍ୟାଙ୍ଗ ରାମ୍ପ ଆଦିକୁ ବଡ଼ଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି।

ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ଚଲାଇବା ପାଇଁ ଲୁହାର ବଡ଼ ବଡ଼ କଣ୍ଟେନର ବି ଅଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଟି ଲୁହାର କଣ୍ଟେନର ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ରଖାଯାଇଛି। ଗୋଟିଏ କଣ୍ଟେନର ପୋଲିସ ଫାଣ୍ଡିକୁ ଦିଆଯାଇଛି। ବାକି କଣ୍ଟେନରରେ ସୂଚନା କେନ୍ଦ୍ର ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ଖୋଲିବାର ବ୍ୟବସ୍ଥା କରାଯିବ।

‘‘ଶ୍ରୀମନ୍ଦିରରେ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଦିନରେ ପ୍ରାୟ ୪୦ ହଜାର ଭକ୍ତ ଶ୍ରୀମନ୍ଦିର ଆସୁଛନ୍ତି। ଭକ୍ତମାନଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହେଉନି। ଭକ୍ତମାନଙ୍କ ସୁବିଧା ନିମନ୍ତେ ଜବରଦଖଲ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି’’, କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର।

‘‘ଜବରଦଖଲ ଉଛେଦ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ମେଘନାଦ ପାଚେରୀ କଡ଼ରେ ଥିବା ବିଭିନ୍ନ ସରକାରୀ ଅଫିସ ପୂର୍ବରୁ ସ୍ଥନାନ୍ତର କରାଯାଇଥିଲା। ଯେଉଁଗୁଡ଼ିକ ବେଆଇନ ଭାବେ ଥିଲା ସେଗୁଡ଼ିକୁ ଭଙ୍ଗା ଯାଇଛି’’, କହିଛନ୍ତି ପୁରି ଜିଲ୍ଲାପାଳ ବଲବନ୍ତ ସିଂହ।

ପ୍ରଥମ ଦିନ ଉଛେଦରେ ପଶ୍ଚିମ, ଉତ୍ତର, ଦକ୍ଷଇର ଦ୍ୱାର ସମ୍ମୁଖରେ ଥିବା ବିଭିନ୍ନ ଦୋକାନ, ଜୋତା ଷ୍ଟାଣ୍ଡ ଆଦି ହଟିଛି। ପଶ୍ଚିମଦ୍ୱାରରେ ଥିବା ବିଦ୍ୟୁତ ବିଲ୍‌ ଦେୟ କେନ୍ଦ୍ର ବି ହଟିଛି।

ପୁରୀ ବାସିନ୍ଦା ଏହି ଉଛେଦକୁ ବିରୋଧ କରିଛନ୍ତି। ପ୍ରଶାସନ ଯେଉଁ ୭୫ ମିଟର ଓସାରର ଜବରଦଖଲ ହଟାଇବାକୁ ନିଷ୍ପତ୍ତି ନେଇଛି ତାକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ପୁରୀ ବାସିନ୍ଦା।

ସେମାନେ କହିଛନ୍ତି ଯେ ୭୫ ମିଟର ପର୍ଯ୍ୟନ୍ତ ଉଛେଦ ହେଲେ ବହୁ ମଠ, ମନ୍ଦିର ଭାଙ୍ଗିଯିବ। ଫଳରେ ପୁରୀ ସହରର ଐତିହ୍ୟ ନଷ୍ଟ ହେବ। ଶ୍ରୀମନ୍ଦିରର ଶୋଭା ହରାଇବ। ଯଦି ସରକାର ୭୫ ମିଟର ପର୍ଯ୍ୟନ୍ତ ଉଛେଦ କରନ୍ତି ତାହାଲେ ଜୋରଦାର ବିରୋଧ କରାଯିବ।

Comment