ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ନୂଆ ପୋଲିସ୍ କମିଶନରଙ୍କୁ ଚାଲେଞ୍ଜ। ବୋମାମାଡ଼ରେ ଥରିଉଠିଲା କଟକ। ଯେଉଁ ନୂଆ କମିସନରଙ୍କୁ ନେଇ କମିସନରେଟ୍ ପୋଲିସ ଚଳଚଞ୍ଚଳ ସେଠି ଅପରାଧୀ ବୋମା ପକାଇ ନିଜ ପତିଆରା ଜାହିର୍‌ କରିଛନ୍ତି।

ଭୁବନେଶ୍ୱର କମିସନରେଟ୍‌ ପୋଲିସ କାର୍ଯ୍ୟାଳୟରେ ନୂଆ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଦାୟିତ୍ୱ ନେଉଥିବା ବେଳେ କଟକ ଫୁଟିଥିଲା ବୋମା। ବୁଧବାର ପ୍ରାୟ ଦିନ ଗୋଟାଏ ପରେ କିଛି ଦୁର୍ବୃତ୍ତ ଲାଲବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଡଗରପଡ଼ା ଭୂତିଆସାହି ଅଞ୍ଚଳରେ ଦୁଇ ପରିବାରକୁ ଟାର୍ଗେଟ୍ କରି ଘନଘନ ବୋମା ମାଡ଼ କରିଛନ୍ତି।

ବାଇକ୍‌ରେ ଆସି ଦୁର୍ବୃତ୍ତମାନେ ଦୁଇ ଘର ଉପରକୁ ଚାରିରୁ ଅଧିକ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ବୋମା ମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି।

ବୋମାମାଡ଼ ଘଟଣାରେ ଲାଲବାଗ ଥାନା ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ନେଇ ଘଟଣାସ୍ଥଳରେ ତଦନ୍ତ କରିଛି। ଘଟଣାସ୍ଥଳରୁ ତଦନ୍ତକାରୀ ଦଳ ଗୋଟିଏ ଅଫୁଟା ବୋମା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ବୋମା ମାଡ଼ ପରେ ଅଲିଶାବଜାର ଭୂତିଆ ସାହି ଅଞ୍ଚଳରେ ଆତଙ୍କରାଜ ଚଳାଇ ଆସୁଥିବା ଜଣେ କୁଖ୍ୟାତ ତଥା ପେସାଦାର ଅଭିଯୁକ୍ତ ନିଜ ଆଡୁ ଯାଇ ଲାଲବାଗ ଥାନାରେ ଆତ୍ମସମର୍ପଣ କରିଥିବା କୁହାଯାଉଛି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ମଧ୍ୟ ପୋଲିସ୍ ଉଠାଇ ନେଇ ଏବେ ଅଟକ ରଖି ପଚରାଉଚରା ଚଳାଇଥିବା ସୂଚନା ମିଳିଛି। ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜେରା କରୁଛି।

ବୁଧବାର ଦିନ ପ୍ରୟ ଗୋଟାଏ ବେଳେ ଅଲିଶା ବଜାର ଭୂତିଆ ସାହି ଅଞ୍ଚଳର ସ୍ୱର୍ଗତ ତ୍ରିଲୋଚନ ପରିଡ଼ା ଏବଂ ସ୍ୱର୍ଗତ ବୃନ୍ଦାବନ ପରିଡ଼ାଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ଏକାଧିକ ବୋମା ମାଡ଼ କରିଥିଲେ।

୨ଟି ବୋମା କାନ୍ଥରେ ବାଜି ବିସ୍ଫୋରଣ ହୋଇଥିବା ବେଳେ ଆଉ ଗୋଟିଏ ଫୁଟିନଥିଲା। ବୋମା ବସ୍ଫୋରଣରେ  ସମ୍ପୃକ୍ତ ଦୁଇ ପରିବାର ସମେତ ପାଖପଡ଼ିଶା ଲୋକ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ଦୁଇ ପୀଡ଼ିତ ପରିବାର ପକ୍ଷରୁ ଲାଲବାଗ ଥାନାରେ ଦୁଇଟି ଏତଲା ରୁଜୁ ହୋଇଛି।

Comment