ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଖାକିରେ କଳଙ୍କ। ନିଜକୁ କମିସନରେଟ୍ ପୋଲିସର ସ୍ପେସାଲ୍ ସ୍କ୍ୱାଡ୍ କହି ଜଣେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟିବା ଘଟଣା ଟାଙ୍ଗୀ ଥାନାର ତିନି ପୋଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଛି। ଖୋଦ୍‌ ଟାଙ୍ଗୀ ଥାନା ଏନେଇ ମାମଲା ରୁଜୁ କରି ୩ ଜଣ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ କନଷ୍ଟେବଳ ଯୋଗେଶ ପାଣି, ହୋମଗାର୍ଡ ବ୍ରଜକିଶୋର ପଣ୍ଡା ଓ ସନ୍ତୋଷ ମଲ୍ଲିକ।

ଏହି ଗିରଫଦାରୀ ବିଷୟରେ କଟକ ଗ୍ରାମାଞ୍ଚଳ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ବୁଧବାର ରାତିରେ ଜଣେ ବ୍ୟବସାୟୀ କୋଲକତାରୁ ଏକ କାରରେ ପରିବାର ସହିତ ଭୁବନେଶ୍ୱର ଫେରୁଥିଲେ। ସେ ନିର୍ଗୁଣ୍ଡି ଟୋଲ୍ ଗେଟ୍ ପାଖରେ ଆସୁଥିବା ବେଳେ ହଠାତ୍ କିଛି ପୋଲିସ କର୍ମଚାରୀ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ନିଜକୁ କମିସନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ କହି ପରିଚୟ ଦେଇ ବ୍ୟବସାୟୀଙ୍କ କାରକୁ ଯାଞ୍ଚ କରିବାକୁ ଲାଗିଲେ।

ଗାଡ଼ି କାଗଜପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ ଓ ପଛ ଡିକିକୁ ସେମାନେ ଯାଞ୍ଚ କରିଥିଲେ। ତେବେ ଯାଞ୍ଚ ସମୟରେ କାର ସମ୍ମୁଖ ଭାଗରେ ଥିବା ଏକ ବକ୍ସ ଭିତରେ ୧ ଲକ୍ଷ ୪୭ ହଜାର ଟଙ୍କା ଥିବା ଏହି କର୍ମଚାରୀ ଦେଖିବାକୁ ପାଇଲେ। ଏହା ପରେ ପୋଲିସ କର୍ମଚାରୀମାନେ ଜୋର ଜବରଦସ୍ତ ଉକ୍ତ ଟଙ୍କାକୁ କାର୍ ଭିତରୁ ଛଡ଼ାଇ ନେଇଥିଲେ। ଏଥିପାଇଁ ବ୍ୟବସାୟୀଙ୍କ ସହିତ ଉକ୍ତ ପୋଲିସ କର୍ମଚାରୀଙ୍କର ହାତାହାତି ମଧ୍ୟ ହୋଇଥିଲା।

ଗାଡିରେ ନିଜ ପରିବାର ସହିତ ବ୍ୟବସାୟୀ ଜଣକ ଏକୁଟିଆ ଥିବାରୁ ଅନ୍ୟ ଉପାୟ ନପାଇ ଟଙ୍କାକୁ ଛାଡ଼ିଦେଇ ସେଠାରୁ ଚାଲି ଆସିଥିଲେ । ତେବେ ଗୁରୁବାର ବ୍ୟବସାୟୀ ଜଣକ କମିସନରେଟ୍ ପୋଲିସର ବିଭିନ୍ନ ଥାନା ଏପରିକି ଡିସିପିଙ୍କ ପାଖକୁ ମଧ୍ୟ ଯାଇଥିଲେ। ହେଲେ ଉକ୍ତ ସ୍ପେସାଲ୍ ସ୍କ୍ୱାଡ୍ କର୍ମଚାରୀଙ୍କ ବିଷୟରେ କିଛି ବି ଜଣାପଡ଼ିନଥିଲା। ଶେଷରେ ସେ ନିଜ ଓକିଲଙ୍କ ସହିତ ଗତକାଲି ସନ୍ଧ୍ୟାରେ ଟାଙ୍ଗୀ ଥାନାରେ ପହଞ୍ଚିଥିଲେ।

ଏହିଠାରେ ବ୍ୟବସାୟୀ ଜଣକ ଜଣେ ହୋମଗାର୍ଡଙ୍କୁ ଧରିଥିଲେ। ଟଙ୍କା ଲୁଟିଥିବା ପୋଲିସ କର୍ମଚାରୀଙ୍କ ମଧ୍ୟରେ ଏହି ହୋମଗାର୍ଡ ଜଣକ ଥିବା ବ୍ୟବସାୟୀ ଜଣକ ତୁରନ୍ତ ଥାନା ଅଧିକାରୀ ବିମଳ ବାରିକଙ୍କୁ ଜଣାଇଥିଲେ।

ଏହା ପରେ ଥାନା ଅଧିକାରୀ ତୁରନ୍ତ ଉକ୍ତ ହୋମଗାର୍ଡଙ୍କୁ ଲିଖିତ ଉତ୍ତର ଦେବା ପାଇଁ କହିଥିଲେ। ମାତ୍ର ଏହି ସମୟରେ ଉକ୍ତ ହୋମଗାର୍ଡ ଜଣକ ସ୍ଥାନୀୟ ଅଞ୍ଚଳର ଜଣେ ଆଇନଜୀବୀଙ୍କ ସହାୟତାରେ ବ୍ୟବସାୟୀଙ୍କୁ ଟଙ୍କା ଫେରାଇ ଦେବା ସହିତ ଘଟଣାର ରଫାପଫା କରିବାକୁ ଉଦ୍ୟମ ଆରମ୍ଭ କଲେ। କିଛି ସମୟ ମଧ୍ୟରେ ହୋମଗାର୍ଡ ଜଣକ ଉକ୍ତ ବ୍ୟବସାୟୀଙ୍କୁ ଥାନା ବାହାରକୁ ନେଇଯାଇ ସମସ୍ତ ଟଙ୍କା ଫେରାଇ ଦେଇଥିଲେ। ତେବେ ବ୍ୟବସାୟୀ ଜଣକ ନିଜର ଟଙ୍କା ଫେରସ୍ତ ପାଇବା ପରେ ଏନେଇ ଥାନାରେ କୌଣସି ଅଭିଯୋଗ ନକରି ଭୁବନେଶ୍ୱର ଚାଲିଯାଇଥିଲେ। ମାତ୍ର ଘଟଣାକୁ ଟାଙ୍ଗୀ ଥାନା ଗୁରୁତର ସହିତ ନେଇଥିଲା। ତୁରନ୍ତ ଏହି ବିଷୟରେ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଏବଂ ଏସ୍ପି ରାଧାବିନୋଦ ପାଣିଗ୍ରାହୀଙ୍କୁ ଅବଗତ କରାଯାଇଥିଲା।

ଖବର ପାଇ ଏସ୍ପି ଶ୍ରୀ ପାଣିଗ୍ରାହୀ ରାତି ପ୍ରାୟ ୧୧ଟା ସୁଦ୍ଧା ଟାଙ୍ଗୀ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ଲଟରେ ସାମିଲ ଥିବା ଜଣେ କନଷ୍ଟେବଳ ଓ ଦୁଇ ହୋମ୍‌ଗାର୍ଡଙ୍କୁ ଅଟକ ରଖିଥିଲେ। ଏହାପରେ ଟାଙ୍ଗୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା। ଏଥିସହିତ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ଶୁକ୍ରବାର ଅପରାହ୍ଣରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଯୁକ୍ତମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Comment