ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ପୁରୀର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି।

ପର୍ଯ୍ୟଟନସ୍ଥଳୀ ପୁରୀର ବିକାଶ ପାଇଁ ୫୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଲୋକସେବା ଭବନରେ ପୁରୀ ବିକାଶ ପାଇଁ ବସିଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ପୁରୀ ରାସ୍ତା, ପାର୍କିଂ ଓ ବ୍ରିଜ ପାଇଁ ମୁଖ୍ୟମନ୍ତ୍ରୀ ଟଙ୍କା ମଞ୍ଜୁର କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠର ବିକାଶ ପାଇଁ ୧୮୦ କୋଟି ଖର୍ଚ୍ଚ ହେବ। ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ସେତୁ ସଂଯୋଗ କରାଯିବ। ଏହି ଶ୍ରୀସେତୁ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୯୦ କୋଟି। ଏହି ମଠରେ ବହୁତଳ ପାର୍କିଂ ବ୍ୟବସ୍ଥା କରାଯିବ। ଏହା ସହ ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ହେବ ଓ ମାର୍କେଟ କମ୍ପ୍ଲେକ୍ସ ହେବ। ଏଥିପାଇଁ ୮୦ କୋଟି ଖର୍ଚ୍ଚ ହେବ ବୋଲି କୁହାଯାଇଛି।

ମୂଷାନଦୀର ପୁନରୁଦ୍ଧାର ହୋଇ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ। ମୂଷା ନଦୀରେ ରିଭର ଫ୍ରଣ୍ଟ ପର୍ଯ୍ୟଟନର ବିକାଶ କରାଯିବ। ଏଥିପାଇଁ ୮୫ କୋଟି ଖର୍ଚ୍ଚ ହେବ। ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ୫ କୋଟି ଖର୍ଚ୍ଚ ହେବ। ଅବଢ଼ା ଯୋଜନାରେ ସରକାର ମଠ ପୁନରୁଦ୍ଧାର ପାଇଁ ସହଯୋଗ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସେହିପରି ଶ୍ରୀମନ୍ଦିର ନିରାପତ୍ତା ଜୋନ୍‌ରେ ଆସୁଥିବା ଦୋକାନ, ଘର ସ୍ଥାନାନ୍ତର ହେବ। ଦୋକାନ ପାଇଁ ଦୋକାନ ଓ ଘର ପାଇଁ ଘର ଯୋଗାଇ ଦେବେ ସରକାର।

ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପୁନରୁଦ୍ଧାର ହେବ। ଏହି କାର୍ଯ୍ୟ ଦୁଇ ବର୍ଷ ଭିତରେ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ପୁରୀ ଭିତ୍ତିଭୂମି କିପରି ବିକାଶ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆଇନମନ୍ତ୍ରୀ, ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଡିଆଇଜି ପ୍ରମୁଖ ଉପସ୍ଥିତ ଥିଲେ।

Comment