ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୦ ଛାତ୍ର ପରୀକ୍ଷାରୁ ବର୍ଷେ ପାଇଁ ବାଦ୍‌
  • ୫୨ ଛାତ୍ରଙ୍କୁ ଜରିମାନା
  • ରାଗିଂ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ରାଗିଂ ଅଭିଯୋଗ। ଏହି ରାଗିଂ ବର୍ବରତାର ସବୁ ସୀମା ଟପିଥିଲା। ଜୁନିଅର ଛାତ୍ରଙ୍କୁ ହଷ୍ଟେଲକୁ ସ୍ୱାଗତ କରିବା ବେଳେ ସିନିଅରମାନେ ସେମାନଙ୍କ ଅସଲ ରୂପ ଦେଖାଇଥିଲେ। ଷ୍ଟେଜ୍‌ରେ ଚଡ଼ି ପିନ୍ଧି ନାଚିବାକୁ ଜୁନିଅରମାନଙ୍କୁ ବାଧ୍ୟ କରିଥିଲେ ସିନିଅର ଛାତ୍ର।

ଏବେ ଏହି କାରନାମା ସିନିଅରମାନଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ବେଳେ ୫୨ ଜଣ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ କହିଛନ୍ତି।

ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ। ପ୍ରଥମ ବର୍ଷର ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ହଷ୍ଟେଲରେ ରଖିଥାନ୍ତି। ଦ୍ୱିତୀୟ ବର୍ଷରେ ପାଦ ଦେବା ପରେ ଏମାନଙ୍କୁ କମନ ହଷ୍ଟେଲକୁ ସ୍ଥାନାନ୍ତର କରାଯାଏ।

ଏହି କମନ ହଷ୍ଟେଲରେ ତୃତୀୟ ଏବଂ ଚତୁର୍ଥ ବର୍ଷା ଛାତ୍ରମାନେ ରହିଥାନ୍ତି। ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ପାଇଁ ସିନିଅରମାନେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲେ। ହଷ୍ଟେଲ ପରିସରରେ ଷ୍ଟେଜ୍‌ ବାନ୍ଧିଥିଲେ। ନାଚ, ଗୀତ ହେଲା। ନାଚ ଗୀତ ପରେ ସିନିଅରମାନେ ଜୁନିଅରମାନଙ୍କ ଉପରେ ସେମାନଙ୍କ ସିନିଅରିଟି ଜାହିର କରିଥିଲେ।

ଦେହରରୁ ଡ୍ରେସ୍‌ ଖୋଲି ଚଡ଼ି ପିନ୍ଧି ଷ୍ଟେଜରେ ନାଚିବାକୁ କହିଥିଲେ। ଖାଲି ସେତିକି ନୁହେଁ, କାନ ଧରି ଉଠ୍‌ ବସ୍‌ ହେବାକୁ କହିଥିଲେ ସିନିଅର ଛାତ୍ର। ଜୁନିଅରମାନଙ୍କୁ ମାଡ଼ ମାରିବା ସହ ସିଡ଼ିରେ କାନ ଧରି ଦୌଡ଼ାଇଥିଲେ। କିଛି ଛାତ୍ରଙ୍କ ସାର୍ଟ ଚିରି ଦିଆଯାଇଥିବା ଦେଖିବାକୁ ମିଳିଛି। ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଏଭଳି କାଣ୍ଡ ଘଟୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ।

ହଷ୍ଟେଲର ଏସବୁ ଦୃଶ୍ୟକୁ କେହି ମୋବାଇଲରେ ସୁଟିଂ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଥିଲେ। ରାଜ୍ୟ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ମଧ୍ୟ ତଦନ୍ତ ଆଦେଶ ଦେଇଥିଲେ।

ହଷ୍ଟେଲ ୱାର୍ଡେନଙ୍କ ଜରିଆରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିଥିଲେ। ୧୦ ଜଣ ଛାତ୍ର ରାଗିଂ ଘଟଣାକୁ ସ୍ୱୀକାର କରିବା ପରେ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Comment