ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵର ପରେ ଏବେ ପୁରୀ ପୋଲିସ ଅପରାଧୀଙ୍କୁ ଦମନ କରିବାକୁ ଅଣ୍ଟାଭିଡ଼ିଛି। ଶନିବାର ବିଳମ୍ଵିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନାକୁ ଏନକାଉଣ୍ଟର କରିଛି ପୁରୀ ପୋଲିସ। ତା’ ଡାହଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତା’ଠାରୁ ଗୋଟିଏ ପିସ୍ତଲ ଓ ବାଇକ ଜବତ କରାଯାଇଛି।

ଶନିବାର ରାତି ପ୍ରାୟ ସାଢ଼େ ୨ଟା ବେଳେ ଦିବାନା ନବକଳେବର ରୋଡ଼ରେ ଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଦିବାନା ସୁପାରି ନେଇ କାହାକୁ ମାରିବାକୁ ପ୍ରସ୍ତୁତ ହେଉଥିବା ଖବର ପୋଲିସ ପାଖରେ ଥିଲା। ଚଢ଼ାଉ ବେଳେ ଦିବାନା ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏଥିରେ ବାସେଳି ସାହି ଥାନା ଆଇଆଇସି ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ପୋଲିସର ପାଲଟା ଆକ୍ରମଣରେ ଆହତ ହୋଇଥିଲା ଦିବାନା। ତାକୁ ପ୍ରଥମେ ପୁରୀ ଜିଲ୍ଲା ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଦିବାନାର ଘର ଗୋଖା ସାହିରେ ସେ ପୂର୍ବରୁ ହୋମଗାର୍ଡ ଚାକିରି କରିଥିଲା। ବେଆଇନ କାମ କରି ଟଙ୍କା କମେଇବା ପରେ ଅପରାଧ କାର୍ଯ୍ୟକଳାପରେ ସାମିଲ ହୋଇଥିଲା। ଦିବାନା ନାଁରେ ପୁରୀର ବିଭିନ୍ନ ଥାନାରେ ୨୬ଟି ମାମଲା ରହିଛି।

Comment