ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁଧାଂଶୁ ଷଡ଼ଙ୍ଗୀ। ଟୁଇନ୍ ସିଟିର ଅପରାଧ ନିୟନ୍ତ୍ରଣ ତାଙ୍କ ପାଇଁ ବଡ଼ ଚାଲେଞ୍ଜ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାଲାଇଭ୍‌କୁ କହିଛନ୍ତି ସୁଧାଂଶୁ।

ପେଶାଦାର ଅପରାଧୀ ହେବେ ଚିହ୍ନଟ

‘‘ଟୁଇନ୍ ସିଟି କଟକ-ଭୁବନେଶ୍ୱରରେ ଅନେକ ସମସ୍ୟା ରହିଛି। ଦିନକୁ ଦିନ ଅପରାଧ ବଢୁଛି। ଅପରାଧ ଓ ଅପରାଧୀଙ୍କୁ କାବୁ କରିବା ଏବଂ ସହରକୁ ଅପରାଧମୁକ୍ତ କରିବା ମୋ’ ପାଇଁ ବଡ଼ ଚାଲେଞ୍ଜ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ନୂଆ କମିଶନର ଆହୁରି କହିଛନ୍ତି ଯେ ସହରାଞ୍ଚଳ ଲୋକଙ୍କ ଜୀବନକୁ ଶୃଙ୍ଖଳିତ ଓ ସଂଗଠିତ କରିବା ପାଇଁ ଦୃଢ଼ ଆଇନ ବ୍ୟବସ୍ଥା ଲାଗୁ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ବର୍ତ୍ତମାନ ପେଶାଦାର ଅପରାଧୀଙ୍କୁ ଚିହ୍ନଟ କରିବା, ସିସିଟିଭିକୁ ବ୍ୟବହାର କରିବା, ହାଇୱେରେ ହେଉଥିବା ରାହାଜାନିକୁ ରୋକିବା ଆମ ପାଇଁ ନିହାତି ଭାବେ ଚାଲେଞ୍ଜ ରହିବ।

ଡ୍ରଗ୍‌ସ ସପ୍ଲାଇ ଉପରେ ଧ୍ୟାନ ଦେବୁ

ଟୁଇନ ସିଟିରେ ବର୍ତ୍ତମାନ ଡ୍ରଗ୍‌ସର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। କଟକ ଓ ଭୁବନେଶ୍ୱରରେ ଡ୍ରଗ୍ସର ଡିମାଣ୍ଡ ଏବଂ ସପ୍ଲାଇ ଅଧିକ ରହିଛି। ଏହାକୁ ରୋକିବାକୁ ପଡ଼ିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର।

‘‘ଡ୍ରଗ୍ସ କାରବାର ରୋକିବା ପାଇଁ କେବଳ ପୋଲିସ ନୁହେଁ, ସଚେତନ ନାଗରିକମାନେ ଆଗେଇ ଆସିବା ଉଚିତ। ଏନେଇ ଯୁବଗୋଷ୍ଠୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଡ୍ରଗ୍ସ କେଉଁଠୁ ଆସୁଛି ଏବଂ କିଏ ଆଣୁଛି ସେ ଦିଗରେ ପୋଲିସର ନଜର ରହିବ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ଉପରେ ଗୁରୁତ୍ୱ

ଅପରାଧୀଙ୍କୁ କାବୁ କରିବା ପାଇଁ ପୋଲିସ ଯେତେ ଜାଲ ବିଛାଇଲେ ବି ସଫଳ ହେଉନି। ଅପରାଧୀ ପୋଲିସକୁ ଚକ୍‌ମା ଦେଉଛନ୍ତି। ଏଣୁ ଅପରାଧୀଙ୍କୁ କାବୁ କରିବା ପାଇଁ ନୂଆ ପୋଲିସ କମିସନର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ୱ ଦେଇଛନ୍ତି।

‘‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଜରିଆରେ ଆମେ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବୁ। ଏଥିରେ ଅପରାଧୀମାନଙ୍କର ଆଙ୍ଗୁଠି ଟିପ ଚିହ୍ନ ଦ୍ୱାରା ସମସ୍ତ ବିବରଣୀ ଜାଣିହେବ। ଫଳରେ ଅପରାଧୀମାନଙ୍କର ସଂପୂର୍ଣ୍ଣ ବିବରଣୀ ପୋଲିସ ପାଖରେ ରହିବ ଏବଂ ଏହି ଜରିଆରେ ପେଶାଦାର ଅପରାଧୀମାନଙ୍କୁ ଖୁବ୍ ଶୀଘ୍ର ଚିହ୍ନଟ କରାଯାଇପାରିବ’’, କହିଛନ୍ତି ପୋଲିସ କମିଶନର।

5-T ଉପରେ ଗୁରୁତ୍ୱ

ଅପରାଧୀମାନଙ୍କ ଉପରେ ରୋକ୍ ଲଗାଇବାକୁ ହେଲେ କମିଶନରେଟ୍‌ ପୋଲିସକୁ ନୂଆ ଟେକ୍ନୋଲୋଜି ଆପଣାଇବାକୁ ପଡ଼ିବ। ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ହେବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏହାଛଡା ପୋଲିସ ତରଫରୁ ଦିଆଯାଉଥିବା ସମସ୍ତ ସୁବିଧାର ଲାଭ କିପରି ଲୋକମାନେ ଉଠାଇ ପାରିବେ ସେଥିପ୍ରତି ଆମେ ଧ୍ୟାନ ଦେବୁ।

‘‘ମୋବାଇଲ ଆପ୍‌ର ବ୍ୟବହାର ଏବଂ ଅନ୍‌ଲାଇନ୍‌ରେ ଏଫ୍ଆଇଆର୍ କପି ପଠାଇବାର ସୁବିଧା ଯୋଗାଇ ଦିଆଯିବ। ଏହି ସୁବିଧା ଲାଗୁ ହେଲେ ଲୋକଙ୍କୁ ବାରମ୍ବାର ଥାନାକୁ ଆସିବାକୁ ପଡ଼ିବ ନାହିଁ। ପୋଲିସ ତରଫରୁ ଲୋକଙ୍କ ପାଇଁ ୧୮ଟି ସେବା ଉପଲବ୍ଧ ରହିଛି। ଟେକ୍ନୋଲୋଜିର ଅଧିକ ବ୍ୟବହାର ଦ୍ୱାରା ପୋଲିସ ଏବଂ ଜନତାଙ୍କ ମଧ୍ୟରେ ତାଳମେଳ ଠିକ୍ ରହିବ’’, କହିଛନ୍ତି ପୋଲିସ କମିଶନର।

ବରିଷ୍ଠ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅପରାଧ ନିୟନ୍ତ୍ରଣ କରିବା ସହ ଟୁଇନ ସିଟିର ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ସତର୍କ ରହିବ କମିଶନରେଟ୍‌ ପୋଲିସ। କାରଣ ଅପରାଧୀ ଅପରାଧୀ ଜାଣେନି କିଏ ଛୋଟ କିଏ ବଡ଼। ସେମାନେ ଯେଉଁଠାରେ ରହିବେ ଅପରାଧ କରିବେ।  ସେଥିପାଇଁ ସବୁକ୍ଷେତ୍ରରେ ଆମକୁ ସଚେତନ ରହିବାକୁ ପଡ଼ିବ।  ପ୍ରଥମେ ଜାଣିବାକୁ ପଡ଼ିବ ବରିଷ୍ଠ ନାଗରିକମାନେ କିଭଳି ପରିବେଶରେ ରହୁଛନ୍ତି। ତାଙ୍କର କ’ଣ ସବୁ ସମସ୍ୟା ରହୁଛି। ତାଙ୍କ ଆଖପାଖ ରହୁଥିବା ଲୋକ କିପରି? ଘର ଭଡ଼ା ଦେବା ପୂର୍ବରୁ ତଥା ଘରେ କାମ କରିବା ପାଇଁ କାହାକୁ ରଖିବା ପୂର୍ବରୁ ସେମାନଙ୍କ ସବିଶେଷ ବିବରଣୀ ପାଖରେ ରଖିବା ନିହାତି ଜରୁରୀ। ଏହାଛଡା ପୋଲିସ ତରଫରୁ ବରିଷ୍ଠ ନାଗରିକଙ୍କ ସହାୟତା ପାଇଁ ରହିଥିବା ସୁବିଧାସୁଯୋଗ ବିଷୟରେ ମଧ୍ୟ ସେମାନେ ଅବଗତ ହେବା ଆବଶ୍ୟକ ବୋଲି କହିଛନ୍ତି ପୋଲିସ କମିଶନର।

ଲେନ୍ ଡ୍ରାଇଭିଂ ଉପରେ ଗୁରୁତ୍ୱ

ବେପରୁଆ ଗାଡ଼ି ଚାଳନା ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି। ଏହାକୁ ସଜାଡ଼ିବା ପାଇଁ କଟକ-ଭୁବନେଶ୍ୱର ରାସ୍ତାରେ ଲେନ୍ ଡ୍ରାଇଭିଂ ଉପରେ ଗୁରୁତ୍ୱ ଦିଆଯିବ। ଏହାଛଡା ଗାଡ଼ିଗୁଡିକର ପାର୍କିଂ ବ୍ୟବସ୍ଥାକୁ ଆହୁରି ଅଧିକ ବ୍ୟବସ୍ଥିତ କରାଯିବ। ଏହାଦ୍ୱାରା ଟ୍ରାଫିକ୍ ସମସ୍ୟାର ନିୟନ୍ତ୍ରଣ କରାଯାଇପାରିବ।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଥିଲେ। ସେ ବ୍ରହ୍ମପୁର, ମାଲକାନଗିରି, ସୁନ୍ଦରଗଡ, ବାଲେଶ୍ୱର ଏବଂ କେନ୍ଦୁଝର ଏସ୍‌ପି ଭାବେ କାମ କରିଛନ୍ତି। ଏହା ସହ ସେ ଆଇଜି ଅପରେସନ, ଓଡିଶା ପୋଲିସ ହାଉସିଂ କର୍ପୋରେସନର ସିଏମଡି ଥିଲେ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ସହ ପୋଲିସ ମେଡାଲ ପାଇଛନ୍ତି।

Comment