ଓଡ଼ିଶାଲାଇଭ ବ୍ୟୁରୋ   

ଶ୍ରୀକ୍ଷେତ୍ରକୁ ବିଶ୍ଵ ଐତିହରେ ପରିଣତ କରିବାକୁ ସରକାରଙ୍କ ଘୋଷଣା ପରେ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଶ୍ରୀମନ୍ଦିର ପାଖରୁ ୭୫ ମିଟର ପରିଧି ଭିତରେ ଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ ଆରମ୍ଭ ହୋଇଛି। ପ୍ରଥମେ ଶ୍ରୀମନ୍ଦିର ସ୍ନାନମଣ୍ଡପ ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଉଛି। ଏହାପରେ ଏମାର ମଠ ଓ ଆଖଡ଼ା ମଠ ଉଚ୍ଛେଦ କରାଯିବ।

ମେଘନାଦ ପାଚେରି ଚତୁଃପାର୍ଶ୍ଵ ଓ ଯାତ୍ରିକା ଯାତ୍ରୀ ନିବାସ ପରେ ଏବେ ବିଭିନ୍ନ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଆରମ୍ଭ ହୋଇଥିବା ଲଙ୍ଗୁଳି ମଠ ଉଚ୍ଛେଦ ବେଳେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ୮ ଜଣ ମାଜିଷ୍ଟ୍ରେଟ ତଦାରଖ କରୁଛନ୍ତି।

ଉଚ୍ଛେଦ ପ୍ରକ୍ରିୟାରେ ୪ଟି ବୁଲଡୋଜର ନିୟୋଜିତ କରାଯାଇଛି। ତେବେ ଲଙ୍ଗୁଳି ମଠ ପରେ ଏମାର ମଠ ଉଚ୍ଛେଦ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଉଚ୍ଛେଦ ବେଳେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନସୃଷ୍ଟି ହୁଏ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ୟପକ୍ଷରେ ଥଇଥାନ ନକରି ହଠାତ୍‌ ଏଭଳି ଉଚ୍ଛେଦକୁ ପୁରୀ ବାସିନ୍ଦା ସହଜରେ ଗ୍ରହଣ କରିପରିନାହାନ୍ତି। ଏହି ଉଚ୍ଛେଦକୁ ବିରୋଧ କରି ସୋମବାର ବ୍ୟବସାୟୀମନେ ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଏନେଇ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, “ବିନା ଥଇଥାନରେ ଏଭଳି ଉଚ୍ଛେଦକୁ ମୁଁ ଦୃଢ଼ ନିନ୍ଦା କରୁଛି। ପୁରୀ ସହରର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପକୁ ମୁଁ ସମର୍ଥନ କରୁଛି। ହେଲେ ଉନ୍ନତି ପାଇଁ ଲୋକମାନଙ୍କ ପେଟପାଟଣାକୁ ଯୋଉ ଭଳି ଆଘାତ ଦିଆଯାଉଛି ତାକୁ ମୁଁ ସମର୍ଥନ କରୁନାହିଁ। ବିନା ଥଇଥାନରେ ଏପରି ଉଚ୍ଛେଦ ଯୋଗୁଁ ଅନେକ ପରିବାର ଉପରେ ଏହାର ପ୍ରଭାବ ପଡ଼ିବ। ହଜାର ହଜାର ବ୍ୟବସାୟୀ କ୍ଷତି ସହିବେ। ତେଣୁ ଆଗ ଭିତ୍ତିଭୂମି କରି ଉଚ୍ଛେଦ କରିବା ଆବଶ୍ୟକ ଥିଲା।”

Comment