ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଡ଼ିଶା ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବମ୍ବେ ହାଇକୋର୍ଟର ବର୍ତ୍ତମାନର ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତିଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ଶ୍ରୀ ମହାନ୍ତିଙ୍କୁ ସୁପ୍ରିମକୋର୍ଟ କଲେଜିୟମ୍ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍ ମହାନ୍ତିଙ୍କ ନୂଆ ନିଯୁକ୍ତିକୁ ଓଡ଼ିଶାରେ ସ୍ୱାଗତ କରାଯାଇଛି।

ଆଇନଜୀବୀ ବାରିଷ୍ଟର୍ ରଣଜିତ୍ ମହାନ୍ତି ଏବଂ ଶକୁନ୍ତଳା ମହାନ୍ତିଙ୍କ ପୁଅ ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ୧୯୬୦ ମସିହା ନଭେମ୍ବର ୧୧ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ଦାର୍ଜିଲିଂର ମାଉଣ୍ଟ୍ ହର୍ମନ୍ ସ୍କୁଲରେ ସେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ଗ୍ରହଣ କରିବା ପରେ ରେଭେନ୍ସାରେ ପାଠ ପଢ଼ିଥିଲେ।

ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲ୍ଏଲ୍‌ଟି ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଏଲ୍ଏଲ୍ଏମ୍ ପାସ୍ କରି ୧୯୮୪ ମସିହାରେ ବାର୍ କାଉନସିଲ୍‌ରେ ଯୋଗ ଦେଇଥିଲେ। କମର୍ସିଆଲ୍ ଲ’, ଟ୍ୟାକ୍ସ ଲ’ଠାରୁ ଫୌଜଦାରୀ ମାମଲା ଯାଏଁ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ ମାମଲା ପରିଚାଳନା କରି ସେ ସୁନାମ ଅର୍ଜନ କରିଥିଲେ। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ୨୦୦୬ ମସିହା ମାର୍ଚ୍ଚ ୩୧ ତାରିଖରେ ସେ ନିଯୁକ୍ତି ପାଇଥିଲେ।

୨୦୦୬ରୁ ୨୦୧୮ ଅକ୍ଟୋବର ପର୍ଯ୍ୟନ୍ତ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିବା ପରେ ୨୦୧୮ ଅକ୍ଟୋବରରେ ତାଙ୍କୁ ବମ୍ବେ ହାଇକୋର୍ଟକୁ ବଦଳି କରାଯାଇଥିଲା। ସେଠାରେ ପ୍ରାୟ ଗୋଟିଏ ବର୍ଷ କାର୍ଯ୍ୟ କରିବା ପରେ ତାଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀରେ ନିଯୁକ୍ତି ଦିଆଯାଇଛି।

Comment