ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଚାରିପଟୁ ଚାଲିଛି ୭୫ ମିଟର ଉଚ୍ଛେଦ। ମେଘନାଦ ପାଚେରୀକୁ ଜବରଦଖଲମୁକ୍ତ କରିବା ପରେ ଏବେ ପୁରୁଣା ମଠ ଉଚ୍ଛେଦ କରୁଛି ପ୍ରଶାସନ। ମଠ ଉଚ୍ଛେଦକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ପୁରୀରେ ଥିବା ମଠ ସହିତ ଜଗନ୍ନାଥ ମନ୍ଦିର ସଂସ୍କୃତିର କ’ଣ ସମ୍ପର୍କ ରହିଛି ସେ ବିଷୟରେ ବର୍ଣ୍ଣନା କରିଛନ୍ତି ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ସିଦ୍ଧେଶ୍ୱର ମହାପାତ୍ର।

‘‘ଶ୍ରୀମନ୍ଦିର ଓ ମଠ ଉଭୟ ନିବିଡ଼ ସୂତ୍ରରେ ବନ୍ଧା। ବହୁଦିନରୁ ପୁରୀରେ ନିଜ ନିଜ ସଂପ୍ରଦାୟ ଓ ଦର୍ଶନକୁ ନେଇ ଶ୍ରୀମନ୍ଦିର ଚାରିପଟେ ଅନେକ ମଠ ଗଢିଉଠିଛି। ନିଜ ସଂପ୍ରଦାୟ ସହ ସେହିସବୁ ମଠରେ ଶ୍ରୀଜଗନ୍ନାଥ ସଂସ୍କୃତିର ମଧ୍ୟ ପ୍ରଚାର ପ୍ରସାର ହେଉଛି। ପୁରୀରେ ସ୍ଥାପିତ ହେଇଥିବା ମଠଗୁଡ଼ିକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବାରେ ବହୁତ ସହାୟକ ହୋଇଥାଏ’’, କହିଛନ୍ତି ସିଦ୍ଧେଶ୍ୱର ମହାପାତ୍ର।

ସମୟକ୍ରମେ ପୁରୀରୁ ବହୁ ମଠ ନଷ୍ଟ ହୋଇଯାଇଛି। ଶିବତୀର୍ଥ ଭଳି ମଠ ଆଜି ବିଲୁପ୍ତ ହୋଇଯାଇଛି। ସେହିଭଳି ଗୋପାଳତୀର୍ଥ ମଠ, ଶଙ୍କରାନନ୍ଦ ମଠ ଆଦି ବର୍ତ୍ତମାନ ହାହାକାର ଅବସ୍ଥାରେ ଦଣ୍ଡାୟମାନ। ବର୍ତ୍ତମାନ ପୁରୀର ଚାରି ପାଞ୍ଚଟି ମଠକୁ ଛାଡିଦେଲେ ଅନ୍ୟ ସମସ୍ତ ମଠ ବର୍ତ୍ତମାନ ପତନ ଆଡ଼କୁ ଗତି କରୁଥିବା ଶ୍ରୀ ମହାପାତ୍ର କହିଛନ୍ତି।

ଶ୍ରୀମନ୍ଦିର ଚାରିପଟେ ଖାଲିସ୍ଥାନର ଆବଶ୍ୟକତା ଥିବାରୁ ଏବେ ମଠଗୁଡ଼ିକ ଭାଙ୍ଗିବାକୁ ଲାଗିଛି ପ୍ରଶାସନ। ହେଲେ ଐତିହ୍ୟକୁ ବଞ୍ଚାଇବା ପାଇଁ ଆମକୁ ଆଉ ଗୋଟିଏ ମଧ୍ୟମ ପନ୍ଥା ଆପଣେଇବାକୁ ପଡ଼ିବ। ତେଣୁ ମଠକୁ ସଂପୂର୍ଣ୍ଣ ନଭାଙ୍ଗି ମଠଗୁଡ଼ିକ ନିଜ ନିଜର ଅବ୍ୟବହୃତ ସ୍ଥାନକୁ ଛାଡିଦେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଆବଶ୍ୟକ ମନେହେଲେ ମଠଗୁଡିକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିଦେବା ଭଲ ବୋଲି ସେ କହିଛନ୍ତି।

‘‘ମଠ ଓ ଶ୍ରୀମନ୍ଦିର ମଧ୍ୟରେ ସଂପର୍କ ଅତି ନିବିଡ଼। ଶ୍ରୀମନ୍ଦିରକୁ ଆଲୋକିତ କରିବା ପାଇଁ ମଠମାନଙ୍କୁ ମଶାଲ ଓ ତେଲ ଆସିଥାଏ। ଏଥିସହ ମଠଗୁଡ଼ିକ ଶ୍ରୀମନ୍ଦିରର ବହୁ ଆବଶ୍ୟକତାକୁ ପୂରଣ କରୁଥିଲେ। ଜିଓରସାହି ମଠର ଛୋଟ ବ୍ରହ୍ମଚାରୀମାନେ ହାତରେ ପିଠା ଓ ଖିରୀ ଧରି ରଥରେ ମହାପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ଗୁଣ୍ଡିଚା ମନ୍ଦିର ଚାଲିଚାଲି ଯାଉଥିଲେ’’, କହିଛନ୍ତି ପ୍ରଫେସର ମହାପାତ୍ର।

ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଯେଭଳି ଗୁରୁତ୍ୱପୂର୍ଣ୍ଣ  ମଠଗୁଡିକ ମଧ୍ୟ ସେଭଳି ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତେଣୁ ମଠଗୁଡିକର ପୁନରୁଦ୍ଧାର ପାଇଁ ସରକାର ଓ ପ୍ରଶାସନ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ମଠଗୁଡ଼ିକର ଉଦ୍ଧାର କରାଯିବା ସହ ଏହାକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

ମଠର ମହନ୍ତମାନେ ସତ୍ୟବାଦୀ ବନବିଦ୍ୟାଳୟରେ ଯାଇ ପାଠ ପଢାଉଥିଲେ। ମଠର ମହନ୍ତମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅନ୍ତେବାସୀମାନଙ୍କୁ ନିଜେ ଭୋଜନ ଦେଉଥିଲେ। ଏହାସହ ଏମାର ମଠ ତରଫରୁ ପ୍ରତିଷ୍ଠିତ ରଘୁନନ୍ଦନ ଲାଇବ୍ରେରୀ ସବୁବେଳେ ଲୋକମାନଙ୍କ ପାଇଁ ସହାୟକ ହୋଇପାରିଥିବା ସିଦ୍ଧେଶ୍ୱର ମହାପାତ୍ର କହିଛନ୍ତି।

Comment