ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି
  • ଖୋଲିଲା ୨୦୩୫ଟି ୱାର୍ଡ ଅଫିସ୍‌
  • ୧୧୪ ପୌରାଞ୍ଚଳରେ ୩୪୨ ମାଇକ୍ରୋ କମ୍ପୋଷ୍ଟ ୟୁନିଟ୍‌
  • ୨୬ ପୌରାଞ୍ଚଳରେ ମଳପଙ୍କ ବିଶୋଧନ ବ୍ୟବସ୍ଥା

ସ୍ୱାୟତ୍ତ ଶାସନ ଦିବସରେ ୧୧୪ ପୌରାଞ୍ଚଳରେ ଖୋଲିଲା ୨୦୩୫ଟି ୱାର୍ଡ ଅଫିସ୍‌। ଏହି ଅଫିସ୍‌କୁ ଲୋକସେବା ଭବନରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ।

ଏହି ୱାର୍ଡ ଅଫିସରେ ଲୋକେ ସେମାନଙ୍କ ଅଭିଯୋଗ ରଖି ପାରିବେ। ଏହାସହ ଜନ୍ମ, ମୃତ୍ୟୁ ପଞ୍ଜିକରଣ ସାର୍ଟିଫିକେଟ୍‌, ବିବାହ ପଞ୍ଜିକରଣ ମଧ୍ୟ ଏହି ୱାର୍ଡ ଅଫିସରେ ହୋଇପାରିବ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କ୍ଷୁଦ୍ର ଜୈବ ସାର ପ୍ରକ୍ରିୟାକରଣ କେନ୍ଦ୍ର, ବିଡିଏରେ ଅନଲାଇନ୍ ବିଲ୍ଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା, ଅନଲାଇନ୍ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଏବଂ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କୁ ଅନଲାଇନ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ, ବ୍ରହ୍ମପୁର, ଭୁବନେଶ୍ୱର ସହିଦନଗର ଅଫିସ୍‌ରେ ଉପସ୍ଥିତ ଜନସାଧାରଣଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେଇଥିଲେ।

‘‘ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ହେଉଛି ଏକ ଐତିହାସିକ ଦିନ। ସାରା ରାଜ୍ୟର ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଗଲା। ଏସବୁଥିରେ 5-T ମନ୍ତ୍ରର ଉପଯୋଗ ଭଲଭାବେ କରାଯାଇଛି। ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌର ସଂସ୍ଥାଗୁଡ଼ିକୁ ଆବର୍ଜନାମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍ତମ ନାଗରିକ ସେବା ହେଉଛି ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟର ୧୧୪ଟି ପୌରାଞ୍ଚଳରେ ୩୪୨ଟି ମାଇକ୍ରୋ କମ୍ପୋଷ୍ଟ ୟୁନିଟ୍‌ କରାଯିବା ସହିତ ୨୬ଟି ପୌର ସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ୪୦ଟି ମଳପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଯାଇଛି। ଏହାଦ୍ୱାରା ୪ ଲକ୍ଷ ଲିଟର ମଳପଙ୍କ ବିଶୋଧନ ହୋଇପାରିବ। ଏଥିରେ ୮ ଲକ୍ଷ ଲୋକ ଉପକୃତ ହେବେ।

ଫନି ବାତ୍ୟାରେ ପୁରୀର କ୍ଷତିଗ୍ରସ୍ତ ହୋଇଥିବା ୪ ହଜାର ୧୦୩ ଜଣ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୩୬୯ ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ ବେଳେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comment