ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ସମ୍ମୁଖରେ ଥିବା ନଅଶହ ବର୍ଷର ଜଗନ୍ନାଥ ଐତିହକୁ ବହନ କରୁଥିବା ଏମାର ମଠକୁ ଭାଙ୍ଗିବାରେ ଲାଗିଛି ପ୍ରଶାସନ। ଏହି ମଠ କେବଳ ପୁରୀ ଶ୍ରୀମନ୍ଦିର କେବଳ ପରମ୍ପରା ସହ ଜଡ଼ିତ ନଥିଲା, ଏହି ମଠ ଅନେକ ପରିବାରର ଭାତହାଣ୍ଡି ମଧ୍ୟ ଥିଲା।

ଏମାର ମଠ ଉପରେ ନିର୍ଭର କରି ନିଜ ନିଜର ପରିବାର ପୋଷଣ କରୁଥିଲେ ଅନେକ ପରିବାର। ତେବେ ମଠର ଉଚ୍ଛେଦ ପରେ ବାସହୀନ ହୋଇଯାଇଛନ୍ତି ଏହି ପରିବାର।

ପ୍ରଶାସନ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେବାପରେ ସମସ୍ତଙ୍କ ଆଖିରେ କେବଳ ଲୁହ। କିଏ ଧୈର୍ଯ୍ୟର ସହ ପୁଣି ଥରେ ମୁଣ୍ଡ ଗୁଞ୍ଜିବାକୁ ଉଦ୍ୟମ କରୁଥିଲା ବେଳେ ଆଉ କେହି ଅଧୈର୍ଯ୍ୟ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି।

‘‘ମଠରେ ଥିବା ଗାଈମାନଙ୍କ ଦେଖାଶୁଣା କରି ଆମେ ଆମ ପରିବାର ଚଳଉଥିଲୁ। ଏବେ ମଠ ଭଙ୍ଗାଯିବା ପରେ ଆମେ ଚଳିବୁ କେମିତ?  ମୋର ଛୋଟ ଛୁଆ, ଆଉ ମୋ ପରିବାର କେମିତି ବଞ୍ଚିବୁ। ପ୍ରଶାସନ ଆମ କଥା କିଛି ବୁଝୁନି” ବୋଲି କାନ୍ଦ କାନ୍ଦ ଆଖିରେ ଓଡ଼ିଶାଲାଇଭକୁ କହିଥିଲେ ସ୍ଥାନୀୟ ବାସିନ୍ଧା ସୁମିତ୍ରା ବାରିକ।

‘‘ଏବେ ସରକାର ଆମକୁ ଘର ଛାଡିବାକୁ କହିଲେ ଆମେ କ’ଣ କରିବୁ? ମହନ୍ତକୁ ଏ ବିଷୟରେ ପଚାରିଲେ ସେ ମଧ୍ୟ କିଛି କହୁନାହାନ୍ତି। ଆମକୁ କବାଟ କିଳି ଦେଉଛନ୍ତି ”  କହିଛନ୍ତି ବେସାହାରା ହୋଇପଡ଼ିଥିବା ଜମ୍ବେଶ୍ୱର ବାରିକ।

ସେହିପରି ବିସ୍ଥାପିତ ଇଶ୍ୱର ବାରିକ ଅଶ୍ରୁଛଳ ଆଖିରେ କହିଛନ୍ତି ଯେ ଏବେ କେବଳ ମୃତ୍ୟୁ ହିଁ ଏକମାତ୍ର ରାସ୍ତା। ବିଷ ଖାଇ ଜୀବନ ହାରିବୁ । ନହେଲେ ପିଲାଛୁଆ ସଂସାରକୁ ନେଇ କୁଆଡେ ଯିବୁ? ପ୍ରଶାସନ ଆମକୁ ବାହାର କଲେ ଆମେ କୁଆଡେ ଯିବୁ ?”

ସେହିଭଳି ଘର ଛାଡ଼ିବାପରେ ପୁରୀରେ ଏବେ ଆଉ ଘର ଭଡ଼ା ମିଳୁନି। ମହନ୍ତ ଆମକୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଆମେ ତାଙ୍କ ପାଖକୁ  ଏବେ ଗଲା ବେଳକୁ ସେ ଆମକୁ କବାଟ ଦେଇ ଘରେ ପଶିଯାଉଛନ୍ତି ବୋଲି କହିଛନ୍ତି ବିଜୟଲକ୍ଷ୍ମୀ ମିଶ୍ର।

ଏନେଇ ପୁରୀର  ଜିଲ୍ଲାପାଳ ବଲବନ୍ତ ସିଂ କହିଛନ୍ତି, “ପାଖାପାଖି ୧୫୦ରୁ ୨୦୦ ବିସ୍ଥାପିତ ପରିବାରଙ୍କ ସହ ଆମେ କଥା ହେଉଛୁ। ରାଜ୍ୟ ସରକାରଙ୍କ ପୁରୀପାଇଁ ନେଇଥିବା ଏଭଳି ନିଷ୍ପତ୍ତିକୁ ନେଇ ସମସ୍ତେ ଖୁସି ଅଛନ୍ତି। ମହାପ୍ରଭୁଙ୍କ  ଏହା ମଧ୍ୟ ଗୋଟିଏ ସେବା। ତେଣୁ ଏହାକୁ ସମସ୍ତେ ସହଯୋଗ କରନ୍ତୁ।”

Comment