ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ଏମାର ମଠ ମହନ୍ତ ନିଜ ଆଡ଼ୁ ଗାଦି ନଛାଡ଼ନ୍ତି ତେବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତା’ ଉପରେ ସମସ୍ତଙ୍କ ନଜର!

ପୁରୀ ଏମାର ମଠ ଭଙ୍ଗାକୁ ନେଇ ଚାଲିଥିବା ହାଇଡ୍ରାମା ପଞ୍ଚମ ଦିନରେ ପହଞ୍ଚିଛି। କୌଣସି ପରିସ୍ଥିତିରେ ମୂଳଗାଦି ଛାଡ଼ିବେ ନାହିଁ ବୋଲି ମହନ୍ତ ମହାରାଜ ଏକ ପ୍ରକାର ଶୁଣାଇ ଦେଇଛନ୍ତି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରୀ ଷ୍ଟାଇଲରେ କାମ କରୁଛି। ଭିତରେ ମହନ୍ତ ଓ ତାଙ୍କ ପରିବାର ଥିଲାବେଳେ ଦିନ ବେଳେ ମଠକୁ ବିଜୁଳି ଓ ପାଣି ସଂଯୋଗ କାଟି ଦିଆଯାଇଛି। ରାତିରେ ବିଜୁଳି ଓ ପାଣି ସଂଯୋଗ ଦିଆଯାଉଥିବା କୁହାଯାଉଛି।

ଏମାର ମଠ ହେଉଛି ପୁରୀର ପ୍ରାଚୀନ ମଠ ସଂସ୍କୃତିର ଏକ ବଡ଼ ପ୍ରତୀକ। ତେବେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରାୟ ୯ ଶହ ବର୍ଷର ପ୍ରାଚୀନ ପରମ୍ପରା ମାଟିରେ ମିଶିବାକୁ ଯାଉଛି। ଏହି ମଠର କ’ଣ ଭଙ୍ଗାଯିବ ଓ କ’ଣ ଭଙ୍ଗାଯିବ ନାହିଁ ତାକୁ ନେଇ ଜିଲ୍ଲା ପ୍ରଶାସନ ଓ ମହନ୍ତଙ୍କ ମଧ୍ୟରେ ଟଣାଓଟରା ଚାଲିଛି।

ବାସଗୃହ ନଭାଙ୍ଗିବାକୁ ମହନ୍ତଙ୍କ ଜିଦ୍‌

ମଠ ପାଚେରୀ ସହିତ ଯୋଡ଼ି ହୋଇଥିବା ପ୍ରାଚୀନ ରଘୁନନ୍ଦନ ପାଠାଗାର ଭଙ୍ଗାଯିବାକୁ ନେଇ ମହନ୍ତ ଓ ପ୍ରଶାସନଙ୍କ ମଧ୍ୟରେ ଭିନ୍ନ ମତ ଦେଖାଦେଇଥିଲା। ସେହିପରି ମଠ ମଧ୍ୟରେ ଥିବା ମହନ୍ତଙ୍କ ବାସଗୃହ ଭଙ୍ଗାଯିବା ସଂପର୍କରେ ଭିତରେ ଭିତରେ ବିବାଦ ଚାଲିଥିବା କୁହାଯାଉଛି। କୌଣସି ପରିସ୍ଥିତିରେ ଘର ଛାଡ଼ିବେ ନାହିଁ ବୋଲି ମହନ୍ତ କହୁଥିଲାବେଳେ ମଠ ଭିତରେ ଥିବା ଦିଅଁଙ୍କ ମୂଳ ଆସ୍ଥାନ ଛାଡ଼ି ସବୁ କୋଠାବାଡ଼ି ଚୂନା କରିବାକୁ ପ୍ରଶାସନ ଏକ ପ୍ରକାର ସ୍ଥିର କରିଛି।

ଶନିବାର ସକାଳୁ ଜଣାପଡ଼ିଛି ଯେ, ମଠକୁ ଦିଆଯାଇଥିବା ବିଜୁଳି ଓ ପାଣି ସଂଯୋଗ କଟିଯାଇଛି। ଫଳରେ ମଠରେ ଥିବା ମହନ୍ତଙ୍କ ପରିବାର ଓ ତାଙ୍କ ସାଥୀରେ ଥିବା କେତେକ ସହଯୋଗୀ ଅସୁବିଧା ଭୋଗୁଛନ୍ତି।

ଗୁରୁବାର ଦିନ ଏମାର ମଠର ପାଚେରୀ ଏବଂ ଅମାର ଘର ଭଙ୍ଗାଯାଇଥିଲା। ସେହିଠାରୁ ଏମାର ମଠ ଭାଙ୍ଗିବା ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ତେବେ ପ୍ରଶାସନର ଏହି ଉତ୍ସାହ ଶୁକ୍ରବାର ଦିନ ଦେଖିବାକୁ ମିଳିନଥିଲା। ମଠ ଭଙ୍ଗା କାମ ଆରମ୍ଭ ହେଲେ ମହନ୍ତ ଓ ତାଙ୍କ ପରିବାର ଆପେ ଆପେ ଗାଦି ଛାଡ଼ି ଚାଲିଯିବେ ବୋଲି ସରକାର ଅଧିକାରୀମାନେ ଧରି ନେଇଥିଲା ବେଳେ ମହନ୍ତ କିନ୍ତୁ ନିଜ ଜିଦିରେ ଅଟଳ ରହିଛନ୍ତି।

ଦିନ ଗଡ଼ାଉଛି ପ୍ରଶାସନ!

ଗୁରୁବାର ଦିନ ମହନ୍ତ ମୌନବ୍ରତ କରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। ସେହିପରି ଶୁକ୍ରବାର ଦିନ ମହନ୍ତ ଭିତରୁ କବାଟ କିଳି ରହିଥିଲେ। ଦିନସାରା ପୋଲିସ ଓ ପ୍ରଶାସନ ଭିତରକୁ ଯାଇ ପାରିନଥିଲେ। ଏମାର ମଠ ଭିତରେ ରହିଛି ଗୁପ୍ତ ରହସ୍ୟ। ତେଣୁ ମହନ୍ତ ମହାରାଜ ଗାଦି ଛାଡ଼ିବାକୁ ଚାହୁଁ ନାହାନ୍ତି। ଲୋକଙ୍କ ଭିତରେ ତଥା ବିଭିନ୍ନ ମିଡିଆରେ ଏଭଳି କାହାଣୀର ପ୍ରଚାର ହେଉଛି।

କିନ୍ତୁ ଅସଲ କଥା ହେଉଛି ଯେ, ମଠର ଆସ୍ଥାନ ଓ ବାସଗୃହ ଛାଡ଼ି ମହନ୍ତ ଯିବାକୁ ଚାହୁଁନାହାନ୍ତି। କାରଣ ପ୍ରଶାସନ ତାଙ୍କୁ କେଉଁଠି, କିଭଳି ଥଇଥାନ କରିବ ସେ ବିଷୟରେ ସେ ନିଶ୍ଚିତ ହୋଇପାରୁ ନାହାନ୍ତି। ଅନ୍ୟପକ୍ଷରେ ପୁରୀ ଜିଲ୍ଲା ପ୍ରଶାସନ ମହନ୍ତଙ୍କୁ ପୂରା ବିଶ୍ୱାସ ଦେବା ବଦଳରେ ଚାପ-ଷ୍ଟ୍ରାଟେଜି ବ୍ୟବହାର କରୁଥିବା ଆଲୋଚନା ହେଉଛି। ତେବେ ଅବସ୍ଥା ଦେଖି ପ୍ରଶାସନ ଦିନ ଗଡ଼ାଉଥିବା ଭଳି ମନେ ହେଉଛି।

ଏମାର ମଠ ଖାଲି କରିବା ନେଇ ପ୍ରଶାସନ ଓ ମହନ୍ତଙ୍କ ଭିତରେ ଚୋର ପୋଲିସ ଖେଳ ଚାଲିଛି। ଯଦି ମହନ୍ତ ମହାରାଜ ଜାଗା ଛାଡ଼ିବାକୁ ରୋକଠୋକ ମନା କରିଦିଅନ୍ତି ତେବେ ପ୍ରଶାସନ ତାଙ୍କୁ ଜବରଦସ୍ତ ଉଠାଇବାକୁ ପଛଘୁଞ୍ଚା ଦେବ ନାହିଁ। ଏଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ସରକାର ଚାହୁଁ ନାହାନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି।

LEAVE A REPLY

Please enter your comment!
Please enter your name here