ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମଙ୍ଗଳବାର ସେୟାର ବଜାରର ଉଭୟ ସୂଚକାଙ୍କରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ବଜାର ଆରମ୍ଭରେ ନିଫ୍ଟି ୧୦,୯୬୦ ଥିଲାବେଳେ କିଛି ସମୟ ମଧ୍ୟରେ ମାତ୍ର ୭ ପଏଣ୍ଟ ବୃଦ୍ଧି ହୋଇ ୧୦,୯୬୭ ହୋଇଥିଲା। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ଏହା କ୍ରମଶଃ ତଳକୁ ଖସି ୧୦, ୭୭୨ ହୋଇଥିଲା। ଯାହାକି ବିଗତ ୧୭ ମାସ ମଧ୍ୟରେ ଘଟିଥିବା ସର୍ବାଧିକ ହ୍ରାସ। ବଜାର ବନ୍ଦ ହେବା ସହ ନିଫ୍ଟି ମୋଟ ୨୨୫ ପଏଣ୍ଟ ହ୍ରାସ ପାଇ ୧୦,୭୯୭ ରହିଥିଲା।

ସେହିଭଳି ଭାବେ ବଜାର ବନ୍ଦ ସହିତ ସେନସେକ୍ସ ୭୬୯.୮୮ ପଏଣ୍ଟ ବା ୨.୦୬ ପ୍ରତିଶତ ହ୍ରାସ ପାଇ ୩୬,୫୬୨.୯୧ ହୋଇଥିଲା। ୨୦୧୮ ଅକ୍ଟୋବର ପରେ ଏହା ସେନସେକ୍ସରେ ହୋଇଥିବା ସର୍ବାଧିକ ହ୍ରାସ।

ନିଫ୍ଟି ଏବଂ ସେନସେକ୍ସରେ ହୋଇଥିବା ଏକ ଦିବସୀୟ ବ୍ୟାପକ ହ୍ରାସର ଫଳ ସ୍ୱରୂପ ଏହାର ନିବେଶକାରୀମାନେ ଆଜି ଗୋଟିଏ ଦିନରେ ୨.୮୦ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଚଳିତ ବର୍ଷର ହ୍ରାସ ପ୍ରତିଶତକୁ ତୁଳନା କଲେ ଏହା ସର୍ବାଧିକ ହ୍ରାସ ବୋଲି ଜଣାପଡ଼େ। ନିଫ୍ଟିରେ ଥିବା ୫୦ଗୋଟି ଷ୍ଟକ ମଧ୍ୟରୁ ପ୍ରାୟ ୪୫ଟିର ସୂଚକାଙ୍କରେ ହ୍ରାସ ଦେଖାଦେଇଛି।

ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କାରଣ ପାଇଁ ସେୟାର ବଜାରରେ ଏହି ବ୍ୟାପକ ହ୍ରାସ ଦେଖାଦେଇଛି। ଏହାର କାରଣଗୁଡ଼ିକ ହେଲା

  • ସରକାରଙ୍କ ଦ୍ୱାରା ପ୍ରସ୍ତୁତ ନୂଆ ବ୍ୟାଙ୍କ ନୀତି
  • ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ କ୍ରମାଗତ ହ୍ରାସ
  • ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ଦ୍ୱାରା କ୍ରମାଗତ ପୁଞ୍ଜି ପ୍ରତ୍ୟାହାର
  • ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟିକ ବିବାଦ

ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଜାରି କରାଯାଇଥିବା ବ୍ୟାଙ୍କ ସମିଶ୍ରଣ ସେୟାର ମାର୍କେଟ୍‌ରେ ଘଟିଥିବା ହ୍ରାସର ଏକ ପ୍ରମୁଖ କାରଣ। ଆଜି ସେୟାର ମାର୍କେଟ୍‌ରେ ବ୍ୟାଙ୍କଗୁଡ଼ିକର ସେୟାର କ୍ଷେତ୍ରରେ ହ୍ରାସ ଘଟିଛି।

ଗତକାଲି ଗଣେଶ ଚତୁର୍ଥୀ ଲାଗି ଘରୋଇ ବଜାର ବନ୍ଦ ଥିଲା। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଏହି ହ୍ରାସ ଜାରି ରହିଥିଲା। ତେବେ ଆଜି ବଜାର ଖୋଲିବା ପରେ ବ୍ୟାଙ୍କ ସମିଶ୍ରଣର ପ୍ରଭାବ ସିଧାସଳଖ ସେୟାର ମାର୍କେଟ୍‌ ଉପରେ ପଡ଼ିଥିଲା।

Comment