ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ବରିଷ୍ଠ ନେତା ଡି କେ ଶିବ କୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଘଟଣା ପରେ ଆଶାନ୍ତ ହୋଇ ଉଠିଛି ବେଙ୍ଗାଳୁରୁ ସହର। ପରିସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି। ଗିରଫ ପରେ ଦିଲ୍ଲୀଠାରୁ ବେଙ୍ଗାଳୁରୁ ସବୁଠି ତାଙ୍କ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ସ୍ଥାନରେ କଂଗ୍ରେସ କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ କର୍ଣ୍ଣାଟକ ରାଜ୍ୟ ପରିବହନ ବସ୍‌କୁ ନିଆଁ ଲଗାଇ ଦେଇଛନ୍ତି ବିକ୍ଷୋଭକାରୀ।

ସୂଚନା ଅନୁସାରେ ରାମନଗର ଠାରେ ଦୁଇଟି ବସ୍‌କୁ ବିକ୍ଷୋଭକାରୀ ଜାଳି ଦେଇଛନ୍ତି। ୧୦ଟି ବସ୍‌କୁ ପଥର ମାଡ଼ କରି କାଚ ଭାଙ୍ଗିଛନ୍ତି ପ୍ରଦର୍ଶନକାରୀ। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ରାମନଗରର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖାଯାଇଛି। ବେଲଗାମି-ବାଗଲକୋଟ ଜାତୀୟ ରାଜପଥକୁ ପ୍ରଦର୍ଶନକାରୀ ବନ୍ଦ କରିଦେଇଛନ୍ତି।

ଶିବ କୁମାରଙ୍କୁ ମନି ଲଣ୍ଡରିଂ ମାମଲାରେ ଇଡି ଗତ ଶୁକ୍ରବାର ଦିନ ସମନ୍‌ କରିଥିଲା। ଚତୁର୍ଥ ଥର ପାଇଁ ସେ ଇଡିର ଖାନ୍‌ ମାର୍କେଟ ସ୍ଥିତ ମୁଖ୍ୟାଳୟରେ ଜେରା ପାଇଁ ଯାଇଥିଲେ। ଦୀର୍ଘ ସମୟ ଧରି ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା।

Comment