ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଠ ଉଚ୍ଛେଦକୁ ବିରୋଧ କଲେ ମହନ୍ତ
  • ସୁପ୍ରିମକୋର୍ଟଙ୍କୁ ଲେଖିଲେ ଚିଠି
  • ଉଚ୍ଛେଦ ପ୍ରକ୍ରିୟାରେ ରହିତାଦେଶ ଦାବି

ପୁରୀ ଚାଲିଥିବା ମଠ ଉଚ୍ଛେଦ ନୂଆ ମୋଡ଼ ନେଇଛି। ଉଚ୍ଛେଦକୁ ବିରୋଧ କରି ମଠ ମହନ୍ତମାନେ ଏକାଠି ହୋଇଛନ୍ତି। ରାଜ୍ୟ ସରକାର କରୁଥିବା ଉଚ୍ଛେଦରେ ହସ୍ତକ୍ଷେପ କରିବା ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ଖୋଲା ଚିଠି ଲେଖିଛନ୍ତି ମହନ୍ତ। ଏହି ଚିଠିରେ ମହନ୍ତମାନେ ମଠ ଉଚ୍ଛେଦକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।

‘‘ପୁରାତନ ମଠଗୁଡ଼ିକର ସଂରକ୍ଷଣ କରିବା ନିହାତି ଜରୁରୀ। ହେଲେ ରାଜ୍ୟ ସରକାର ସଂରକ୍ଷଣ କରିବା ବଦଳରେ ମଠ ଉଚ୍ଛେଦ କରି ଚାଲିଛନ୍ତି। ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏଜି ମିଛ କହିଥିଲେ। ମଠ ଉଚ୍ଛେଦରେ ମହନ୍ତମାନଙ୍କର ଆଦୌ ସହମତି ନାହିଁ। ସୁପ୍ରିମକୋର୍ଟ ଆମିକସ୍‌ କ୍ୟୁରୀଙ୍କୁ ପରୀ ଆସିବାକୁ କହିଛନ୍ତି। ହେଲେ ରାଜ୍ୟ ସରକାର ତାଙ୍କୁ ଅପେକ୍ଷା ନକରି ମଠ ଭାଙ୍ଗି ଚାଲିଛନ୍ତି। ଏହି ଉଚ୍ଛେଦ ପ୍ରକ୍ରିୟାରେ ହସ୍ତକ୍ଷେପ କରି ରହିତାଦେଶ ଜାରି କରାଯାଉ’’, ମହନ୍ତମାନେ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏମିତି ଚିଠି ଲେଖିଛନ୍ତି।

ଚିଠିରେ ଆହୁରି ଉଲ୍ଲେ କରାଯାଇଛି ଯେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ କରିବାକୁ ଜୋରଦାର ଅଭିଯାନ ଚଳାଇଛନ୍ତି। ଏହି ୭୫ ମିଟର ପରିଧି ଭିତରେ ୧୮ଟି ପୁରାତନ ମଠ ରହିଛି। ଶ୍ରୀମନ୍ଦିର ପରମ୍ପରା ସହ ମଠମାନେ ଯୋଡ଼ି ହୋଇ ରହିଛନ୍ତି। ଏହି ଐତିହ୍ୟଗୁଡ଼ିକର ସୁରକ୍ଷା କରାଯାଉ ବୋଲି ମହନ୍ତମାନେ ଦାବି କରିଛନ୍ତି।

ଗତ ସପ୍ତାହରେ ୭୫ ମିଟର ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟ ଏହି ମାମଲା ଖାରଜ କରିଦେଇଥିଲେ। ସରକାରଙ୍କ ପକ୍ଷରୁ ଏଜି ଉଚ୍ଛେଦ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଉଚ୍ଛେଦରେ ମଠ ମହନ୍ତମାନଙ୍କ ସହମତି ରହିଥିବା କହିଥିଲେ ଏଜି। କିନ୍ତୁ ଆଜି ମହନ୍ତମାନେ ସରକାରଙ୍କ ମିଛ ଧରିଛନ୍ତି।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ୭୫ ମିଟର ଉଚ୍ଛେଦ କରୁଛି। ହେଲେ ଏମାର ମଠ ଉଚ୍ଛେଦ ଅଭିଯାନ ବେଳରୁ ହିଁ ସରକାର ଅଡୁଆରେ ପଡ଼ିଥିଲେ। ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ପ୍ରଶାସନକୁ ବିରୋଧ କରିଥିଲେ। ଗାଦି ନଛାଡ଼ିବାରୁ ପ୍ରଶାସନ ବଡ଼ ଆଖଡ଼ା ମଠ ଉପରେ ନଜର ପକାଇଥିଲା। କିନ୍ତୁ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥମାନେ ଏକାଠି ହୋଇ ମଠ ଉଚ୍ଛେଦକୁ ବିରୋଧ କରିଥିଲେ। ବଡ଼ ଆଖଡ଼ା ମଠ ପାଚେରୀ ଉପରେ ବସି ରହି ପ୍ରତିବାଦ କରିଥିଲେ।

ଫଳରେ ପ୍ରଶାସନ ମଠ ଉଚ୍ଛେଦ ଅଭିଯାନକୁ ପଛକୁ ହଟିଥିଲା। ସହମତି ଭିତ୍ତିରେ ମଠ ଭଙ୍ଗାଯିବ ବୋଲି ପ୍ରଶାସନ କହିଥିଲା। ହେଲେ ମହନ୍ତମାନେ ଆଜି ମଠ ଉଚ୍ଛେଦକୁ ଖୋଲା ଖୋଲି ବିରୋଧ କରିଛନ୍ତି।

Comment