ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ଧରିବ ରାଜ୍ୟ ବିଜେପି ମଙ୍ଗ? କାହାକୁ କରାଯିବ ରାଜ୍ୟ ବିଜେପି ସଭାପତି? ସଭାପତି ପଦକୁ ନେଇ ବିଜେପିରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ଖବର ମିଳିଛି ଯେ ସଭାପତି ଦୌଡରେ ଅଛନ୍ତି ଦୁଇ ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଏବଂ ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଯଦିଓ ଏହି ପଦ ପାଇଁ ଆହୁରି ଅନେକ ଦାବିଦାର ରହିଛନ୍ତି ତେବେ ‘ଜଣେ ବ୍ୟକ୍ତି  ଗୋଟିଏ ପଦ’ ଆଧାରରେ ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ହିଁ ଜଣେ କାହାକୁ ଦାୟିତ୍ୱ ମିଳିବ।

ତେବେ ସମୀର ମହାନ୍ତିଙ୍କ ନାଁ ସଭାପତି ପଦ ପାଇଁ ଅଧିକ ଚର୍ଚ୍ଚା ହେଉଛି। ସେ ସଂଘ ପରିବାରର ଜଣେ ସକ୍ରିୟ ସଦସ୍ୟ ରହି ଆସିଛନ୍ତି। ତାଛଡ଼ା ଦଳର ପ୍ରମୁଖ ମୁଖପାତ୍ର ଭାବରେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସମୀର ବିଜେପି କେନ୍ଦ୍ର ନେତାଙ୍କ ଭଲ ଦୃଷ୍ଟିରେ ରହି ଆସିଛନ୍ତି।

ସଭାପତି ପଦ ପାଇଁ କେ ଭି ସିଂଦେଓ ମଧ୍ୟ ଅନ୍ୟତମ ପ୍ରମୁଖ ଦାବିଦାର ରହିଛନ୍ତି। ହେଲେ ପୂର୍ବରୁ ସେ ସଭାପତି ପଦରେ ରହି ସାରିଛନ୍ତି। ସଭାପତି ଥିବା ବେଳେ ସେ ନିଜର  ଦକ୍ଷତା ପ୍ରତିପାଦନ କରିଛନ୍ତି। ଠିକ୍ ସେହିଭଳି ବିଧାୟକ ଦଳ ନେତା ଭବେ ବି ତାଙ୍କର କାର୍ଯ୍ୟଦକ୍ଷତା ପ୍ରମାଣିତ ହୋଇ ସାରିଛି। ଦିଲ୍ଲୀରେ ତାଙ୍କର ଭଲ ଲବି ମଧ୍ୟ ଅଛି। ତେଣୁ ତାଙ୍କୁ ମଧ୍ୟ ଦଳ ସଭାପତି ପଦରେ ବସାଇପାରେ ବୋଲି ଶୁଣାଯାଉଛି।

ଇତିମଧ୍ୟରେ  ଜୁଲାଇ ୬ରୁ ଆରମ୍ଭ ହୋଇଥିବା ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ୨୦ ତାରିଖରେ ଶେଷ ହୋଇଛି। ଏଥିରେ ପାଖାପାଖି ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରିଥିବା ଦଳ ଦାବି କରୁଛି। ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ସ୍ଥିତିକୁ ମଜବୁତ ପାଇଁ ଦଳ ଅଣ୍ଟା ଭିଡିଛି। ଚଳିତ ମାସ  ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ। ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ। ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ।

ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ ବୋଲି ଦିନ ଧାର୍ଯ୍ୟ କରାଯାଇଛି। ସାଂଗଠନିକ ନିର୍ବାଚନକୁ ସୁପରିଚାଳନା କରିବାକୁ ୩୦୦ରୁ ଅଧିକ ନେତୃବୃନ୍ଦଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଓ ସହ ନିର୍ବାଚନ ଅଧିକାରୀ ମନୋନିତ ହୋଇଛନ୍ତି। ଗୁରୁବାର ଦିନ ଦଳର ଭୁବନେଶ୍ୱର  କାର୍ଯ୍ୟାଳୟରେ ଏନେଇ ଏକ କର୍ମଶାଳା ହେବ ବୋଲି ସୂଚନା ମିଳିଛି।

Comment