ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମଠ ଉଚ୍ଛେଦକୁ ବିରୋଧ, ପଶିଲା ରାଜନୀତି।

ପୁରୀରେ ୭୫ ମିଟର ଉଚ୍ଛେଦ ହେବ କି ନାହିଁ? ଏହାକୁ ନେଇ ଏବେ ରାଜନୀତି ତେଜିଛି। ଗତ ସପ୍ତାହେ ହେଲା ସୁରୁଖରୁରେ ଚାଲିଥିବା ଉଚ୍ଛେଦ କାର୍ଯ୍ୟରେ ଏବେ ରାଜନୀତି ପଶିଛି। ମଠ ଉଚ୍ଛେଦକୁ ବିରୋଧ କରି ବିଶ୍ୱହିନ୍ଦୁ ପରିଷଦ ଆଗକୁ ଆସିଛି। ବରିଷ୍ଠ ନେତା ବିଜୟ ମହାପାତ୍ର ବି ସମାଲୋଚନା କରିଛନ୍ତି। ଫଳରେ ସରକାର ଏବେ ଅଡୁଆରେ ପଡ଼ିଛନ୍ତି।

ଗତ ସପ୍ତାହେ ହେଲା ପୁରୀରେ ଚାଲିଛି ୭୫ ମିଟର ଉଚ୍ଛେଦ। ପ୍ରଥମେ ମେଘନାଦ ପାଚେରୀ କଡ଼ ଏବଂ ପରେ ଲଙ୍ଗୁଳି ଓ ମଙ୍ଗୁ ମଠ ଉଚ୍ଛେଦ କରିବା ପରେ ପ୍ରଶାସନ ଏମାର ମଠରେ ହାତ ମାରିଥିଲା। ଏମାର ମଠ ତତ୍‌ସଂଲଗ୍ନ ରଘୁନାଥ ପାଠାଗାରକୁ ଧୂଳିସାତ କରିଥିଲା। ଏସବୁ ଉଚ୍ଛେଦ ପ୍ରକ୍ରିୟା ସୁରୁଖରୁରେ ଚାଲିଥିଲା। କିନ୍ତୁ ଯେତେବେଳେ ପ୍ରଶାସନ ଏମାର ମଠର ମୂଳ ଗାଦି ଉଚ୍ଛେଦ ପାଇଁ ପଦକ୍ଷେପ ନେଲା ସେତେବେଳେ ସବୁ ବିଗଡ଼ି ଯାଇଥିଲା।

ଏମାର ମଠରୁ ଆରମ୍ଭ ହେଲା ପ୍ରତିବାଦ

ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ ଗାଦି ଛାଡ଼ିଲେନି। କବାଟ କିଳି ଘରେ ବସି ରହିଲେ। ତାଙ୍କୁ ପ୍ରଶାସନ ବୁଝାଇଲା ପରେ ବି କିଛି ଫଳ ମିଳିଲାନି। ପ୍ରଶାସନିକ ଅଧିକାରୀ ବୁଲ୍‌ଡୋଜର ଧରି ବାହାରେ ଛିଡ଼ା ହୋଇଥିବା ବେଳେ ମହନ୍ତ କବାଟ କିଳି ଠାକୁର ଘରେ ବସି ରହିଥିଲେ।

ଏମାର ମଠ ମହନ୍ତ ନୀରବ ପ୍ରତିବାଦ କରି ପ୍ରଶାସନକୁ ଚାଲେଞ୍ଜ ଦେଇଥିଲେ। ଶେଷରେ ପ୍ରଶାସନ ଗୋଟିଏ ପାଦ ପଛକୁ ଫେରିଥିଲା। ଏମାର ମଠ ଛାଡ଼ି ବଡ଼ ଆଖଡ଼ା ମଠକୁ ନୋଟିସ୍‌ ଦେଲା। ହେଲେ ଏଠି ବି ବିରୋଧର ଶିକାର ହେବାକୁ ପଡ଼ିଲା। ଏମାର ମଠ ମହନ୍ତ ନୀରବ ପ୍ରତିବାଦ କରିଥିବା ବେଳେ ବଡ଼ ଆଖଡ଼ା ମଠ ମହନ୍ତ ଏବଂ ସହଯୋଗୀମାନେ ଖୋଲାଖୋଲି ବିରୋଧ କଲେ। ପ୍ରଶାସନର ବୁଲ୍‌ଡୋଜରକୁ ମଠ କୋର୍‌ପଏଣ୍ଟରେ ପୂରାଇ ଦେଲେନି। ପାଚେରୀ ଉପରେ ବସି ରହିଲେ। ସଂକୀର୍ତ୍ତନ କରି ପ୍ରତିବାଦ କଲେ।

ଏକାଠି ହେଲେ ସାଧୁସନ୍ଥ

ମଠ ଉଚ୍ଛେଦକୁ ନେଇ ବିରୋଧ ବଢ଼ିଲା। ବଡ଼ ଆକଡ଼ା ମଠ ଭାଙ୍ଗିବା ପୂବରୁ ପୁରୀରେ ଏକାଠି ହୋଇଥିଲେ ସାଧୁସନ୍ଥ। ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥ ପୁରୀ ଆସିଥିଲେ। ଉଚ୍ଛେଦ ବନ୍ଦ କରିବାକୁ ଦାବି କରିଥିଲେ। ପ୍ରଶାସନ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହିଥିଲା। ମଠ ମହନ୍ତଙ୍କ ସହ ଶେଷରେ ଆଲୋଚନା କଲା। ଆଲୋଚନା ପରେ ପ୍ରଶାସନ ଆଉ ଦୁଇ ପାଦ ପଛକୁ ଫେରିଲା। ଉଚ୍ଛେଦକୁ ସାମୟିକ ଭାବେ ବନ୍ଦ କରିବାକୁ ଘୋଷଣା କଲେ ଜିଲ୍ଲାପାଳ।

ଆରମ୍ଭ ହେଲା ରାଜନୀତି

ମଠ ଉଚ୍ଛେଦକୁ ବିରୋଧ କରି ଗଢ଼ା ହେଲା ପୁରୀ ସୁରକ୍ଷା କମିଟି। ଏଥିରେ ୧୫ ଜଣ ସଦସ୍ୟ ରହିଲେ। ମଙ୍ଗଳବାର ସନ୍ଧ୍ୟାରେ ବସିଲା ବୈଠକ। ଯୋଗ ଦେଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ମଠ ଉଚ୍ଛେଦକୁ ବୈଠକରେ ଜୋରଦାର ବିରୋଧ କରାଗଲା। ବୁଧବାର ସକାଳୁ ଏହି କମିଟି ସହ ଆଲୋଚନା କଲେ ଜିଲ୍ଲାପାଳ। ହେଲେ ଆଲୋଚନାରୁ କୌଣସି ସମାଧାନର ରାସ୍ତା ବାହାରିଲାନି। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଅସୁରକ୍ଷିତ ମଠ ହଟାଇବାକୁ ପ୍ରଶାସନ ଜିଦ୍‌ ଧରିଲା। ଆଲୋଚନା ବିଫଳ ହେଲା।

ପୁରୀ ଜିଲ୍ଲାପାଳଙ୍କ ଅଫିସରେ ବୈଠକ ଚାଲୁଥିବା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ବାଣ ମାରିଲେ। ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ର କରି ଦେଉଥିବା ଅଭିଯୋଗ ଆଣିଲେ। ଏହାସହ ବି ପି ଦାସ କମିଶନଙ୍କ ରିପୋଟକୁ ସାର୍ବଜନୀନ କରିବାକୁ ଦାବି କଲେ। ଏହା ପୂର୍ବରୁ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଆଗକୁ ଆସିଲା ବିଶ୍ୱହିନ୍ଦୁ ପରିଷଦ

ମଠ ଉଚ୍ଛେଦକୁ ବିରୋଧ କରି ଆଗକୁ ଆସିଛି ବିଶ୍ୱହିନ୍ଦୁ ପରିଷଦ। ବଡ଼ ଆକଡ଼ା ମଠରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ସମାଲୋଚନା କରିଛି। ପ୍ରାଚୀନ ଐତିହ୍ୟର ସଂରକ୍ଷଣ ବଦଳରେ ସରକାର ମଠ ଉଚ୍ଛେଦ କରୁଥିବାରୁ ଏଥିରୁ ନିବୃତ ରହିବାକୁ ଦାବି କରିଛି। ନହେଲେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଏପଟେ ମଠ ମହନ୍ତମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ଲୋଡ଼ି ଚିଠି ଲେଖିଛନ୍ତି ମଠ ମହନ୍ତ।

ମଠ ଉଚ୍ଛେଦକୁ ନେଇ ସରକାର ଏବେ ଦୋଛକିରେ ପଡ଼ିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ ଆଉ ଦୁଇ ଦିନ ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବ। ହେଲେ ଏବେଠୁ ପୁରୀରେ ରାଜନୀତି ତେଜିଲାଣି। ଯଦି ସରକାର ତାଙ୍କ ଜିଦ୍‌ରେ ଅଟଳ ରୁହନ୍ତି ତାହାଲେ ପରିସ୍ଥିତି କେଉଁ ମୋଡ଼ ନେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Comment