ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଦ୍ୱାରା ନୂଆ ମୋଟର ଯାନ ଆଇନ୍ ଆଗତ ହେବା ପରେ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକଙ୍କ ଉପରେ ବଡ଼ ଧରଣର ଫାଇନ୍ ଲାଗୁଛି। ଶୁକ୍ରବାର ଦିଲ୍ଲୀରେ ଏନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଣେ ବାଇକ୍ ଚାଳକଙ୍କୁ ଅଧିକ ଫାଇନ୍ ପଡ଼ିବାରୁ ଉକ୍ତ ସ୍ଥାନରେ ନିଜ ବାଇକ୍କୁ ନିଆଁ ଲଗାଇ ପୋଡ଼ିଦେଇଛନ୍ତି।
ଦିଲ୍ଲୀ ସେଖ୍ ସରାୟା ଫେଜ୍-୧ରେ ଟ୍ରାଫିକ୍ ଚେକିଂ ଚାଲିଥିବା ବେଳେ ପୋଲିସ୍ ଏକ ବାଇକ ଚାଳକଙ୍କୁ ଧରିଥିଲା। ଉକ୍ତ ଯୁବକ ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବାରୁ ପୋଲିସ ତାଙ୍କ ଉପରେ ୨୫ ହଜାର ଟଙ୍କାର ଫାଇନ୍ ଲଗାଇଥିଲା।

ହେଲେ ଯୁବକଜଣଙ୍କ ଏଥିରେ ରାଗିଯାଇ ନିଶାସକ୍ତ ଅବସ୍ଥାରେ ନିଜ ଗାଡ଼ିରେ ନିଆଁ ଲଗାଇଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ହେଲେ ବାଇକ୍ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ସୂଚନା ମିଳିଛି।
ଯୁବକଙ୍କ ଏହି ଉନ୍ମତ୍ତ କାଣ୍ଡ ଦେଖି ସ୍ଥାନୀୟ ଲୋକେ ଜମା ହୋଇଯାଇଥିଲେ। ପୋଲିସ୍ ଉକ୍ତ ଯୁବକଙ୍କୁ ଆଇପିସି ଧାରା ୪୫୩ ଆଧାରରେ ଉକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ ମୂତାବିକ, ଯୁବକଜଣକ ମଦ ପିଇ ଗାଡ଼ି ଚଳାଉଥିଲେ। ଯୁବକଙ୍କ ମେଡିକାଲ ଚେକ୍ଅପ୍ କରାଯାଇ ପୋଲିସ ହେପାଜତରେ ରଖାଯାଇଛି।








