ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀର ହେବ ନବକଳେବର। ମହାପ୍ରଭୁଙ୍କ ନବକଳେବରର ଚାରି ବର୍ଷ ପରେ ଏବେ ପୁରୀ ସହରର ହେବ ନବକଳେବର। ପୁରୀର ନକ୍ସାକୁ ବଦଳାଇବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପୁରୀକୁ ବିଶ୍ଵ ଐତିହ୍ୟସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି। ତାହାର ବ୍ଲୁ ପ୍ରିଣ୍ଟ ଏବେ ସମ୍ନାକୁ ଆସିଛି।

ପୁରୀ ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ୫୦୦ କୋଟିରେ ହେବ କ’ଣ? ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଚ୍ଛେଦ ପରେ କେମିତି ଦେଖାଯିବ ପୁରୀ ସହର? ପୁରୀରୁ ଉଚ୍ଛେଦ ହୋଇଥିବା ବିସ୍ଥାପତିମାନେ ରହିାବେ କେଉଁଠି? ଏଭଳି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। ଏହି ସବୁ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମୁଖ୍ୟମନ୍ତ୍ରୀ।

ପୁରୀର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନିର୍ମାଣ ହେବ ଶ୍ରୀ ସେତୁ

ମାଳତୀ ପାଟପୁରରୁ ଜଗନ୍ନାଥ ବଲ୍ଳଭ ମଠକୁ ସଂଯୋଗ କରିବା ପାଇଁ ୧୯୦ କୋଟି ବ୍ୟୟରେ ଟ୍ରମ୍ପେଟ୍‌ ସେତୁ ବା ଶ୍ରୀସେତୁ ନିର୍ମାଣ ହେବ। ସେତୁର ବ୍ଲୁ ପ୍ରିଣ୍ଟ ସମ୍ନାକୁ ଆସିଛି।

ଏହି ସେତୁ ନିର୍ମାଣ ପ୍ରସ୍ତାବରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ।

ଏମିତି ଦେଖାଯିବ ଜଗନ୍ନାଥ ମନ୍ଦିର

ଶ୍ରୀମନ୍ଦିରର ଚାରିପଟୁ ୭୫ ମିଟର ଉଚ୍ଛେଦ ପରେ ଜଗନ୍ନାଥ ମନ୍ଦିର କିଛି ଏଭଳି ଦେଖାଯିବ। ଶ୍ରୀମନ୍ଦିର ସଂହ ଦ୍ୱାର ସମ୍ମୁଖରେ ୨୪ ମିଟରର ଏକ ପାଦଚଲା ରାସ୍ତା ରହିବ।

ଜଗନ୍ନାଥ ବଲ୍ଲଭର ବଦଳିବ ରୂପରେଖ

ଜଗନ୍ନାଥ ବଲ୍ଲଭ ମଠକୁ ବିଶ୍ୱସ୍ତରୀୟ କରିବା ପାଇଁ ୧୮୦ କୋଟି ଟଙ୍କା ବ୍ୟୟବାରଦ ହୋଇଛି। ଏହି ମଠରେ ବହୁତଳ ପାର୍କିଂ ହେବା ସହ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟି ଦିଆଯିବ।

ଏହି ମଠରେ ୧୦ ହଜାର ଲୋକଙ୍କ ପାଇଁ ମେଡିଟେସନ୍‌ ସେଣ୍ଟର ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏହି ମଠରୁ ପର୍ଯ୍ୟଟକମାନେ ମନ୍ଦିରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିପାରିବେ।

ବିସ୍ଥାପିତଙ୍କ ଥଇଥାନ

ଉଚ୍ଛେଦ ପରେ ବିସ୍ଥାପିତଙ୍କ ଥଇଥରନ ଲାଗି୯୫ କୋଟ ବ୍ୟୟବରାଦରେ ବିଲ୍ଡିଂ ନିର୍ମାଣ ହେବ। ଏହି ବିଲ୍ଡିଂ ମନ୍ଦିରଠାରୁ ଦେଢ଼ କିଲୋମିଟର ଦୂରରେ ନିର୍ମାଣ ହେବ। ଏଥିରେ ୬୦୦ ଘର ରହିବ। ପ୍ରତି ଘର ୫୨୦ ସ୍କୋୟାର ଫୁଟ ଭିତରେ ନିର୍ମାଣ ହେବ।

ରଘୁନନ୍ଦନ ପାଠାଗାର ବିକାଶ

ରଘୁନନ୍ଦନ ପାଠାଗାରକୁ ବିଶ୍ୱସ୍ତରୀୟ କରିବା ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏମାର ମଠ ଜମିର କିଛି ଅଂଶରେ ହିଁ ପାଠାଗାର ନିର୍ମାଣ କରାଯିବ। ପାଠାଗାର ୩ ମହଲା ବିଶିଷ୍ଟ ହେବ। ଏଠାରେ ଥିବା ପୁସ୍ତକ, ପୋଥି ଏବଂ ନଥିପତ୍ରକୁ ସଂରକ୍ଷଣ କରାଯିବ। ଲାଇବ୍ରେରିର ସମସ୍ତ ପୁସ୍ତକକୁ ମଧ୍ୟ ଡିଜିଟାଇଜେସନ୍‌ କରାଯିବ।

ଏହାଛଡ଼ା ମୂଷା ନଦୀକୁ ମଙ୍ଗଳା ନଦୀ ସହ ସଂଯୋଗ କରାଯିବ। ମୂଷା ନଦୀ କୂଳରେ ପର୍ଯ୍ୟଟନର ବିକାଶ ପାଇଁ ୮୫ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରାଯାଇଛି। ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଠରନଳାର ସୌନ୍ଦର୍ଯ୍ୟକରଣ କରାଯିବ। ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଆସୁଥିବା ମଠଗୁଡ଼ିକ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।

Comment