ଓଡ଼ିଶାଲାଇଭ ବ୍ୟୁରୋ

ଉଚ୍ଛେଦ ପ୍ରସଙ୍ଗରେ ଅନୁଧ୍ୟାନ ପାଇଁ ୨ଦିନିଆ ଗସ୍ତରେ ପୁରୀରେ ପହଞ୍ଚିଛନ୍ତି ଆମିକସକ୍ୟୁରି ରଞ୍ଜିତ କୁମାର ଓ ସିଲିସେଟର ଜେନେରାଲ ତୁଷାର ମେହେତା। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଆମିକସକ୍ୟୁରି ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି। ଏହାସହ ଆମିକସ୍‌କ୍ୟୁରିଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ଶେଷ ହେବା ପରେ ଆମିକସ୍‌କ୍ୟୁରି କହିଛନ୍ତି, “ପୁରୀର ବିକାଶ ପାଇଁ ସରକାରଙ୍କ ନିଷ୍ପତ୍ତି ସ୍ଵାଗତଯୋଗ୍ୟ। ଏହାକୁ ରୋକିବା ଅନୁଚିତ। ସରକାର ସମସ୍ତଙ୍କ ସହମତି ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟ ଶ୍ରୀମନ୍ଦିର ସମେତ ରାଜ୍ୟବାସୀଙ୍କ ପାଇଁ ବହୁତ ଭଲ କାମ।”

ଅନ୍ୟପକ୍ଷରେ ଆମିକସ୍‌କ୍ୟୁରିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରିନାହାନ୍ତି ସେବାୟତ ଓ ପୁରୀ ସୁରକ୍ଷା ମଞ୍ଚ। ଏନେଇ ପୁରୀ ସୁରକ୍ଷା ମଞ୍ଚର ଆବାହାକ ଦାମୋଦର ପଧାନୀ କହିଛନ୍ତି, “ସରାକାରଙ୍କ ପରିକଳ୍ପନାକୁ ଆମେ ସ୍ଵାଗତ କରୁଛୁ। ହେଲେ ଯୋଉମାନେ ଏଥିରେ କ୍ଷତି ସହୁଛନ୍ତି ତାଙ୍କ ଦାବିକୁ ମଧ୍ୟ ଶୁଣିବା ଆବଶ୍ୟକ। ୨୦୧୫ ନବକଳେବର ବେଳେ ବିସ୍ଥାପନ ହୋଇଥିବା ଲୋକ ଏଯାଏଁ ଥଇଥାନ ହୋଇ ପାରିନାହାନ୍ତି ସେଥିପାଇଁ ସରକାରଙ୍କ ଉପରେ ଲୋକମାନେ ଭରସା କରି ପାରୁନାହାନ୍ତି। ସରକାର କହୁଛନ୍ତି ୩୦୦ ମିଟର ଭିତରେ ଜାଗା ଦେବେ ହେଲେ ୩୦୦ ମିଟର ଭିତରେ ଜାଗା ଥିଲେ ତ ଦେବେ।”

ପୁରୀକୁ ବିଶ୍ଵ ଐତିହ୍ୟରେ ପରିଣତ କରିବାକୁ ଚାଲିଥିବା ୭୫ ମିଟର ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦୁଇଟି ମାମଲା ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଏହାସହ ଆମିକସ୍‌କ୍ୟୁରି ଓ ସିଲିସେଟର ଜେନେରାଲଙ୍କୁ ସ୍ଥିତି ସମୀକ୍ଷା କରିବାକୁ ପଠାଇଥିଲେ।

Comment