ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲିସ ଓ ସରକାରୀ ଗାଡ଼ି ଯାଞ୍ଚ କରିବାକୁ ଦାବି କଲେ ସାଧାରଣ ଲୋକେ।

ପୋଲିସ ସବୁବେଳେ ପବ୍ଲିକ ଗାଡ଼ିକୁ ଚେକିଂ କରି ଜରିମାନା ଆଦାୟ କରିଥାଏ। କିନ୍ତୁ ଆଜି ଓଲଟା ଚିତ୍ର ଦେଖିବାକୁ ମିଳିଛି। ପୋଲିସ ଏବଂ ସରକାରୀ ଗାଡ଼ି ପବ୍ଲିକ ସ୍କାନରକୁ ଆସିଛି। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ରାଜମହଲ ଛକ ରଣକ୍ଷେତ୍ର ପାଲଟି ଯାଇଥିଲା।

ରାଜମହଲ ଛକରେ ପୋଲିସ ବାଇକ୍ ଓ ଚାରି ଚକିଆ ଗାଡ଼ି ଅଟକାଇ ଚେକିଂ କରୁଥିବା ବେଳେ ପବ୍ଲିକ ପୋଲିସ ଗାଡ଼ିର ଯାଞ୍ଚ କରିଥିଲେ। ଏହାସହ ସବୁ ପୋଲିସ ଗାଡ଼ି ଏବଂ ଅନ୍ୟ ସରକାରୀ ଗାଡ଼ିକୁ ଯାଞ୍ଚ କରିବା ପାଇଁ ଲୋକେ ଦାବି କରିଛନ୍ତି।

‘‘କେନ୍ଦ୍ର ସରକାର ଯେଉଁ ନୂଆ ମୋଟର ଯାନ ଆଇନ ଲାଗୁ କରିଛନ୍ତି ତାହାକୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ଆଇନ୍ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର। ପୋଲିସ ଯେମିତି ପବ୍ଲିକ ଗାଡ଼ି ଯାଞ୍ଚ କରୁଛି ଠିକ୍‌ ସେମିତି ନିଜ ବିଭାଗର ଗାଡ଼ି ଏବଂ ଅନ୍ୟ ସରକାରୀ ଗାଡ଼ିକୁ ଯାଞ୍ଚ କରିବା ଦରକାର। ଲୋକଙ୍କ ଉପରେ ଦମନଲୀଳା ଚଳାଇଛି ପୋଲିସ। ଅଯଥାରେ ଜରିମାନା ଲଦି ଦିଆଯାଉଛି’’, କହିଛନ୍ତି ଜଣେ ସାଧାରଣ ଲୋକ।

ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂଆ ମୋଟର ଯାନ ଲାଗୁ କରାଯାଇଛି। ଏହି ଆଇନ ବଳରେ ବେଆଇନ ଗାଡ଼ି ଚାଳକଙ୍କଠାରୁ ଦଶ ଗୁଣ ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ଲୋକେ ଅତିଷ୍ଠ ହୋଇଗଲେଣି। ନୂଆ ଆଇନ ଲଗାଇବା ପୂର୍ବରୁ ଗାଡ଼ି ଚାଳକମାନଙ୍କୁ ପ୍ରଥମେ ସଚେତନ କରିବା ଆବଶ୍ୟକ ଥିଲା ବୋଲି ଲୋକେ କହୁଛନ୍ତି।

ରାଜମହଲ ଛକରେ ପୋଲିସ ଆଜି ଗାଡ଼ି ଚେକିଂ କରୁଥିଲା। ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ିକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରିଥିଲା ପୋଲିସ। ବାଇକ ଚାଳକ ହେଲମେଟ୍‌ ପିନ୍ଧିଥିଲେ ଅଟକାଉଥିଲା ପୋଲିସ। ଏହାପରେ ଡିଏଲ୍‌, ଗାଡ଼ି ରେଜିଷ୍ଟ୍ରସନ ଆଦି ଯାଞ୍ଚ କରାଯାଉଥିଲା।

ସେହିପରି ଚାରି ଚକିଆ ଗାଡ଼ି ଚାଳକ ସିଟ୍‌ ବେଲ୍ଟ ନପିନ୍ଧିଲେ ପୋଲିସ ଅଟକାଉଥିଲା। ଡିଏଲ୍‌, ଗାଡ଼ିର ପରମିଟ୍‌, ରେଜିଷ୍ଟ୍ରେସନ ଆଦି ଯାଞ୍ଚ କରୁଥିଲା।

ରାଜମହଲ ଛକରେ ଗାଡ଼ି ଚେକିଂ ଚାଲୁଥିବା ବେଳେ ହଠାତ୍ ପବ୍ଲିକ ତାତି ଥିଲେ। ଏକ ମିଡିଆ ଗାଡ଼ିକୁ ପୋଲିସ ଅଟକାଇବା ପରେ ହିଁ ରାଜମହଲରେ ମହାଭାରତ ସୃଷ୍ଟି ହୋଇଥିଲା। ଗାଡ଼ି ଭିତରେ ଥିବା ମହିଳା ସାମ୍ବାଦିକ ଜଣକ ପୋଲିସକୁ ତାଙ୍କ ଗାଡ଼ିର କାଗଜପତ୍ର ଦେଖାଇବାକୁ କହିଥିଲେ। ଏହାପରେ ପବ୍ଲିକ ମାତିଥିଲେ।

ପୋଲିସକୁ ଘେରିଯାଇଥିଲେ ଲୋକେ। ଯେଉଁ ପିସିଆର୍ ଭ୍ୟାନକୁ ପାଖରେ ରଖି ପୋଲିସ ଚେକିଂ କରୁଥିଲା ସେ ଗାଡ଼ିର ନମ୍ବର ନଥିବା ଦେଖିବାକୁ ମିଳିଥିଲା। ଏହାସହ ପୋଲିସ ଭ୍ୟାନରୁ ମଦ ବୋତଲ ବାହାରିଥିବା ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପୋଲିସ-ଜନତାଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା।

ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସକୁ ଘେରିବା ପରେ ପୋଲିସ ଲାଠିମାଡ଼ କରିଥିଲା। ଲୋକେ ବି ପୋଲିସ ଉପରକୁ ଇଟା, ପଥର ମାଡ଼ କରିଥିଲେ। ପରିସ୍ଥିତ ଅଣାୟତ୍ତ ହୋଇଯାଇଥିଲା। ଏବେ ପରିସ୍ଥିତି ସ୍ୱାଭାବିକ ହେଉଛି।

ଗାଡ଼ି ଚେକିଂକୁ ନେଇ ଭୁବନେଶ୍ୱରରୁ ପୋଲିସ-ଜନତା ଭିତରେ ବିବାଦ ଆରମ୍ଭ ହୋଇଛି। ଯଦି ପୋଲିସ ଏବଯ ଜନତାଙ୍କ ଭିତରେ ସମନ୍ୱୟ ନରୁହେ ତାହାଲେ ଆଗକୁ ପରିସ୍ଥିତି କ’ଣ ହେବ ତାହା ଅପେକ୍ଷା କରି ଦେଖିବାର କଥା।

Comment