ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସୁଛି ‘ଶଲାବୁଢ଼ା’ଫିଲ୍ମର ଦ୍ୱିତୀୟ ଭାଗ ‘ଶଲାବୁଢ଼ାର ବଦଲା’। କୋଶଳୀ ଭାଷାରେ ନିର୍ମିତ ଶଲାବୁଢ଼ା ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଏହି ଫିଲ୍ମର ଦ୍ୱିତୀୟ ଭାଗ ‘ଶଲାବୁଢ଼ାର ବଦଲା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି।

ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଶଲାବୁଢ଼ା ଫିଲ୍ମଟି ପଶ୍ଚିମ ଓଡ଼ିଶାର କୋଶଳୀ ଭାଷାରେ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ଜଣେ ଗାଁ ବୁଢ଼ା ଲୋକର କାହାଣୀକୁ ଚିତ୍ରଣ କରାଯାଇଥିଲା। ଫିଲ୍ମର ଦ୍ୱିତୀୟ ପାର୍ଟରେ ମଧ୍ୟ ୮୩ବର୍ଷିୟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ଅଭିନୟର ଯାଦୁଗରୀ ଦେଖିବାକୁ ପାଇବେ ଦର୍ଶକ।

ତେବେ ଫିଲ୍ମର ଦ୍ୱିତୀୟ ଭାଗର ଏକ ଛୋଟ ଭିଡିଓ ବର୍ତ୍ତମାନ ୟୁଟ୍ୟୁବରେ ଛଡାଯାଇଛି। ଫିଲ୍ମର ଦ୍ୱିତୀୟ ଭାଗର ଏକ ଗୀତ ‘ଚୋରା ପିରତି ’ ମଧ୍ୟ ୟୁଟୁବରେ ଦେଖିବାକୁ ମିଳିଛି। ଏହାସହ ମାଧବୀର ବାହାଘର କରିବା ସହ ଶଲାବୁଢ଼ା ତା’ର ବଦଲା ନେବାକୁ ଯୋଜନା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।

ଶଲାବୁଢ଼ା ଫିଲ୍ମ ପାଇଁ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ବହୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଶଲାବୁଢ଼ା ଫିଲ୍ମଟି ଭାରତୀୟ ପାନୋରାମା ଓ କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶନ କରାଯାଇଥିଲା।

ନିର୍ଦ୍ଦେଶକ ସବ୍ୟସାଚ୍ଚୀ ମହାପାତ୍ର ପୂର୍ବରୁ ୧୫ଟି ଭାଷାରେ ‘ଶ୍ରୀ ଜଗନ୍ନାଥ’ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ଏହାସହ ତାଙ୍କ ନିର୍ଦ୍ଦେଶିତ କୋଶଳୀ ଭାଷା ଫିଲ୍ମ ‘ଆଦିମ୍ ବିଚରା’, ‘ପାହାଡ଼ର ଲୁହ’ କୁ ଲୋକେ ବହୁତ ପସନ୍ଦ କରିଥିଲେ।

Comment