ଓଡ଼ିଶାଲାଇଭ୍ ବ୍ୟୁରୋ

୬ ଦିନ ପରେ ମଠ ଉପରେ ଚାଲିଲା ପ୍ରଶାସନର ବୁଲ୍‌ଡୋଜର୍‌। ମାଟିରେ ମିଶିଲା ବଡ଼ ଆଖଡ଼ା ମଠ। ଠାକୁର ଘର ଏବଂ ମହନ୍ତଙ୍କ ଗାଦିକୁ ଛାଡ଼ି ମଠର ଆଉ ସବୁ କୋଠାକୁ ମାଟିରେ ମିଶାଇ ଦେଇଛି ବୁଲ୍‌ଡୋଜର।

ରବିବାର ଦିନ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ କରିଥିଲା ପ୍ରଶାସନ। ଏହି ମଠ ସଂଲଗ୍ନ ୧୮ଟି ଦୋକାନ ଘରକୁ ପ୍ରଥମେ ଉଚ୍ଛେଦ କରିଥିଲା ପ୍ରଶାସନ। ଆଜି ମଠର ଅନ୍ୟ କୋଠାରେ ଚାଲିଥିଲା ବୁଲ୍‌ଡୋଜର। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମଠର ଅନ୍ତେବାସୀଙ୍କୁ ଭକ୍ତନିବାସକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ।

ବଡ଼ ଆଖଡ଼ା ମଠ ଉଚ୍ଛେଦ କରିବାକୁ ଜିଲ୍ଲା ପ୍ରଶାସନ ଗତ ୩ ତାରିଖରେ ଆରମ୍ଭ କରିଥିଲା ଅଭିଯାନ। ହେଲେ ମଠ ମହନ୍ତ ଏବଂ ଅନ୍ୟ ସହଯୋଗୀମାନେ ଏହାକୁ ବିରୋଧ କରିଥିଲେ। ମଠର ସହଯୋଗୀ ଏବଂ ସେବକମାନେ ପାଚେରୀ ଓ ଛାତ ଉପରେ ବସିରହି ପ୍ରତିବାଦ କରିଥିଲେ। ଫଳରେ ପ୍ରଶାସନ ବଡ଼ ଆଖଡ଼ା ମଠକୁ ଛୁଇଁପାରି ନଥିଲା।

ବଡ଼ ଆଖଡ଼ା ମଠରୁ ହିଁ ଜୋରଦାର ବିରୋଧ ଆରମ୍ଭ ହୋଇଥିଲା। ମଠ ମହନ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ। ପୁରୀ ସୁରକ୍ଷା ମଞ୍ଚ ମଧ୍ୟ ମଠ ଉଚ୍ଛେଦକୁ ବିରୋଧ କରିଥିଲା। ଫଳରେ ଜିଲ୍ଲା ପ୍ରଶାସନ ପାଦେ ପଛକୁ ହଟିଥିଲା। ମଠ ଉଚ୍ଛେଦକୁ ସାମୟିକ ଭାବେ ବନ୍ଦ ରଖିଥିଲା ପ୍ରଶାସନ।

ଏହି ବିରୋଧ ଭିତରେ ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଥିଲେ। ୭୫ ମିଟର ଉଚ୍ଛେଦ ପରେ ପୁରୀ ସହରର ନବକଳେବର ହେବ ବୋଲି ସରକାର ନକ୍ସା ଦେଖାଇଥିଲେ। ଏହାସହ ମଠମାନଙ୍କ ପାଇଁ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ।

୬ ଦିନର ଛକାପଞ୍ଝା ପରେ ଶେଷରେ ବଡ଼ ଆଖଡ଼ା ମଠ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ।

Comment