ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜାକୁ ଆଉ ମାତ୍ର ରହିଲା ଅଳ୍ପ ଦିନ। ଚାରିଆଡ଼େ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚଳଚଞ୍ଚଳ ହୋଇପଡ଼ିଛି ରାଜଧାନୀ। ବ୍ୟାପକ ପ୍ରସ୍ତୁତିରେ ମାତିଛନ୍ତି ସବୁ ପୂଜା କମିଟି।

ଅନ୍ୟପକ୍ଷରେ ସୁରୁଖୁରୁରେ ପୂଜା ସାରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବି ପ୍ରସ୍ତୁତି ବୈଠକ ବସିସାରିଛି। ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଥର ପୂଜାରେ କଡ଼ାକଡ଼ି ଭାବେ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି। ନିୟମ ଉଲଂଘନ କରିବା ପୂଜା କମିଟି ଉପରେ ସକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ୍ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

ଚଳିତ ବର୍ଷ ରାବଣ ପୋଡ଼ି ଉତ୍ସବ, ଭସାଣି, ରାସ୍ତାଘାଟ ମରାମତି ଓ ସୁରକ୍ଷା, ଟ୍ରାଫିକ୍ ସମସ୍ୟା, ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ବିଶେଷ ଗୁରୁତ୍ଵାରୋପ କରାଯାଇ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।

୫ଟି ପୂଜା ମଣ୍ଡପରେ ହେବ ରାବଣ ପୋଡ଼ି

ଚଳିତବର୍ଷ ୫ଟି ପୂଜା ମଣ୍ଡପ ନିକଟରେ ରାବଣ ପୋଡ଼ି ଅନୁଷ୍ଠିତ ହେବ। ତେବେ ରାବଣ ପୋଡ଼ି ଉତ୍ସବକୁ ନିରାପଦ ଭାବେ ପାଳନ କରିବା ଦିଗରେ ଏଥର ବିଶେଷ ଗୁରୁତ୍ୱ ଦିଆଯିବ। ଗତବର୍ଷ ଅମୃତସର ରାବଣପୋଡ଼ି ଅଗ୍ନିକାଣ୍ଡକୁ ଆଖି ଆଗରେ ରଖି ଏଥର ଯେପରି ସେମିତି କିଛି ପରିସ୍ଥିତ ନ ଉପୁଜୁ ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପୂଜା କମିଟି ତଥା ଆୟୋଜକମାନଙ୍କୁ ସତର୍କ ସୂଚନା ଦିଆଯାଇଛି।

ଖୋଲା ଜାଗାରେ ଏବଂ କମ୍ ବାଣ ବ୍ୟବହାରରେ ଯେପରି ରାବଣପୋଡ଼ି ଶେଷ ହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ କମିଟିମାନଙ୍କୁ ନିର୍ଦ୍ଦେଶ ମିଳିଛି। ଆଗକୁ ହେବାକୁ ଥିବା ପ୍ରସ୍ତୁତି ବୈଠକରେ ଏନେଇ ବିସୃତ ଭାବେ ଆଲୋଚନା କରାଯିବ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ନିଷ୍ପତ୍ତିମାନ ନିଆଯିବ ବୋଲି କୁହାଯାଇଛି।

ରାତି ୧୨ଟା ପରେ ସବୁ କାର୍ଯ୍ୟକ୍ରମ ବନ୍ଦ

ବିଳମ୍ବିତ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଘରକୁ ଫେରୁଥିବା ଲୋକେ ଚୋରି, ଲୁଟ୍ ତଥା ବିଭିନ୍ନ ପ୍ରକାର ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ରାତି ୧୨ଟା ପରେ କୌଣସି ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସମସ୍ତ କାର୍ଯ୍ୟକ୍ରମ ରାତି ୧୨ଟା ପୂର୍ବରୁ ସାରିବା ପାଇଁ ବୈଠକ ତରଫରୁ ପୂଜା କମିଟିଗୁଡ଼ିକୁ କୁହାଯାଇଛି।

ପ୍ରସ୍ତୁତି ବୈଠକରେ ରାଜଧାନୀର ସମସ୍ତ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ବେଳେ ମରାମତି ହୋଇନି ଥିବା ରାସ୍ତା, ଖୋଲା ଡ୍ରେନ୍, ସ୍ୱରେଜ୍ ଆଦି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଜଧାନୀର ବହୁ ମୁଖ୍ୟ ରାସ୍ତାଗୁଡ଼ିକ ବିପର୍ଯ୍ୟୟ ଅବସ୍ଥାରେ ପଡ଼ିଛି। ଯାହା ଲୋକଙ୍କ ପାଇଁ ଅସୁରକ୍ଷିତ। ତେଣୁ ପୂଜା ପୂର୍ବରୁ ସେଗୁଡ଼ିକର ମରାମତି କାମ ଓ ଚାଲିଥିବା ବିଭିନ୍ନ ଭୂତଳ କାମ ଶେଷ କରିବାକୁ ଚେଷ୍ଟା କରାଯିବ।

ଏଥିପାଇଁ ବିଭିନ୍ନ ସରକାରୀ ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରାଯିବ ବୋଲି ପ୍ରଶାସନ ପକ୍ଷରୁ ପୂଜା କମିଟିଗୁଡ଼ିକୁ ଆସ୍ବାସନା ଦିଆଯାଇଛି। ତା’ଛଡ଼ା ଟ୍ରାଫିକ୍ ଜନିତ ସମସ୍ୟାକୁ କମ୍ କରିବା ପାଇଁ ଏସ୍ ପ୍ଲାନେଡ୍ ପଛପାଖ ରାସ୍ତାଟି ପୂଜା ପୂର୍ବରୁ ମରାମତି କରି ପ୍ରସ୍ତୁତ କରାଯିବ। ବିଭିନ୍ନ ଥାନାର ଆଇଆଇସି ପାଖାପାଖି ଅଞ୍ଚଳର ପୂଜା କମିଟି ସହ ଆଲୋଚନା କରି ଅନ୍ୟାନ୍ୟ ଛୋଟ  ଛୋଟ ସମସ୍ୟାର ସମାଧାନ କରିବାକୁ କମିସନରେଟ୍ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ପୂଜା ସମୟରେ ଜନଗହଳିକୁ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ସମସ୍ୟା। ସୀମିତ ସଂଖ୍ୟକ ଟ୍ରାଫି୍କ କମର୍ଚାରୀଙ୍କ ଦ୍ୱାରା ସଂପୂର୍ଣ୍ଣ ସହରକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ତେଣୁ ଟ୍ରାଫିକ୍ କର୍ମଚାରୀଙ୍କୁ ମଣ୍ଡପର ସ୍ୱେଚ୍ଛାସେବୀମାନେ ସାହାଯ୍ୟ କରିବେ। ପୂଜା କମିଟି ପକ୍ଷରୁ ସ୍ଵେଚ୍ଛାସେବୀମାନଙ୍କର ଏକ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରିଦିଆଯିବ। ସେହି ସ୍ଵେଚ୍ଛାସେବୀମାନଙ୍କୁ ସ୍ୱତନ୍ତ୍ର ଟ୍ରାଫିକ୍ ନିୟନ୍ତ୍ରଣ ତାଲିମ ମିଳିବ।

ପୂଜା ମଣ୍ଡପରେ ଲାଗିବ ସିସି କ୍ୟାମେରା

ସହରର ବଡ଼ ପୂଜା ମଣ୍ଡପରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି। ଫଳରେ କୌଣସି ପ୍ରକାର ଚୋରି, ଲୁଟ୍ କିମ୍ବା ଆପତ୍ତିଜନକ ପରିସ୍ଥିତ ସୃଷ୍ଟି ହେଲେ ସିସି କ୍ୟାମେରା ଜରିଆରେ ସହଜରେ ଠାବ କରାଯାଇପାରିବ।

Comment