ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

 କଂଗ୍ରେସରେ ଆରମ୍ଭ ହେଲା ନୂଆ ପାଲା। ଶୁଭିଲା ପିସିସି ସଭାପତି ହଟାଓ ନାରା।

ନିର୍ବାଚନ ସରିଲା। କଂଗ୍ରେସରେ ପାଲା ଚାଲିଲା। ଯେଉଁ ପାଲା ପ୍ରତି ନିର୍ବାଚନ ପରେ କଂଗ୍ରେସରେ ଆରମ୍ଭ ହୁଏ ଏବେ ପୁଣି ସେହି ପାଲା ଦେଖିବାକୁ ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବହିଷ୍କାର ଦାବିରେ ପାଲା ଜମିଛି। ଏହି ପାଲା ଜମେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ।

ଇତିଶ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ ଡାକି ବହେ ଝାଡ଼ିଛନ୍ତି। ନିରଞ୍ଜନଙ୍କୁ କଟୁ ସମାଲୋଚନା ମଧ୍ୟ କରିଛନ୍ତି।

‘‘ନିରଞ୍ଜନ ପଟ୍ଟନାୟକ ଜଣେ ବେପାରୀ। ସେ ବେପାର ଛଡ଼ା ଆଉ କିଛି ବୁଝନ୍ତି ନାହିଁ। ନିର୍ବାଚନ ବେଳେ ବି ସେ କଂଗ୍ରେସକୁ ନେଇ ବେପାର କରିଦେଲେ। ବିଜେଡି ପାଖରେ କଂଗ୍ରେସକୁ ବିକ୍ରି କରିଦେଲେ। ଫଳରେ କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇ ଚାଲିଛି। ନିରଞ୍ଜନ ସଭାପତି ରହିଲେ ତାଙ୍କ ହାତରେ ଦଳ ସୁଦୃଢ଼ ହୋଇପାରିବ ନାହିଁ। ଆମ ଦେହରେ ସଚ୍ଚା କଂଗ୍ରେସର ରକ୍ତ ବହୁଛି। ଏ ସମ୍ପର୍କରେ ଆମେ ହାଇକମାଣ୍ଡଙ୍କ ପାଖକୁ ଯିବୁ’’, କହିଛନ୍ତି ଇତିଶ ପ୍ରଧାନ।

ନିରଞ୍ଜନ ଏବେ ଦିଲ୍ଲୀ ଯାଇଛନ୍ତି। ସେ ଯେବେ ଓଡ଼ିଶା ଆସିବେ ତାଙ୍କୁ ଜୋରଦାର ବିରୋଧ କରାଯିବ। ନିରଞ୍ଜନଙ୍କ ନିଦ ହଜାଇଦେବୁ ବୋଲି ଇତିଶ କହିଛନ୍ତି।

ଇତିଶ ପ୍ରଧାନ ହେଉଛନ୍ତି ରାଜ୍ୟ ଛାତ୍ର କଂଗ୍ରେସର ସଭାପତି। ଗତ ନିର୍ବାଚନରେ ସେ ଭୁବନେଶ୍ୱର-ଉତ୍ତର ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ହେଲେ ସେ ପରାଜିତ ହୋଇଥିଲେ।

ନିର୍ବାଚନରେ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିବାରୁ ଏଥିପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ନିରଞ୍ଜନ। ହେଲେ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିନଥିଲେ ହାଇକମାଣ୍ଡ। ନିର୍ବାଚନ ପରେ ଗଢ଼ା ହୋଇଥିବା ପିସିସିର ସବୁ କମିଟି ଭଙ୍ଗା ହୋଇଥିଲା। ହେଲେ ନିରଞ୍ଜନଙ୍କୁ ସଭାପତି ରଖିଥିଲେ ହାଇକମାଣ୍ଡ।

ଆଗକୁ ଆସୁଛି ପୌର ଭୋଟ୍‌। ନିରଞ୍ଜନଙ୍କ ନେତୃତ୍ୱରେ ଦଳ ପୌର ନିର୍ବାଚନ ଲଢ଼ିବାକୁ ହାଇକମାଣ୍ଡ ଚାହୁଁଛନ୍ତି। କିନ୍ତୁ ପୌର ଭୋଟ୍‌ ପୂର୍ବରୁ ଦଳରେ କନ୍ଦଳ ଆରମ୍ଭ ହୋଇଛି। କୌଣସି ବରିଷ୍ଠ ନେତା ନୁହନ୍ତି, ଛାତ୍ର ସଭାପତି ଇତିଶ ପ୍ରଧାନ ନିରଞ୍ଜନଙ୍କ ବହିଷ୍କାର ଦାବି କରିଛନ୍ତି।

ବିଜେଡି ଏବଂ ବିଜେପି ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରି ସଙ୍ଗଠନ ସୁଦୃଢ଼ କାମରେ ଲାଗିଥିବା ବେଳେ କଂଗ୍ରେସରେ ପିସିସି ସଭାପତି ହଟାଓ ଅଭିଯାନ ଆରମ୍ଭ ହୋଇଛି। ଏଥିରେ କଂଗ୍ରେସ କେମିତି ଆଗକୁ ବଢ଼ିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଇତିଶଙ୍କୁ ପ୍ରଭାରୀଙ୍କ ଜବାବ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଇତିଶ ପ୍ରଧାନ ବର୍ଷିବା ପରେ ଏହାର ଜବାବ ଦେଇଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ ଏବଂ ଦଳର ମୁଖପାତ୍ର ପଦ୍ମାକର ଗୁରୁ।

‘‘ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଯଦି କେହି ଦଳରେ ବିଶୃଙ୍ଖଳା କରିଥିବେ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ବି ହୁଅନ୍ତୁ କାହାକୁ ଛଡ଼ାଯିବ ନାହିଁ’’, କହିଛନ୍ତି ଜିତେନ୍ଦ୍ର ସିଂହ।

‘‘ଯିଏ ଆଜି ସଭାପତିଙ୍କ ବିରୋଧରେ କହୁଛନ୍ତି ସେ କାଲି କ’ଣ ଥିଲେ ଆଗେ ଦେଖନ୍ତୁ। ଦଳ ତାଙ୍କୁ ଛାତ୍ର ସଭାପତି କରିଛି ଏବଂ ନିର୍ବାଚନରେ ଟିକେଟ ଦେଇଛି। ଏତେସବୁ ସୁବିଧା ଦଳରୁ ପାଇବା ପରେ ଦଳରେ ବିଶୃଙ୍ଖଳା କରିବା ଠିକ୍‌ ନୁହେଁ। ନିଜ ସ୍ୱାର୍ଥ ପାଇଁ ଯିଏ ଦଳରେ ବିଶୃଙ୍ଖଳା ସୃଷ୍ଟି କରେ ତାଙ୍କୁ କ’ଣ କୁହାଯିବ?’’, କହିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ।

Comment