ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଜଙ୍ଗଲ ଜମିରେ ବେଆଇନ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କଲା ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଜଙ୍ଗଲ କିସମ ଜମିରେ ବେଆଇନ ଭାବେ ନିର୍ମାଣ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ଲାଗିଛି ଏନ୍‌ଜିଟି ଝଟକା। ଫରେଷ୍ଟ କଞ୍ଜରଭେସନ ଆଇନ୍ ୧୯୮୦କୁ ଉଲଙ୍ଘନ କରି ବେସରକାରୀ ଠିକା ସଂସ୍ଥା ଏଲ୍ ଆଣ୍ଡ ଟି ବେଆଇନ ଭାବେ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଏନେଇ ପ୍ରକଳ୍ପ ନିର୍ମାଣକୁ ବନ୍ଦ କରିବା ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ତହସିଲ ଅନ୍ତର୍ଗତ ମଣିକୁଣ୍ଡା ଗ୍ରାମରେ ବେଆଇନ ଭାବେ ପାଣି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୨୪୧ କୋଟି ବ୍ୟୟରେ ହେବାକୁ ଥିବାଏହି ପ୍ରକଳ୍ପକୁ ଜଙ୍ଗଲ ବିଭାଗ ଅନୁମତି ନଥାଇ ଗତ ୨୦୧୮ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ତତ୍ୱାବଧାନରେ ଏହି ବେଆଇନ୍ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଏହାକୁ ଦେଖି ଆଖିବୁଜି ଦେଇଥିଲେ।

ପୂର୍ବରୁ ଉକ୍ତ ଗ୍ରାମରେ ଖତିଆନ ନଂ-୬୪, ପ୍ଲଟ ନଂ-୩୨୩ ଓ ୩୬୩ ଏକର-୧୫.୪୪ ଜଙ୍ଗଲ କିସମ ଜମି ଉପରେ ବେଆଇନ୍ ନିର୍ମାଣ ସଂପର୍କରେ ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ଦାୟର କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ କଟକ ଡିଏଫ୍ଓଙ୍କୁ ନେଇ ଗଠିତ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ ଏନ୍‌ଜିଟି। ତେବେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଉକ୍ତ କମିଟି ଏନ୍‌ଜିଟିକୁ ଭୁଲ ତଥ୍ୟ ପ୍ରଦାନ କରିଥିବା ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ଏହି ମାମଲାରେ ଦ୍ୱତୀୟ ଥର ଏନ୍‌ଜିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଓ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରକଳ୍ପ ୫.୨୦ ଏକର ଜଙ୍ଗଲ ଜମିରେ ନିର୍ମାଣ ହେଉଥିବା ଗ୍ରାମ୍ୟ ଜଳଯୋଗାଣ ବିଭାଗ ପୂର୍ବରୁ ଅନୁମତି ପାଇିଁ ଆବେଦନ କରାଯାଇଥିବା ଜଣାପଡ଼ିଛି।

କଟକ ଡିଏଫ୍ଓ ଫରେଷ୍ଟ ରାଇଟ୍ସ ଆକ୍ଟ୍‌ରେ ୧ ହେକ୍ଟରରୁ କମ ‏ଜଙ୍ଗଲ ଜମିରେ ନିର୍ମାଣ ହେଉଥିବା ଦର୍ଶାଇ ଠିକା ସଂସ୍ଥାକୁ କାର୍ଯ୍ୟ କରିବାକୁ ଅନୁମତି ପତ୍ର ପ୍ରଦାନ କରିଥିବା ଅଭିଯୋଗକାରୀଙ୍କ ପକ୍ଷରୁ ଏନ୍‌ଜିଟିରେ ଦର୍ଶାଯାଇଥିଲେ। ଏହି ମାମଲାର ଶୁଣାଣି କରି ଏନ୍‌ଜିଟି କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହିତ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଏନେଇ ୩ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସରେ ହେବ ବୋଲି ଜଣାପଡ଼ିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବି ଶଙ୍କର ପ୍ରସାଦ ପାଣି ଏହି ମାମଲାକୁ ପରିଚାଳନା କରୁଛନ୍ତି।

Comment