ଓଡ଼ିଶାଲାଇଭ୍ ବ୍ୟୁରୋ

ଆଚାର୍ଯ୍ୟ ବିହାର, ବାଣୀ ବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପରେ ଆଉ ବସ୍‌ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବାକୁ ଥିବା ଯାତ୍ରୀମାନେ ସତ୍‌ସଙ୍ଗ ବିହାରରୁ ବସ୍‌ ଧରିପାରିବେ।

ଯେକୌଣସି ସ୍ଥାନରେ ବସ୍‌ ରଖି ଯାତ୍ରୀଙ୍କୁ ବସ୍‌ରେ ଉଠାଇପାରବେନି ବସ୍‌ ଚାଳକ। ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବାର ଅନ୍ୟତମ ମୁଖ୍ୟ କାରଣ ହେଲା ଜନଗହଳି ପୂର୍ଣ୍ଣ ଛକମାନଙ୍କରେ ବସ୍‌ଗୁଡିକର ଯାତ୍ରୀ ଉଠେଇବା। ଏହି ସମସ୍ୟାର ସମାଧାନ ପାଇଁ ଟ୍ରାଫିକ୍ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଛି।

ସତ୍‌ସଙ୍ଗ ବିହାର ଛକକୁ ବିଧିବଦ୍ଧ ଭାବେ ବସ୍‌ ଓ୍ୱେ ଘୋଷଣା କରିଛି କମିଶନରେଟ୍‌ ପୋଲିସ। ସମସ୍ତ ବସ୍‌ ଫ୍ଲାଇ ଓଭର୍‌ରେ ଆସି ସତ୍‌ସଙ୍ଗ ବିହାର ଛକ ପାଖରେ ପହଞ୍ଚିବ। ସେଠାରୁ ବସ୍‌ ଚାଳକ ଯାତ୍ରୀ ଉଠାଇପାରିବେ। ଗୋଟିଏ ସମୟରେ ଗୋଟିଏ ବସ୍‌ ହିଁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯେଉଁ ଗାଡ଼ି ଗୁଡ଼ିକ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ରୁ ବାହାରି କଟକ ଅଭିମୁଖେ ଯାଉଛି ତାହା ଏବେ କ୍ରାଉନ୍‌ ହୋଟେଲ ବସ୍‌ ଷ୍ଟପ୍‌ରୁ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ ଦେଇ ସତ୍‌ସଙ୍ଗ ବିହାର ଯିବ। ଫଳରେ ବାଣୀବିହାର ଓ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଛକରେ ଟ୍ରାଫିକ ସମସ୍ୟା କମିବା ନେଇ ଟ୍ରାଫିକ୍ ପୋଲିସ ଆଶା ରଖିଛି।

ବିଶେଷକରି ଆଚାର୍ଯ୍ୟବିହାର ଓ ବାଣୀ ବିହାର ଛକରେ ସନ୍ଧ୍ୟା ସମୟରେ ଅଧିକ ଗହଳି ହୋଇ ଟ୍ରାଫିକ୍‌ ସମସ୍ୟା ଉପୁଜେ। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଜୟଦେବ ବିହାର ଛକରୁ ବସ୍‌ ଧରିବାକୁ ଚାହୁଥିବା ଯାତ୍ରୀ ଫ୍ଲାଏ ଓଭରରେ ଥିବା କଟ୍‌ରୁ ବସ ଧରିବେ।

Comment