ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସିଲାଣି ଧରାପୃଷ୍ଠରେ ମା’ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ କିଏ ମା’ଙ୍କ ଆକର୍ଷଣୀୟ ମୂର୍ତ୍ତି ଗଢ଼ିବାରେ। କହିବାକୁ ଗଲେ ଚାରିଆଡ଼େ ଏକପ୍ରକାର ପ୍ରତିଯୋଗିତା ଲାଗିଛି ଦୁର୍ଗାପୂଜାକୁ ନେଇ।

ଲକ୍ଷ୍ନୌ ରାଜପ୍ରାସାଦ ଭଳି ତୋରଣ

ରସୁଲଗଡ଼ ଭଳି ସହିଦନଗରରେ ବି ଦୁର୍ଗାପୂଜା ଭାରି ଧୁମ୍ ଧାମ୍‌ରେ ପାଳନ କରାଯାଏ। ଏଥର ସହିଦନଗର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଲା ଲକ୍ଷ୍ନୌ ରାଜପ୍ରାସାଦ ଭଳି ବିଶାଳକାୟ ତୋରଣ। ଇଣ୍ଡୋ ଇସ୍ ଲାମିକ୍ ଆର୍କିଟେକ୍ଚର୍ ଶୈଳୀରେ ତିଆରି ହେବ ସହିଦନଗର ଦୁର୍ଗାପୂଜା ତୋରଣ। କୁହାଯାଏ କି, ୧୮୩୭ ମସିହାରେ ଲ ଲକ୍ଷ୍ନୌ ନବାବ ମହମ୍ମଦ ଅଲିସାହାଙ୍କ ଏହିପରି ଏକ ରାଜପ୍ରାସାଦ ଥିଲା।

ଫାଇବର୍, ବତୀ, ପ୍ଲାଏ ଓ ବାଉଁଶରେ ତିଆରି ହେବ ଏହି ସୂକ୍ଷ୍ମ କାରୁକାର୍ଯ୍ୟବିଶିଷ୍ଟ ତୋରଣ। ତୋରଣର ଉଚ୍ଚତା ୭୦ ଫୁଟ୍ ଏବଂ ଚଉଡ଼ା ୧୨୦ ଫୁଟ ରହିବ।

ସ୍ୱର୍ଣ୍ଣମୁକୁଟ, ସ୍ଵର୍ଣ୍ଣଚିତାରେ ଝଲସିବେ ମା’

ସ୍ୱର୍ଣ୍ଣମୁକୁଟ, ସ୍ୱର୍ଣ୍ଣଚିତା ପରିଧାନ କରି ଚାନ୍ଦିମେଢ଼ରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ଦୁର୍ଗା। ପାର୍ଶ୍ୱ ଦେବଦେବୀମାନେ ବି ରୁପା ଅଳଙ୍କାର ପରିଧାନ କରିବେ। କଟକରୁ ମୂର୍ତ୍ତି କାରିଗର ଆସି ମା’ଙ୍କର ମୃଣ୍ମୟୀମୂର୍ତ୍ତି ଗଢ଼ୁଛନ୍ତି।

ପୂଜାବିଧି

୪ ତାରିଖ ଷଷ୍ଠୀ ତିଥିରେ କଳସ ଯାତ୍ରା କରାଯିବ। ସେହିପରି ୫ରେ ସପ୍ତମୀ ପୂଜା, ୬ରେ ଅଷ୍ଟମୀ, ୭ରେ ନବମୀ ଓ ୮ରେ ଦଶମୀ ପୂଜା ବା ବିଜୟାଦଶମୀ ପାଳନ କରାଯିବ। ୯ ତାରିଖରେ ଭସାଣି ଉତ୍ସବ ସମାପନ ହେବ।

ସନ୍ଧ୍ୟାରେ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ

ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସନ୍ଧ୍ୟାର ଆୟୋଜନ କରାଯିବ। ବିଶିଷ୍ଟ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ସୁଧାକର, ଇପ୍ସିତା ପଣ୍ଡା, ପ୍ରଶାନ୍ତ ପାଢ଼ୀ ଆଦି ବହୁ ଜଣାଶୁଣା କଣ୍ଠଶିଳ୍ପୀ ଆସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ପୂଜା କମିଟି ପକ୍ଷରୁ କୁହଯାଇଛି।

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଗହଳିରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ। ତେଣୁକରି ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ମହିଳାଙ୍କୁ ମିଳିବ ସ୍ୱତନ୍ତ୍ର ସୁରକ୍ଷା

ଚଳିତବର୍ଷ ମହିଳାଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବ। ମହିଳାମାନେ କିପରି ସୁରକ୍ଷିତ ଦର୍ଶନ କରିପାରିବେ ସ୍ୱତନ୍ତ୍ର ମହିଳା ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ। ସେମାନଙ୍କ ପ୍ରବେଶ ଓ ପ୍ରସ୍ତାନ ପାଇଁ ସ୍ୱତନ୍ତ୍ର ଗେଟ୍ ରହିବ।

ପୂଜାରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ପୂଜାମଣ୍ଡପରେ ୪୦ରୁ ଅଧିକ ପୁରୁଷ ଓ ମହିଳା ସୁରକ୍ଷାକର୍ମୀଙ୍କ ସହିତ ୧୦୦ ସ୍ୱେଚ୍ଛାସେବୀ ରହିବେ। ୧୬ଟି ସିସିଟିଭି ଖଞ୍ଜାଯିବ। କମିସନରେଟ୍ ପୋଲିସ୍ ତରଫରୁ ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ୍ ମୁତୟନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Comment