ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାତି ୧୨ରେ ସରିବ ମେଲୋଡି
  • ପୂଜା କମିଟି ଭଲ୍ୟୁଣ୍ଟର ନେବେ ତାଲିମ
  • ସାଉଣ୍ଡ ଉପରେ କଟକଣା
  • ସବୁ ପୂଜା ମଣ୍ଡପରେ ସିସିଟିଭି
  • ସୁନା, ଚାନ୍ଦି ମେଢ଼ ଜଗିବେ ବନ୍ଧୁକଧାରୀ ପୋଲିସ

କଟକ : ପୂଜା ସମୟରେ କାହାଠାରୁ ଜୋର ଜବରଦସ୍ତ ଚାନ୍ଦା ଆଦାୟ କରିବା ବେଆଇନ। ଏଣୁ ଚାନ୍ଦା ଆଦାୟଠାରୁ କମିଟି ଦୂରରେ ରହୁ। ଯଦି ଚାନ୍ଦା ଆଦାୟ ନେଇ କୌଣସି ଅଭିଯୋଗ ଆସେ ତାହାଲେ ସଂପୃକ୍ତ କମିଟି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ଦଶହରା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ କଟକରେ ବସିଥିଲା ପ୍ରସ୍ତୁତି ବୈଠକ। ସହିଦ ଭବନଠାରେ ଆୟୋଜିତ ଏହି ବୈଠକରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ। ପୂଜା ଓ ଭସାସି ସମୟରେ କମିଟି ଏବଂ ପୋଲିସ ମଧ୍ୟରେ କିଭଳି ସମନ୍ୱୟ ରହିବ ସେନେଇ ବୈଠକରେ ଆଲୋଚନା ହୋଇଛି।

ପୂଜା ଓ ଭସାଣିରେ ଶବ୍ଦ ପ୍ରଦୂଷଣ ରୋକିବା ଉପରେ କମିସନର ଗୁରୁତ୍ୱ ଦେଇଛନ୍ତି। ଭସାଣିରେ ସର୍ବାଧିକ ୪ଟି ସାଉଣ୍ଡ ବକ୍ସ ଓ ୪ଟି ମାଇକ୍ ଲଗାଇବା ପାଇଁ ସିପି ପୂଜା କମିଟିମାନଙ୍କୁ ଅନୁରୋଧ କରିଛନ୍ତି। ଏହାଛଡ଼ା ସବୁ ପୂଜା କମିଟିରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଖାସ୍‌କରି ଚାନ୍ଦି ଓ ସୁନା ମେଢ଼ ଥିବା କମିଟିରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି।

ଏହାଛଡ଼ା ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ସମସ୍ତଙ୍କୁ ଲାଇସେନ୍ସ ମିଳିବ। ତେବେ ନିଜର ବକ୍ତବ୍ୟ ରଖିବା ବେଳେ କମିସନର ଡକ୍ଟର ଷଡ଼ଙ୍ଗୀ  ପୂଜାର ପରମ୍ପରା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟପଟେ ସୁରକ୍ଷା ଓ ଶାନ୍ତିଶୃଙ୍ଖଳାରେ ପୂଜା ଶେଷ କରିବା ପାଇଁ ଡିସିପି ଅଖିଳେଶ୍ୱର ସିଂହ ମତ ଦେଇଥିଲେ।

କିଛି ପୂଜା କମିଟି ମଧ୍ୟରେ ସୀମା ବିବାଦ ରହିଛି। ଏହି ବିବାଦ ମଧ୍ୟରୁ କିଛି ତୁଟିଗଲାଣି। ଆଉ ରହିଥିବା କିଛି ବିବାଦ ତୁଟାଇବା ପାଇଁ ଥାନା ସ୍ତରରେ ମିଟିଂ କରାଯିବ। ଏଥିରେ ନତୁଟିଲେ ଡିସିପି ସ୍ତରରେ ବୈଠକ କରାଯିବ। ଏହା ଛଡ଼ା ସମନ୍ୱୟ ପାଇଁ ଜୋନ୍ ଓ ଥାନା ସ୍ତରରେ ମଧ୍ୟ ବୈଠକ ଡକାଯିବାକୁ ସ୍ଥିର ହୋଇଛି।

ପୂଜା ଓ ଭସାଣିରେ କିଛି ଭଲ୍ୟୁଣ୍ଟରଙ୍କୁ ସାମିଲ କରାଯିବ। ପ୍ରାୟ ୫ରୁ ୧୫ ଜଣ କରି ଭଲ୍ୟୁଣ୍ଟର ପ୍ରତି କମିଟିରୁ ନିଆଯାଇ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ। କିଭଳି ଭିଡ଼ ନିୟନ୍ତ୍ରଣ କରାଯିବ ଓ ସମନ୍ୱୟ ରଖି ହେବ ସେନେଇ ତାଲିମ ଦିଆଯିବ। ବିଭିନ୍ନ କମିଟି ପକ୍ଷରୁ ନିର୍ମାଣ ହେଉଥିବା ମଣ୍ଡପ ଓ ଗେଟର ଉଚ୍ଚତା ଏବଂ ଚଉଡ଼ା ଯେପରି ଟ୍ରାଫିକ୍ ପାଇଁ ଅସୁବିଧା ସୃଷ୍ଟି ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।

ପ୍ରତି ଚାନ୍ଦି ଓ ସୁନା ମେଢ଼କୁ ୨୪ ଘଣ୍ଟିଆ ବନ୍ଧୁକଧାରୀ ପୋଲିସ ଜଗିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପୂର୍ବାଞ୍ଚଳର କମିଟିଗୁଡ଼ିକ ପକ୍ଷରୁ ମେଢ ଚାଲିବାର ମାତ୍ରା ୨-୧ ପରିବର୍ତ୍ତେ ୩-୧ କରିବାକୁ ଅନୁରୋଧ କରାଯାଇଥିଲା। ଅର୍ଥାତ୍ ମୁଖ୍ୟ ରାସ୍ତାରୁ ଦୁଇଟି ମେଢ଼ ବଦଳରେ ତିନିଟି ଓ ଗଳି ରାସ୍ତାରୁ ଗୋଟିଏ ମେଢ଼ ଛାଡ଼ିବାକୁ ଅନୁରୋଧ କରାଯାଇଛି। ଏହି ପ୍ରସ୍ତାବକୁ ପୋଲିସ ଗ୍ରହଣ କରିଛି। ପରେ ବୈଠକ ଡାକି ଆଲୋଚନା ହେବ ବୋଲି ଡିସିପି କହିଛନ୍ତି।

ପୂଜା ମଣ୍ଡପ ନିକଟରେ ମଲୋଡି ରାତି ୧୨ଟା ଯାଏଁ ଚାଲିବ। ଭସାଣିକୁ ନିଶାମୁକ୍ତ କରିବା ପାଇଁ ଡିସିପି ଅନୁରୋଧ କରିଥିଲେ।

ବୈଠକରେ କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଚନ୍ଦ୍ରସାରଥୀ ବେହେରା, ବିଧାୟକ ସୌଭିକ ବିଶ୍ୱାଳ, ସିଏମ୍‌ସି କମିସନର ଅନନ୍ୟା ଦାସ, ବିଜେପି ନେତା ସମୀର ଦେ ଓ ନୟନ କିଶୋର ମହାନ୍ତି, କଂଗ୍ରେସ ନେତା ସୁରେଶ ମହାପାତ୍ର, ବିଜେଡି ନେତା ମଧୁ ସାହୁ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ ଓ ସଂପାଦକ ପ୍ରଫୁଲ୍ଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment