ଓଡ଼ିଶାଲାଇଭ ବ୍ୟୁରୋ

ଦଶହରା ପାଇଁ ଏଥର କଟକ ଖାନନଗର ପୂଜା ମଣ୍ଡପରେ ଶୋଭା ପାଇବ ‘ରଙ୍ଗନାଥ ମନ୍ଦିର’ ଆକୃତିର ତୋରଣ।  

ପାଖେଇ ଆସୁଛି କଟକ ଦଶହରା। ଏନେଇ ସଜବାଜ ହେଉଛି କଟକ। ଦଶହରାରେ ସୁଉଚ୍ଚ ଓ ସୁନ୍ଦର ତୋରଣ କରିବାରେ କଟକରେ ଖ୍ୟାତି ଅର୍ଜନ କରିଛି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି। ତେବେ ଏହି ବର୍ଷ ଦଶହରାରେ ରଙ୍ଗନାଥ ମନ୍ଦିର ଡିଜାଇନର ତୋରଣ କରି ଲୋକଙ୍କୁ ଆକୃଷ୍ଟ କରିବ ପୂଜା କମିଟି।

ପ୍ରତିବର୍ଷ ପୂଜା ମଣ୍ଡପରେ ସୁନ୍ଦର ତୋରଣ ତିଆରି କରି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ଖାନନଗର ପୂଜା ମଣ୍ଡପ। ଗତବର୍ଷ ଚୀନ ସୀମାକୁ ଲାଗି କରି ଥିବା ନଥିଲା ଗେଟ୍‌କୁ ନେଇ ଅଭିନବ ଢଙ୍ଗରେ ଏକ ତୋରଣ ନିର୍ମାଣ କରାଯାଇଥିଲା। ତେବେ ତାହାକୁ ବଜାୟ ରଖିବାକୁ ଏଥର ମଧ୍ୟ ନୂଆ ଢଙ୍ଗରେ ତୋରଣ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ତାମିଲନାଡୁର ତିରୁଚିରାପଲ୍ଲୀ ଜିଲ୍ଲାରେ ପ୍ରଭୁ ବିଷ୍ଣୁଙ୍କର ରଙ୍ଗନାଥସ୍ଵାମୀ ମନ୍ଦିରର ଅବିକଳ ତୋରଣ ଏଥର ନିର୍ମାଣ କରାଯିବ। ଏହି ମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା। ଏଥର ଖାନନଗର ଗେଟରେ ଦକ୍ଷିଣ ଭାରତର ଝଲକ ଦେଖିବାକୁ ମିଳିବ।

ଏହି ତୋରଣର ଚଉଡ଼ା ୬୦ ଫୁଟ ଓ ଉଚ୍ଚତା ୬୦ ଫୁଟ ହେବ। ଗେଟଟିକୁ ସଂପୂର୍ଣ୍ଣ ପ୍ଲାଏ ଉଡ୍‌ ଓ ଥର୍ମକୁଲରେ ନିର୍ମାଣ କରାଯିବ। କିଛି ସ୍ଥାନରେ କପଡାର ମଧ୍ୟ ବ୍ୟବହାର କରାଯିବ। ମନ୍ଦିରରେ ବହୁ କାରୁ କାର୍ଯ୍ୟ ଥିବାରୁ ଏହାକୁ ବହୁ ନିକ୍ଷୁଣତା ଭାବେ ତିଆରି କରିବାକୁ ପଡ଼ିବ।

ଏହି ତୋରଣ ତିଆରି କରିବାକୁ ଭୁବନେଶ୍ଵରର ମା ଦୁର୍ଗା ଟେଣ୍ଟ ହାଉସକୁ ଅର୍ଡର ଦିଆଯାଇଛି। ଏଥିପାଇଁ ସାଢ଼େ ୭ ଲକ୍ଷ ଟଙ୍କା ବଜେଟ ରଖାଯାଇଛି। ଏଥିପାଇଁ କୋଲକତାରୁ ପ୍ରାୟ ୫୦ଜଣ କାରିଗର ଆସିବେ। ମାଙ୍କ ଷଷ୍ଠି ପୂଜା ପୂର୍ବରୁ ଏହି ତୋରଣ କାର୍ଯ୍ୟ ଶେଷ ହେବ ବୋଲି ଜଣାପଡ଼ିଛି।

Comment