ଓଡ଼ିଶାଲାଇଭ୍ ବ୍ୟୁରୋ

  • ଖାନନଗରରେ ରଙ୍ଗନାଥ ଟେମ୍ପୁଲ୍ ତୋରଣ
  • ବାଦାମବାଡିରେ ରାଜସ୍ଥାନ ରାଣୀମହଲ
  • ମାଲଗୋଦାମରେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି

କଟକ: ସୁନା, ଚାନ୍ଦିର ଚମକ ସାଙ୍ଗକୁ କଟକ ଦୁର୍ଗାପୂଜାରେ ଆକର୍ଷଣ ସାଜିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ ତୋରଣରେ କଟକର ବିଭିନ୍ନ ପୂଜା କମିଟି ନିଜସ୍ୱ ସ୍ୱତନ୍ତ୍ରତା ଦେଖାଇଥାନ୍ତି। ଚଳିତବର୍ଷ ମଧ୍ୟ ଏଭଳି କିଛି ଆଖି ଝଲସାଇଲା ଭଳି ତୋରଣ କଟକ ଦଶହରାରେ ଦେଖିବାକୁ ମିଳିବ।

ଖାନ୍‌ନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ତରଫରୁ ଶ୍ରୀ ରଙ୍ଗନାଥ ସ୍ୱାମୀ ଟେମ୍ପୁଲ୍ ଆକୃତିର ତୋରଣ ଗଢାଯାଉଛି। ସେହିପରି ଶଙ୍କରପୁର-ବାଦାମବାଡି ପୂଜା କମିଟି ତରଫରୁ ରାଣୀମହଲ ଏବଂ ମାଲଗୋଦାମ ପୂଜା କମିଟି ତରଫରୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଆକୃତିର ତୋରଣ ଶୋଭାପାଇବ।

ଖାନନଗରରେ ହେବାକୁ ଥିବା ଶ୍ରୀ ରଙ୍ଗନାଥ ସ୍ୱାମୀ ଟେମ୍ପୁଲ୍ ତୋରଣର ଉଚ୍ଚତା ୭୦ଫୁଟ୍ ରହିବ। କାଠଯୋଡି ରିଙ୍ଗରୋଡର ଦୁଇ ପାର୍ଶ୍ୱକୁ ଏହା ସ୍ପର୍ଶ କରିବ। ପ୍ରାୟ ୭୦ଜଣ କାରିଗର ତୋରଣ କାମରେ ଲାଗିଛନ୍ତି। ଏଥିଌାଇଁ ୭ଲକ୍ଷ ଟଙ୍କା ବଜେଟ୍ ରହିଥିବା ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ ସୂଚନା ଦେଇଛନ୍ତି।

ସେହିପରି ଶଙ୍କରପୁର-ବାଦାମବାଡି ପୂଜା କମିଟି ଏଥର ରାଜସ୍ଥାନ ଜୟପୁର ରାଜବାଟୀର ରାଣୀମଲ ତୋରଣ ନିର୍ମାଣ କରୁଛି। ବଲାଙ୍ଗୀରର ଚକାଡୋଳା ଟେଣ୍ଟ୍ ହାଉସ୍ ଏହାର ନିର୍ମାଣ ଦାୟିତ୍ୱରେ ରହିଛି। ଏହି ତୋରଣର ଉଚ୍ଚତା ପ୍ରାୟ ୮୫ଫୁଟ୍ ରହିବ। ଜୟପୁରର ପିଙ୍କ୍ ସିଟି ପରି ଏହାର ରଙ୍ଗ ମଧ୍ୟ ପିଙ୍କ୍ ରହିବ। ଏହାକୁ ନିର୍ମାଣ କରିବାକୁ ପ୍ରାୟ ୪୦ରୁ ଅଧିକ ଲୋକ ଲାଗିଛନ୍ତି। ତୋରଣ ପାଇଁ ୧୦ଲକ୍ଷ ଟଙ୍କା ବଜେଟ୍ ରହିଥିବା ପୂଜା କମିଟି ତରଫରୁ ସୂଚନା ମିଳିଛି।

ସେହିପରି ସବୁବେଳେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ତୋରଣ ନିର୍ମାଣ କରୁଥିବା ମାଲଗୋଦାମ ପୂଜା କମିଟି ଚଳିତବର୍ଷ ଆମେରିକାର ଷ୍ଟାଚ୍ୟୁ ଅଫ୍ ଲିବର୍ଟି ତୋରଣ କରିବ। ଏହାର ଉଚ୍ଚତା ରହିବ ପ୍ରାୟ ୬୦ଫୁଟ୍। ଏଥିରେ ବାଉଁଶ ସହିତ ସୂକ୍ଷ୍ମ ଫାଇବର ବ୍ୟବହାର କରାଯିବ ବୋଲି କମିଟି କୋଷାଧ୍ୟକ୍ଷ କିଶୋର ସାହୁ କହିଛନ୍ତି।

Comment