ଓଡ଼ିଶାଲାଇଭ୍ ବ୍ୟୁରୋ

ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା ଭାବେ ସୋମବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ଆମର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଅନୁଭବ।

ଅଗଷ୍ଟ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ରୁ ଅଧିକ ବିଜେଡି ନେତାମାନଙ୍କୁ ବିଭିନ୍ନ ନିଗମ ଏବଂ ପରିଷଦରେ ନିଯୁକ୍ତି ଦେଇଥିଲେ। ସେମାନଙ୍କ ମଧ୍ୟରେ ଅନୁଭବଙ୍କୁ ଇଟି ଓ ଆଇଟି ସେକ୍ଟରର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା। ଉପଦେଷ୍ଟାମାନଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଅନୁଭବଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି।

‘‘ଆଇଟି, ଆଇଟିଇଏସ୍‌, ଇଏସ୍‌ଡିଏମ୍‌ ଶିଳ୍ପକୁ ଓଡ଼ିଶାରେ ସମୃଦ୍ଧ କରିବାର ଲକ୍ଷ୍ୟ ରହିଛି। ଏହି ସେକ୍ଟରରେ କିପରି ଅଧିକ ନିଯୁକ୍ତି ସୁଷ୍ଟି ହୋଇପାରିବ ସେଥିପାଇଁ ଉଦ୍ୟମ କରାଯିବ। ଆଇଟି ସେକ୍ଟରରେ ଓଡ଼ିଶା କିପରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ସେନେଇ ମଧ୍ୟ ଉଦ୍ୟମ ହେବ’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ଅନୁଭବ ପଟ୍ଟନାୟକ।

ଅନୁଭବ ଆହୁରି କହିଛନ୍ତି ଯେ ସାଧାରଣ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଆଇଟି, ଆଇଟି କ୍ଷେତ୍ରରେ ଆଧାରିତ ସେବା ଗୁଡ଼ିକୁ ଲାଗୁ କରିବା କ୍ଷେତ୍ରରେ ଓଡ଼ିଶା ଆଗରେ ରହିବ। ଏହାକୁ ଆମେ ଅଗ୍ରାଧିକାର ଦେବୁ।

ଓଡ଼ିଶା ଜନସେବା ଅଧିକାର ଆଇନ ଅଧିନରେ ଜନସାଧାରଣଙ୍କୁ ବିଭିନ୍ନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ସେବା ଯୋଗାଇ ଦେବା ପାଇଁ ଆମର ପ୍ରୟାସ ଜାରି ରହିବ। ମୋଟ ବଜେଟର ୧ ପ୍ରତିଶତ ଅର୍ଥ ପ୍ରତି ବିଭାଗ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ମଧ୍ୟ ଲାଗୁ କରିବୁ ବୋଲି କହିଛନ୍ତି ଅନୁଭବ।

ଅନୁଭବ ପଟ୍ଟନାୟକ ନୂତନ ଦାୟିତ୍ୱ ଗ୍ରହଣ କରିବା ବେଳେ ଇଟି ଏବଂ ଆଇଟି ବିଭାଗ ସଚିବ ମନୋଜ ମହାପାତ୍ର ଉପସ୍ଥିତ ଥିଲେ। ଅନୁଭବଙ୍କୁ ଶ୍ରୀ ମହାପାତ୍ର ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ଅନୁଭବ।

ଅନୁଭବ ୨୦୧୪ ନିର୍ବାଚନରେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରାମର୍ଶକ୍ରମେ ସେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ଆସନ ଛାଡ଼ିଥିଲେ।

Comment