ଓଡ଼ିଶାଲାଇଭ୍ ବ୍ୟୁରୋ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ସମ୍ବାଦିକ ସମ୍ମିଳନୀ ଡାକି ଦେଇଥିବା ମନ୍ତବ୍ୟ ଏବେ ଇତିଶଙ୍କ ପାଇଁ ଭାରି ପଡ଼ିଲା। ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସୁପାରିସ ପରେ ଅଖିଳ ଭାରତୀୟ ଛାତ୍ର କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରିଛନ୍ତି।

ନିକଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବହିଷ୍କାର ଦାବି କରିଥିଲେ ଇତିଶ୍‌। ଇତିଶ୍ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ‘‘ନିରଞ୍ଜନ ପଟ୍ଟନାୟକ ଜଣେ ବେପାରୀ। ସେ ବେପାର ଛଡ଼ା ଆଉ କିଛି ବୁଝନ୍ତି ନାହିଁ। ନିର୍ବାଚନ ବେଳେ ବି ସେ କଂଗ୍ରେସକୁ ନେଇ ବେପାର କରିଦେଲେ। ବିଜେଡି ପାଖରେ କଂଗ୍ରେସକୁ ବିକ୍ରି କରିଦେଲେ। ଫଳରେ କଂଗ୍ରେସ ସଙ୍ଗଠନ ଦୁର୍ବଳ ହୋଇ ଚାଲିଛି। ନିରଞ୍ଜନ ସଭାପତି ରହିଲେ ତାଙ୍କ ହାତରେ ଦଳ ସୁଦୃଢ଼ ହୋଇପାରିବ ନାହିଁ। ଆମ ଦେହରେ ସଚ୍ଚା କଂଗ୍ରେସର ରକ୍ତ ବହୁଛି। ଏ ସମ୍ପର୍କରେ ଆମେ ହାଇକମାଣ୍ଡଙ୍କ ପାଖକୁ ଯିବୁ।’’

ଏହି ବୟାନ ପରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଜବାବ ଦେଇ କହିଥିଲେ, ‘‘ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଯଦି କେହି ଦଳରେ ବିଶୃଙ୍ଖଳା କରିଥିବେ ତାହାଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯିଏ ବି ହୁଅନ୍ତୁ କାହାକୁ ଛଡ଼ାଯିବ ନାହିଁ।’’

ଅନ୍ୟପଟେ ଇତିଶ୍‌ଙ୍କ କଥାକୁ ପିଲାଳିଆମି କହି ଉଡ଼ାଇ ଦେଇଥିଲେ ନିରଞ୍ଜନ।

Comment