ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘଦିନ ପରେ ବାଣୀବିହାର କ୍ୟାମ୍ପସରେ ଦେଖିବାକୁ ମିଳିଛି ଛାତ୍ର ଉତ୍ତେଜନା। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାକୁ ନେଇ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ରାୟ ୪ଘଣ୍ଟାର ଧାରଣା ପରେ ନିଜେ କୁଳପତି ସମସ୍ୟାର ସମଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କୁଳିପତିଙ୍କ ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଉଠିଛନ୍ତି ଛାତ୍ରଛାତ୍ରୀ।

ସୋମବାର ସକାଳେ ୧୦ଟି ମୁଖ୍ୟ ଦାବି ନେଇ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ମୁଖ୍ୟତଃ ହଷ୍ଟେଲର ପାନୀୟ ଜଳ ସମସ୍ୟା, ଖରାପ ଖାଦ୍ୟ, ଗୁରୁତର ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ।

ଏହାସହ ବିଭିନ୍ନ ପରୀକ୍ଷା ସମସ୍ୟା, ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା ଚିନ୍ତା, ସିସିଟିଭି ଆଦି ସମସ୍ୟାକୁ କୁଳପତିଙ୍କ ଆଗରେ ଦାବି ରଖିଥିଲେ ଛାତ୍ରଛାତ୍ରୀ।

ଦୀର୍ଘ ସମୟର ଧାରଣା ଦେବାପରେ କୁଳପତିଙ୍କ ସହ ଛାତ୍ର ପ୍ରତିନିଧିମାନଙ୍କର ଏକ ଦଳ ଯାଇ କୁଳପତିଙ୍କ ସହ ଆଲୋଚନା କରିଥିଲା। ଏହାପରେ ନିଜେ କୁଳପତି ଆସି ଧାରଣାରେ ବସିଥିବା ଛାତ୍ରଛାତ୍ରୀଙ୍କୁ ବୁଝାଇବା ସହ ସମସ୍ତ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

“ଆସନ୍ତା ଅକ୍ଟୋବର ୨ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ। ହଷ୍ଟେଲରେ ଛାତ୍ରଛାତ୍ରୀମାନେ କିଭଳି ଠିକ୍‌ ଭାବରେ ରହିପାରିବେ ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହ ଛାତ୍ରଛାତ୍ରୀମାନଙ୍କର ୧୦ଟି ଦାବିକୁ ବିଚାରକୁ ନେଇ ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରାଯିବ”, କହିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ।

କୁଳପତି ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଯଦି ଆଗାମୀ ଦିନରେ କୌଣସି ସଠିକ୍ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗକୁ ପୁଣି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସଂଗଠନ।

Comment