ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠକୁ ଆସିବେ ଜଗତଜନନୀ ମା’ ଦୁର୍ଗା। ମା’ ଙ୍କୁ ଧରାପୃଷ୍ଠରେ ସ୍ୱାଗତ କରିବା ପାଇଁ ଚଳଚଞ୍ଚଳ ହେଲେଣି ରାଜଧାନୀର ଅନେକ ପୂଜା ମଣ୍ଡପ।

ପ୍ରତିବର୍ଷ ପରି ଏଥର ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନେକ ଆଖିଝଲସା ତୋରଣରେ ବିରାଜିବେ ମା’। ରାଜଧାନୀର ସମସ୍ତ ପୂଜା ମଣ୍ଡପମାନଙ୍କ ମଧ୍ୟରେ ନୟାପଲ୍ଲୀ ଦୁର୍ଗାପୂଜା ସମିତି ସବୁବେଳେ ଟିକେ ଅଲଗା। ସବୁବର୍ଷ ଏହି ପୂଜା ମଣ୍ଡପ କିଛି ନୂଆ ଉପାୟରେ ତଥା ନୂଆ ଅନ୍ଦାଜରେ ପାଳନ କରିଥାଏ ଶାରଦୀୟ ଦୁର୍ଗାପୂଜା। ଏଥର ପୂଜାରେ କ’ଣ ରହିଛି ଯୋଜନା ସେ ବିଷୟରେ ଜାଣିବା ପାଇଁ ନୂଆପଲ୍ଲୀ ପୂଜା କମିଟିର ସଭାପତି ପବିତ୍ର ମୋହନ ବେହେରାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍‌।

“ରାଜଧାନୀବାସୀଙ୍କୁ ଚଳିତ ବର୍ଷ କିଛି ନୂଆ ଦେଖେଇବାର ଯୋଜନା କରିଛୁ। ସମସ୍ତ ପୂଜା ମଣ୍ଡପଠାରୁ ଆମେ ସବୁବେଳେ କିଛି ନୂଆ କରିବାର ଯୋଜନା କରିଥାଉ। ସେଥିପାଇଁ ସବୁବର୍ଷ ଲକ୍ଷାଧିକ ଲୋକ ଏହି ପୂଜା ମଣ୍ଡପରେ ଦେବୀଙ୍କ ଦର୍ଶନ ପାଇଁ ଭିଡ଼ ଜମେଇଥାନ୍ତି ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ନୂଆପଲ୍ଲୀ ପୂଜା କମିଟିର ସଭାପତି ପବିତ୍ର ମୋହନ ବେହେରା।

ଚଳିତ ବର୍ଷ ମଧ୍ୟ ରାଜଧାନୀବାସୀଙ୍କ ଆଖିକୁ ଝଲସାଇଦେବା ଭଳି ତୋରଣ ନିର୍ମାଣ କରୁଛି ନୂଆପଲ୍ଲୀ ଦୁର୍ଗାପୂଜା କମିଟି। ଏଥର ଏଠାରେ ପଦ୍ମାବତୀ ପ୍ୟାଲେସ୍ ଆକାରରେ ତୋରଣ ନିର୍ମାଣ କୁରଛନ୍ତି କୋଲକାତାର ୩୦ରୁ ଅଧିକ କାରିଗର। ୧୨୦ ଫୁଟ୍ ଲମ୍ବ ଓ ୮୦ ଫୁଟ୍ ଉଚ୍ଚତାର ତୋରଣ ନିର୍ମାଣ କରୁଛି ଏହି ପୂଜା ମଣ୍ଡପ।

ବିଭିନ୍ନ ପ୍ରକାରର ଫଳର ମଞ୍ଜି ତଥା ବିଭିନ୍ନ ଜିନିଷକୁ ନେଇ ଏହି ତୋରଣ ପ୍ରସ୍ତୁତ ହେଉଛି। ସେହିଭଳି ଗତ ମାସ ୨୩ ତାରିଖରେ କୁଆଖାଇ ନଦୀ ପଠାରୁ ମାଟି ଅନୁକୂଳ କରି ମା’ଙ୍କ ପ୍ରତିମୂର୍ତ୍ତି କାମ ମଧ୍ୟ ଆରମ୍ଭ କରାଯାଇଛି। ଚଳିତ ବର୍ଷ ୨୨ଫୁଟ୍ ଉଚ୍ଚତାର ମୂର୍ତ୍ତି ନିର୍ମାଣର ଲକ୍ଷ୍ୟ ରଖାଯାଇଛି। ସେହିଭଳି ମାଙ୍କ ପ୍ରତିମୂର୍ତ୍ତି ପଛରେ  ୨୮ ଫୁଟର ମେଢ଼ ଶୋଭା ପାଇବ।

ଏହି ବର୍ଷ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଶ୍ରଦ୍ଧାଳୁମାନେ ରାବଣପୋଡ଼ି ଦେଖିବାକୁ ପାଇବେ। ଆତସବାଜୀ ଆଦିକୁ ମନା କରିବା ପରେ ଏଥର କେବଳ ରାବଣପୋଡ଼ି କରାଯିବ। ସେହିପରି ପ୍ରତିଦିନ ଶ୍ରଦ୍ଧାଳୁମାନେ ଏଠାରେ ରାମଲୀଳା ନାଟକ ଦେଖିବାକୁ ପାଇବେ। ଅନ୍ୟପଟେ ଲୋକମାନଙ୍କ ମନୋରଞ୍ଜନ ପାଇଁ କମିଟି ପକ୍ଷରୁ ୩ ଦିନ ଭଜନ ସଧ୍ୟ୍ୟା ଓ ୨ ଦିନ ପାଇ ମେଲୋଡୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। କମିଟି ପକ୍ଷରୁ କିନ୍ନର ମାନଙ୍କୁ ଟ୍ରେନିଂ ଦେଇ ସେମାନଙ୍କୁ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ କରାଯିବ ବୋଲି କୁହାଯାଇଛି। ସେହିପରି ପୂଜା ମଣ୍ଡପର ବିଭିନ୍ନ ସ୍ଥାନରେ ପ୍ରାୟ ୨୫ରୁ ଅଧିକ ସିସିଟିଭି କ୍ୟାମେରା ସମସ୍ତଙ୍କ ଉପରେ ନଜର ରଖିବ ବୋଲି କହିଛି କମିଟି। ଅନ୍ୟପଟେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଠାରେ ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ରାଜଧାନୀ ପ୍ରାୟ ୨୦ରୁ ୨୨ଟି ମେଢ଼କୁ ନେଇ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ଚଳିତବର୍ଷ ଏଠାରେ ସ୍ୱତନ୍ତ୍ର ଭାବରେ ମା’ଙ୍କ ପ୍ରତିମୂର୍ତ୍ତିରେ ସୁନା ଆଖି ଶୋଭା ପାଇବ।

Comment