ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଏଥର ଜୋନ୍ କମିଟି ରହିବନି
  • ତୃଣମୂଳରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ହେବ ପୁନର୍ଗଠନ
  • ଦଳକୁ କ୍ୟାଡର ବେସ୍‌ କରିବାକୁ ଲକ୍ଷ୍ୟ
  • ନେତାଙ୍କ ମତାମତ ଆଧାରରେ ହେବ କମିଟି ଗଠନ

ରାଜ୍ୟରେ କଂଗ୍ରେସ ସଜାଡ଼ିବ ସଙ୍ଗଠନ। ତଳ ସ୍ତରରରୁ ଉପର ସ୍ତର ପର୍ଯ୍ୟନ୍ତ ନୂଆ କମିଟି ଗଠନ ହେବ। ଏଆଇସିସିର ନିର୍ଦ୍ଦେଶକ୍ରମେ ଏଥିପାଇଁ ଆଜି କଂଗ୍ରେସ ଭବନରେ ଦିନସାରା ଚାଲିଥିଲା ମାନସମନ୍ଥନ। ନିର୍ବାଚନ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ତୁଙ୍ଗ ନେତାମାନେ ଏକାଠି ହୋଇଥିଲେ।

ସଙ୍ଗଠନ କେମିତି ସୁଦୃଢ଼ ହେବ ତା’ ଉପରେ ଚାଲିଥିଲା ଆଲୋଚନା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଉଛି।

ଏଥର ଜୋନ୍‌ କମିଟି ରହିବ ନାହିଁ। ବ୍ଳକ ଏବଂ ଜିଲ୍ଲାସ୍ତରରେ କେବଳ କମିଟି ରହିବ। ଯେଉଁମାନେ ନିର୍ବାଚନ ବେଳେ ଦଳରେ ଆତ୍ମଘାତୀ କାମ କରିଥିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ଲକ ଏବଂ ଜିଲ୍ଲାରେ କେଉଁଭଳି କମିଟି ହେବ ସେନେଇ ପରାମର୍ଶ ଲେଡ଼ାଯିବ। ଯେଉଁମାନେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ମତାମତ ଲୋଡ଼ାଯିବ। ଦଳ ତାଙ୍କ ଅଞ୍ଚଳରେ କାହିଁକି ହାରିଲା ତାର ତର୍ଜମା କରାଯିବ।

ରାଜ୍ୟ ସ୍ତରରେ ମଧ୍ୟ ସେହିଭଳି କମିଟି ଗଠନ କରାଯିବ। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଯେଉଁ ନେତାଙ୍କର ଯାହା ଅଭିଯୋଗ ଅଛି ସେମାନେ ପିସିସି କିମ୍ବା ଏଆଇସିସିକୁ ଜଣାଇବେ। ମିଡିଆରେ ମୁହଁ ନଖୋଲିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।

ନିକଟରେ ଏଆଇସିସି ପିସିସିର ସବୁ କମିଟି ଭାଙ୍ଗି ଦେଇଥିଲେ। କେବଳ ପିସିସି ସଭାପତି ଏବଂ ଦୁଇ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ କମିଟିକୁ ଉଚ୍ଛେଦ କରିଥିଲେ। ଏବେ ପୁଣି କଂଗ୍ରେସ କମିଟି ପୁନର୍ଗଠନ କରିବାକୁ ଅଣ୍ଟା ଭିଡ଼ିଛି। ତୃଣମୂଳ ସ୍ତରରେ କ୍ୟାଡର ସୃଷ୍ଟି କରିବାକୁ ଦଳ ଲକ୍ଷ୍ୟ ରଖିଛି।

Comment