ଓଡ଼ିଶାଲାଇଭ ବ୍ୟୁରୋ

ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଅର୍ଥର ଅଭାବ ନାହିଁ। ହେଲେ ହେମଗିରି ବ୍ଲକର ବାଙ୍କିବାହାଲରୁ ଟପରିଆ ଦେଇ ଯାଇଥିବା ୨୮ କିଲୋମିଟରର ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇ ପଡ଼ିଛି। ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ କୋଇଲା ବୋଝେଇ ଟ୍ରକ ଯାଉଥିବା ବେଳେ ରାସ୍ତାର ମରାମତି ହୋଇ ନଥିବାରୁ ରାସ୍ତାଟି ଖାଲଢ଼ିପରେ ଭରି ଯାଇଛି।

ଅନେକ ସ୍ଥାନରୁ ପିଚୁ ଉଠି ଯାଇ ପଥର ଗୋଡି ଦିଶୁଥିବା ବେଳେ ବର୍ତ୍ତମାନ ବର୍ଷା ଯୋଗୁଁ କାଦୁଅ ସରସର ହୋଇ ଯିବା ଆସିବା ଅସୁବିଧା ହୋଇ ପଡ଼ିଛି। ତେବେ ଏପରି ଅସୁବିଧା ଯୋଗୁଁ ଟପରିଆ ଅଞ୍ଚଳର କିଛି ସରକାରୀ ବିଦ୍ୟାଳୟକୁ ତିନି ଚାରି ଦିନ ଧରି କୌଣସି ଛାତ୍ରଛାତ୍ରୀ ଆସୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ରାଜେନ୍ଦ୍ର ନାୟକ।

ଏହି ଅଞ୍ଚଳରେ ପ୍ରତ୍ୟକ ଦିନ ଦୁର୍ଘଟଣା ମଧ୍ୟ ଘଟୁଛି। ହେଲେ ଏଥିପ୍ରତି ପ୍ରଶାସନର ଦୁଷ୍ଟି ପଡୁନାହିଁ। ଏହି ରାସ୍ତା ଉପରେ ହେମଗିରି ବ୍ଲକର ୧୩ଟି ପଞ୍ଚାୟତର ୫୦ ହଜାରରୁ ଅଧିକ ଗ୍ରାମବାସୀ ନିର୍ଭର କରନ୍ତି। ଏହି ରାସ୍ତା ସୁନ୍ଦରଗଡ଼ବାସୀଙ୍କୁ ରାୟଗଡ଼ ସହ ସଂଯୁକ୍ତ କରୁଥିବା ଏକ ପ୍ରମୁଖ ରାସ୍ତା। ପୂର୍ତ୍ତ ବିଭାଗ ତରଫରୁ ଏହି ରାସ୍ତାକୁ ମେଜର ଡିଷ୍ଟରିକ୍ଟ ରୋଡ ଭାବେ ମଧ୍ୟ ଚିହ୍ନଟ କରାଯାଇଛି। ତଥାପି ରାସ୍ତାର ମରାମତି ହୋଇପାରୁ ନାହିଁ।

ଏମସିଏଲର କୋଇଲା ପରିବହନରେ ବ୍ୟାପକ ଭାବରେ ବ୍ୟବହୃତ ହେଉଥିବାରୁ ଏହି ରାସ୍ତାକୁ ୧୯୯୭ ମସିହାରେ ଏମସିଏଲ୍ କୁ ହସ୍ତାନ୍ତର କରାଯାଇଥିଲା। ତେବେ ରାସ୍ତାର ମରାମତି କାର୍ଯ୍ୟ ଏମସିଏଲ କରିବା କଥା। କିନ୍ତୁ ବର୍ଷ ବର୍ଷ ଧରି ଏମସିଏଲ୍ ଏହି ରାସ୍ତାର କୌଣସି ପ୍ରକାର ମରାମତି କରିନଥିଲା। ଲୋକେ ଚାନ୍ଦା ଆଦାୟ କରି ରାସ୍ତା ମରାମତି କରି ଯିବା ଆସିବା କରୁଛନ୍ତି।

ତେବେ ଆଗାମୀ ଦିନ ମଧ୍ୟରେ ଯଦି ରାସ୍ତା ମରାମତି ନକରାଗଲା ରାସ୍ତା ରୋକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଟପରିଆ ଗ୍ରାମବାସୀ। ଅନ୍ୟପଟେ ଖୁବ ଶୀଘ୍ର ଏହି ରାସ୍ତାର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ହେମଗିର ପୂର୍ତ୍ତବିଭାଗ ଏସଡିଓ।

Comment