ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଓଡ଼ିଶାବାସୀଙ୍କ ପାଇଁ ଖୁସିଖବର। ଖୁବ୍‌ଶୀଘ୍ର ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବାକୁ ଯାଉଛି। ଭୁବନେଶ୍ୱର ରେଳ ଷ୍ଟେସନର ରୁପାନ୍ତରଣ କରାଯାଇ ଏହାକୁ ଏକ ମଲ୍ଟିମୋଡାଲ ହବ୍‌ ଭାବେ ପରିଣତ କରାଯିବ। ଏନେଇ ଭାରତୀୟ ରେଲୱେ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବାର ଅଛି।

ଆଜି ରାଜଧାନୀ ଦିଲ୍ଲୀରେ ଖୋର୍ଦ୍ଧା ରୋଡ୍‌ ଡିଭିଜନାଲ ରେଲୱେ ମ୍ୟାନେଜର ଶଶୀକାନ୍ତ ସଂହ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଭାଇସ୍‌ ଚେୟାରମ୍ୟାନଙ୍କ ସହ ଏହି ଏମ୍‌ଓୟୁ ସ୍ୱାକ୍ଷର ହେବାର ଅଛି। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ସରକାରଙ୍କ ସ୍ମାର୍ଟସିଟି ମିସନ୍‌ରେ ଭୁବନେଶ୍ୱର ରେଳ ଷ୍ଟେସନର ରୁପାନ୍ତରଣ କରାଯାଇ ଏକ ମଲ୍ଟିମୋଡାଲ ହବ୍‌ ଭାବେ ନିର୍ମାଣ କରାଯିବ। ଏହି  ଅନୁଯାୟୀ ରେଳ ଷ୍ଟେସନର ନୂଆ ଟର୍ମିନାଲ ବିଲଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର ପାର୍କ ଏବଂ ଅନ୍ୟାନ୍ୟ ପ୍ରକଳ୍ପ  ନିର୍ମାଣ କରାଯିବ।

ସେହିପରି ନୂଆ ଷ୍ଟେସନ ବିଲ୍‌ଡିଂ, ଦୁଇଟି ନୂଆ ରେଲୱେ ଲାଇନ୍‌ ଏବଂ ପ୍ଲାଟଫର୍ମ ନିର୍ମାଣ କରାଯାଇ ରେଳ ଷ୍ଟେସନକୁ ବର୍ଦ୍ଧିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ବିଏମ୍‌ସି ପକ୍ଷରୁ ଏକ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଛଡ଼ା ହେବା ପରେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି।

ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯେଉଁଥିରେ ଭାରତୀୟ ରେଳବାଇ ବିଭାଗ ୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ଓଡ଼ିଶା ସରକାର ୬୦ କୋଟି ଟଙ୍କା ଖର୍ଚ୍ଚ କରିବାର ବ୍ୟୟବରାଦ ହୋଇଛି।

Comment