ଓଡ଼ିଶାଲାଇଭ ବ୍ୟୁରୋ 

ରାଉରକେଲା: ରାଉରକେଲା ପୋଲିସକୁ ବଡ଼ ସଫଳତା। ଦୁର୍ଦ୍ଦାନ୍ତ ପିଏଲଏଫଆଇ ଏରିଆ ମାଓ କମାଣ୍ଡର ସୁଦାମା ସିଂହକୁ ଗିରଫ କରିଛି ରାଉରକେଲା ପୋଲିସ। ଏନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲ୍ଲାନ।

ଓଡିଶା ଓ ଝାଡ଼ଖଣ୍ଡ ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ପିଏଲଏଫଆଇ ଏରିଆ କମାଣ୍ଡର ସୁଦାମା ସିଂ ଗିରଫ। କମ୍ବିଂ ଅପରେସନ ସମୟରେ ବିଶ୍ରା ଅଞ୍ଚଳରୁ ସୁଦାମାକୁ ଗିରଫ କରିଛି ରାଉରକେଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍‌। ତା’ ନିକଟରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ ହୋଇଛି।

ଝାଡ଼ଖଣ୍ଡର ବାନୋ ଏବଂ ଜଲଡେଗା ଅଞ୍ଚଳରେ ୭ଟି ହତ୍ୟାକାଣ୍ଡ ମାମଲା ସମେତ ସୁନ୍ଦରଗଡ଼ ଜିଲ୍ଲା ହାତିବାରିସ୍ଥିତ ସମବାୟ ବ୍ୟାଙ୍କ ଡ଼କାୟତିରେ ସମ୍ପୃକ୍ତ ଥିଲା ସୁଦାମା। ସେହିପରି ସୁଦାମା ଝାଡ଼ଖଣ୍ଡର ବିଜେପି ଓ ଜେଏମଏମ ନେତାଙ୍କ ହତ୍ୟାକାଣ୍ଡରେ ପ୍ରମୁଖ ଅଭିଯୁକ୍ତ ଥିବା ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ।

ପ୍ରତିବନ୍ଧକ ସଂଗଠନ ପିଏଲଏଫଆଇର ନେତା ଦିନେଶ୍ ଗୋପ ନେତୃତ୍ୱରେ ରହି ୨୦୦୭ ମସିହାରୁ ସୁଦାମା ଝାଡ଼ଖଣ୍ଡର ବାନୋ, ଜଲଡେଗା ସମେତ ସୁନ୍ଦରଗଡ଼ ସୀମାନ୍ତ ହାତିବାରି ଓ ବିଶ୍ରା ଅଞ୍ଚଳରେ ସକ୍ରିୟ ଥିଲା। ବର୍ତ୍ତମାନ ସେ ବନ୍ଧୁକ ମୁନରେ ବଟି ସଂଗ୍ରହରେ ଲିପ୍ତ ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comment